ମୀରପୁର: ଦିନିକିଆ ବିଶ୍ବକପ୍ର ଆୟୋଜକ ଦେଶ ଭାରତ ସମ୍ମୁଖରେ ଏବେ ଆଉ ଏକ ପରୀକ୍ଷାର ଶୃଙ୍ଖଳା ଉପନୀତ। ବଂଲାଦେଶ ସହ ରବିବାରଠାରୁ ୩ ମ୍ୟାଚ୍ ଦିନିକିଆ ଶୃଙ୍ଖଳା ଖେଳିବ ଏହି ଦଳ। ଆସନ୍ତାବର୍ଷ ଭାରତରେ ଦିନିକିଆ ବିଶ୍ବକପ୍ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳର ପ୍ରସ୍ତୁତି ଗତ ମାସର ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଆରମ୍ଭ ହୋଇଛି। ତେବେ ୫ ଦିନିକିଆ ଶୃଙ୍ଖଳାରେ ଅପରାଜିତ ରହିବା ପରେ ନ୍ୟୁଜିଲାଣ୍ଡ୍ରେ ଗତ ସପ୍ତାହରେ ଏହି ଧାରା ଭାଙ୍ଗିଯାଇଛି। ଅବଶ୍ୟ ବହୁ ବରିଷ୍ଠ ଖେଳାଳିଙ୍କ ବିନା ନ୍ୟୁଜିଲାଣ୍ଡ୍ ଗସ୍ତ କରିଥିବା ଶିଖର ଧାୱନଙ୍କ ଦଳ ବର୍ଷା ବାଧାପ୍ରାପ୍ତ ଶୃଙ୍ଖଳାକୁ ୦-୧ରେ ହାରିଛି। ଏବେ ବିରାଟ କୋହଲି, ରୋହିତ ଶର୍ମା, କେଏଲ୍ ରାହୁଲ ପ୍ରତ୍ୟାବର୍ତନ କରିଥିବାରୁ ପାଖାପାଖି ଭାରତ ପୂର୍ଣ୍ଣ କ୍ଷମତାର ଦଳ ପାଇଛି। ଘରୋଇ ମାଟିରେ ବାଂଲାଦେଶ ସଙ୍କଳ୍ପବଦ୍ଧ ଥିବାରୁ ଭାରତ ପାଇଁ ଆହ୍ବାନ ରହିବ। ମୋଟାମୋଟି ଭାବେ ଭାରତ ୫୦ ଓଭର ବିଶ୍ବକପ୍ ପାଇଁ ଏହି ଶୃଙ୍ଖଳାରେ ଭଲରେ ପ୍ରସ୍ତୁତି ଆରମ୍ଭ କରିବ ବୋଲି ବିଶ୍ବାସ କରାଯାଉଛି।
ବାଂଲାଦେଶ ତମିମ୍ ଇକବାଲ୍ ଓ ତସକିନ୍ ଅହମ୍ମଦଙ୍କ ବିନା ଖେଳିବାକୁ ଯାଉଥିଲେ ମଧ୍ୟ ଘରୋଇ ଦଳ ନିକଟରେ ପ୍ରଭାବୀ ପ୍ରଦର୍ଶନ ପାଇଁ ପ୍ରତିଭାର ଅଭାବ ନାହିଁ। ଲିଟନ୍ ଦାସ ଦଳର ନେତୃତ୍ବ ନେବେ। ଏବାଦତ ହୋସେନ୍ ଓ ମୁସ୍ତାଫିଜୁର ରହମାନ ପେସ୍ ଆକ୍ରମଣର ନେତୃତ୍ବ ନେବେ। ବାଂଲାଦେଶ ୨୦୨୧ ପ୍ରାରମ୍ଭରୁ ୮ଟି ଦିନିକିଆ ଶୃଙ୍ଖଳା ଖେଳି ମାତ୍ର ୨ଟି ହାରିଛି। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ଏହି ଦଳ ପାଇଁ ସବୁଠାରୁ ଉଲ୍ଲେଖନୀୟ ସଫଳତା ହୋଇ ରହିଛି। ୨୦୨୧ ଜାନୁଆରିଠାରୁ ଭାରତ ୨୭ ଦିନିକିଆ ଖେଳିଥିଲା ବେଳେ କୋହଲି ୧୧ଟିରେ, ରାହୁଲ ୧୦ଟିରେ, ରୋହିତ ୯ଟିରେ ଖେଳିଥିଲେ। ଧାୱନ କିନ୍ତୁ ୨୫ଟିରେ ଖେଳିବା ସହିତ ଅଧିକାଂଶରେ ନେତୃତ୍ବ ନେଇଛନ୍ତି। ଯଶପ୍ରୀତ୍ ବୁମରା (୫), ଭୁବନେଶ୍ବର କୁମାର (୭), ମହମ୍ମଦ ସାମି (୩) ମଧ୍ୟ ବିଶେଷ ଖେଳିନାହାନ୍ତି। ଶାର୍ଦୁଳ ଠାକୁର (୧୬) ବରଂ ଅଧିକ ଉପଲବ୍ଧ ହୋଇଛନ୍ତି। ବୋଲିଂରେ ନିଶ୍ଚିତ ଦୀପକ ଚହର, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକଙ୍କ ଉପରେ ନଜର ରହିବ। ଏହି ଶୃଙ୍ଖଳାରେ ନିଶ୍ଚିତ ଭାରତ ଏହାର ମଧ୍ୟକ୍ରମ ବ୍ୟାଟିଂକୁ ସଜାଡ଼ିବ। ଧାୱନଙ୍କୁ ବିଶ୍ରାମ ଦେଇ ରୋହିତ-ରାହୁଲ ପାଳି ଆରମ୍ଭ କରିବା ପରେ ୩ ନମ୍ବରରେ କୋହଲି, ୪ ନମ୍ବରରେ ଶ୍ରେୟସ ଆୟର ଓ ୫ ନମ୍ବରରେ ପନ୍ତ୍ ଖେଳିବା ଯୋଜନା ହୋଇଛି। ସେର୍-ଇ-ବାଂଲା ନ୍ୟାସ୍ନାଲ ଷ୍ଟାଡିୟମ୍ରେ ହାଇସ୍କୋରିଂ ମୁକାବିଲା ହେବ ବୋଲି ବିଶ୍ବାସ କରାଯାଉଛି। ପିଚ୍ ବ୍ୟାଟରଙ୍କୁ ସୁହାଇବ। ମୀରପୁରଠାରେ ଭାରତ ୨୦୧୧ରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଦଳଗତ ସ୍କୋର୍ ୩୭୦/୪ କରିଥିଲା। ସମାନ ଗ୍ରାଉଣ୍ଡରେ ମଧ୍ୟ ଭାରତ ୨୦୧୨ରେ ପାକିସ୍ତାନ ବିପକ୍ଷରେ ସଫଳ ପଶ୍ଚାତଧାବନ ସ୍କୋର୍ (୩୩୦/୪) କରିଥିଲା। ବିଦେଶୀ ବ୍ୟାଟରଙ୍କ ମଧ୍ୟରେ ବିରାଟ କୋହଲି ଢାକାରେ ସର୍ବାଧିକ ୭୮୬ ରନ୍ ସଂଗ୍ରହ କରିଛନ୍ତି ୧୩ ପାଳିରୁ। ଏହା ମଧ୍ୟରେ ୪ ଶତକ ଓ ୩ ଅର୍ଦ୍ଧଶତକ ମଧ୍ୟ ସାମିଲ ରହିଛି। ସେର ବାଂଲା ଷ୍ଟାଡିୟମ୍ରେ କୋହଲି ଆଉ ଏକ ଶତକ ମାରିଲେ ତମିମ୍ ଇକବାଲଙ୍କ ସମକକ୍ଷ ହୋଇଯିବେ। ଏହି ପଡ଼ିଆରେ ସାବିକ୍ ଅଲ୍ ହାସନ୍ ଏକମାତ୍ର ବୋଲର ଭାବେ ୧୦୦ରୁ ଊର୍ଧ୍ବ ୱିକେଟ୍ ନେଇଛନ୍ତି।
ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, କେଏଲ୍ ରାହୁଲ, ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟରକ୍ଷକ), ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍, ଶାର୍ଦୁଳ ଠାକୁର, ଦୀପକ ଚହର, ମହମ୍ମଦ ସିରାଜ।
ବାଂଲାଦେଶ ସମ୍ଭାବ୍ୟ ୧୧: ନଜମୁଲ ହୋସେନ୍ ସାଣ୍ଟୋ, ଲିଟନ୍ ଦାସ (ଅଧିନାୟକ), ଏନାମୁଲ ହକ୍, ସାକିବ୍ ଅଲ୍ ହାସନ୍, ମୁସଫିକର ରହିମ୍ (ୱିକେଟରକ୍ଷକ), ମହମ୍ମଦୁଲ୍ଲା, ଅଫିଫ ହୋସେନ୍, ମେହଦି ହାସନ୍ ମିରାଜ, ହାସନ୍ ମେହମୁଦ, ଏବାଦତ ହୋସେନ୍, ମୁସ୍ତାଫିଜୁର ରହମାନ।
ଆହତ ସାମିଙ୍କ ସ୍ଥାନ ନେଲେ ଉମ୍ରାନ୍
ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପୂର୍ବରୁ ସିନିୟର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଆହତ ଭାରତ ପାଇଁ ଝଟ୍କା ହୋଇଛି। ହାତରେ ଆହତ ଯୋଗୁଁ ସାମି ଏହି ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଥିଲା ବେଳେ ତାଙ୍କ ସ୍ଥାନ ନେଇଛନ୍ତି ଯୁବ ଦ୍ରୁତ ବୋଲର ଉମ୍ରାନ୍ ମଲିକ। କେବଳ ଦିନିକିଆ ନୁହେଁ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରୁ ମଧ୍ୟ ସାମି ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ବର୍ଷ ଜୁନ୍ରେ ଦି ଓଭାଲରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଭାରତକୁ ବାଂଲାଦେଶ ବିପକ୍ଷ ସମସ୍ତ ଟେଷ୍ଟ୍ ଜିତିବା ଜରୁରୀ ଥିଲା ବେଳେ ସାମିଙ୍କ ଆହତ ଏବେ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ଙ୍କୁ ଚିନ୍ତାରେ ପକାଇଦେଇଛି।