କାନପୁର: ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍କୁ ୨୮୦ ରନ୍ରେ ଜିତିବା ପରେ କାନପୁରରେ ଶୁକ୍ରବାରଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ତଥା ଟେଷ୍ଟ୍ ଲାଗି ରୋହିତ ବାହିନୀ ସଜବାଜ ହେଉଛି। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ର ଫାଇନାଲ୍ ଖେଳିବା ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ର ମଧ୍ୟ ଢେର ଗୁରୁତ୍ବ ରହିଛି। ଏଥିଲାଗି କିନ୍ତୁ ଭାରତୀୟ କ୍ରିକେଟ୍ ଦଳକୁ କାନପୁର ସହ ଚଳିତ ଋତୁର ଅବଶିଷ୍ଟ ୯ ମ୍ୟାଚ୍ରୁ ଅନ୍ୟୂନ ଚାରିଟି ବିଜୟ ଅର୍ଜନ କରିବାର ଦରକାର ରହିଛି। ବାଂଲାଦେଶ ବିପକ୍ଷ ଗୋଟିଏ ମ୍ୟାଚ୍ ସହ ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟି (ଘରୋଇ ପରିବେଶ) ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ପାଞ୍ଚଟି ଟେଷ୍ଟ୍ ଭାରତ ହାତରେ ରହିଛି। ତେବେ ଏହି ଚାରିଟି ବିଜୟ ଲକ୍ଷ୍ୟ ପୂରଣ କରିବା ଲାଗି ଘରୋଇ ପରିବେଶରେ ଖେଳିବାକୁ ଥିବା ମ୍ୟାଚ୍ ଭାରତ ପାଇଁ ଭଲ ସୁଯୋଗ ଭାବେ ଉଭା ହୋଇଛି। କାରଣ ଅଷ୍ଟ୍ରେଲିଆ ମାଟିରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଶୃଙ୍ଖଳାର ୫ ଟେଷ୍ଟ୍ରେ ବିଜୟୀ ହେବା ଭାରତ ପାଇଁ ଆଦୌ ସହଜ ହେବନି।
ଚେନ୍ନାଇରୁ କାନପୁରକୁ ଧ୍ୟାନ ହଟିବା ସହ ଉଭୟ ଭାରତ ଓ ବାଂଲାଦେଶ ପାଇଁ କିନ୍ତୁ ପିଚ୍ ନୂଆ ଆହ୍ବାନ ଭାବେ ଉଭା ହେବାକୁ ଯାଉଛି। କାରଣ ଚେନ୍ନାଇର ଲାଲ୍ ମାଟି ପିଚ୍ ସ୍ପୋର୍ଟିଂ ଓ ବାଉନ୍ସି ଥିଲା ବେଳେ କାନପୁରର କଳା ମାଟି ପିଚ୍ ପାରମ୍ପରିକ ଭାବେ ସ୍ପିନରଙ୍କୁ ସୁହାଇ ଆସୁଛି। ଉଭୟ ସ୍ଥାନର ପିଚ୍ ମଧ୍ୟରେ ଆକାଶପାତାଳ ଫରକ ଥିଲା ବେଳେ ସ୍ବଭାବ ହେଉଛି ପୂରା ବିପରୀତ। କ୍ରିକେଟ୍ ଉତ୍ତରରୁ ଦକ୍ଷିଣ ଭାରତକୁ ଆସିବା ସହ ପାଗ ଓ ପରିବେଶ ମଧ୍ୟ ବଦଳିବ। ସେହି ଦୃଷ୍ଟିରୁ ଉଭୟ ଦଳକୁ ସେମାନଙ୍କ ରଣନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ। ତେବେ ଏଥରର ପିଚ୍ ପ୍ରଥମ ଦିନରୁ ସ୍ପିନ୍ ଧରିବାର ସମ୍ଭାବନା କମ୍ ଥିବା କ୍ୟୁରେଟର ସଙ୍କେତ ଦେଇଥିବାରୁ ଉଭୟ ଦଳ ଏଥିଲାଗି ଶାନ୍ତିର ନିଶ୍ବାସ ମାରିପାରିବେ।
ବୁମ୍ରାଙ୍କୁ ବିଶ୍ରାମ ବିଚାରାଧୀନ
ନୂଆ ପ୍ରଶିକ୍ଷକ ତଥା ପୁର୍ବତନ ଭାରତୀୟ ଓପନର୍ ଗୌତମ ଗମ୍ଭୀର ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା ଉପରେ ଜୋର୍ ଦେଉଥିବାରୁ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ କାନପୁରରେ ବିଶ୍ରାମ ଦେବା କଥା ଭାରତ ଚିନ୍ତା କରିପାରେ। ଏହି ପ୍ରସ୍ତାବକୁ ଦଳୀୟ ପରିଚାଳନା ମଣ୍ଡଳି ଗୁରୁତ୍ବ ଦେଉଥିବା ଜଣାପଡ଼ିଛି। ତେବେ ଶେଷ ନିଷ୍ପତ୍ତି ମ୍ୟାଚ୍ ପୂର୍ବଦିନ ନିଆଯିବ ବୋଲି ଜଣାପଡ଼ିଛି। ସେପଟେ ଭାରତ ମଧ୍ୟ ତିନି ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା କଥା ଚିନ୍ତା କରୁଛି। ଯଦି ବୁମ୍ରାଙ୍କୁ ବିଶ୍ରାମ ଦିଆଯାଏ, ତାହେଲେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ଭିତରୁ ଜଣେ ଖେଳିପାରନ୍ତି। ବୁମ୍ରା ଖେଳିଲେ ଯୁବ ବୋଲର ଆକାଶଦୀପଙ୍କୁ ବାହାରେ ରହିବାକୁ ହେବ।
କାନପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍ ଲାଗି କାନପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା ପ୍ରତିବାଦରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ନାମକ ଏକ ସଂସ୍ଥା ଷ୍ଟାଡିୟମ୍ ସମ୍ମୁଖ ରାସ୍ତାକୁ ଅବରୋଧ କରି ସେଠାରେ ହୋମ କରିବାର ଧମକ ଦେଇଥିବାରୁ ପୁଲିସ ସଜାଗ ରହିଛି। ଏହି ସଂଗଠନର ଦୁଇ ଜଣ ସଦସ୍ୟଙ୍କ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ଫର୍ଦ ଦାୟର ହୋଇଥିବା ଏସିପି ହରିଶ ଚନ୍ଦର କହିଛନ୍ତି। ଖେଳାଳିଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଷ୍ଟାଡିୟମ୍ ଭିତରେ ଓ ବାହାର ସୁରକ୍ଷା ବ୍ୟବସ୍ଥାକୁ ମ୍ୟାଚ୍ ପୂର୍ବଦିନଠାରୁ ପରଦିନ ପର୍ଯ୍ୟନ୍ତ ସୁଦୃଢ଼ କରାଯିବ ବୋଲି ସୂଚନା ଦେଇଛନ୍ତି ସେ।