ଚେନ୍ନାଇ: ଗୁରୁବାରଠୁ ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ଏହି ଶୃଙ୍ଖଳାରେ ଭାରତୀୟ ବ୍ୟାଟର୍‌ଙ୍କ ଆଗରେ ଭ୍ରମଣକାରୀ ଦଳର ସ୍ପିନ୍‌ ଆକ୍ରମଣ ଆହ୍ବାନ ରହିବ। କାରଣ ନିକଟ ଅତୀତରେ ଭାରତୀୟ ବ୍ୟାଟିଂକ୍ରମ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥିଲା। ଯଦିଓ ଗତ ଦଶନ୍ଧି ଭିତରେ ଘରୋଇ ମ୍ୟାଚ୍‌ରେ ଭାରତର ରେକର୍ଡ ୪୦-୪ ରହିଛି, ତଥାପି ଡବ୍‌ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼ କରିବାକୁ ହେଲେ ଚେନ୍ନାଇ ପିଚ୍‌ରେ ରୋହିତ ବାହିନୀଙ୍କୁ ଅଧିକ ଯତ୍ନବାନ୍‌ ହୋଇ ଖେଳିବାକୁ ପଡ଼ିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ପାଇଥିଲା। ତେଣୁ ଏହି ପଡ଼ୋଶୀ ଦଳକୁ ଆଦୌ ହାଲ୍‌କାରେ ନେଇ ହେବନି।

Advertisment

ଗତ କିଛି ଦିନ ଭିତରେ ଭାରତର ମୁଖ୍ୟ ଖେଳାଳିମାନେ ସ୍ପିନ୍‌କୁ ଖେଳିବା ପାଇଁ ସଂଘର୍ଷ କରିଛନ୍ତି। ବିରାଟ କୋହଲି ୨୦୨୧ରୁ ବର୍ତ୍ତମାନ ମଧ୍ୟରେ ୧୫ ଟେଷ୍ଟ୍‌ ଖେଳିଥିଲା ବେଳେ ସେଥିରେ ତାଙ୍କର ହାରାହାରି ରନ୍‌ ହେଉଛି ୩୦। ରୋହିତ ଶର୍ମାଙ୍କ ସ୍ଥିତି ମଧ୍ୟ ଖରାପ ହୋଇଯାଇଛି। ଗତ ତିନି ବର୍ଷ ମଧ୍ୟରେ ସ୍ପିନ୍‌ ବିପକ୍ଷରେ ତାଙ୍କର ହାରାହାରି ରନ୍‌ ୪୪କୁ ଖସିଆସିଲାଣି। କେଏଲ୍‌ ରାହୁଲ୍‌ ମଧ୍ୟ ଗତ ୫ ଘରୋଇ ଟେଷ୍ଟ୍‌ରେ ସ୍ପିନରଙ୍କ ବିପକ୍ଷରେ ୨୩.୪୦ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ସ୍ପିନରଙ୍କ ବିପକ୍ଷରେ ଗତ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଖେଳାଳିଙ୍କ ଦୁର୍ବଳ ପ୍ରଦର୍ଶନ ପରେ ସହକାରୀ ପ୍ରଶିକ୍ଷକ ରିୟାନ ଡସ୍‌ଚାଟ୍‌ ଏହି ଦିଗ ଉପରେ ଅଧିକ ଗୁରୁତ୍ବ ଦେଇଆସିଛନ୍ତି। 

ବାଂଲାଦେଶ ସ୍ପିନରଙ୍କ ଭିତରେ ଅଭିଜ୍ଞ ସକିବ୍‌ ଅଲ୍‌ ହାସନ, ତାଇଜୁଲ ଇସ୍‌ଲାମ୍‌ ଓ ମେହିଦି ହାସନ ମିରାଜ ଭାରତୀୟ ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ତଥାପି ଏମାନଙ୍କୁ ସମ୍ମୁଖୀନ ହେବା ପ‌ାଇଁ ଋଷଭ ପନ୍ତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଗତ ୫ ମ୍ୟାଚ୍‌ରେ ‌ସ୍ପିନରଙ୍କ ବିପକ୍ଷରେ ତାଙ୍କର ହାରାହାରି ରନ୍‌ ପାଖାପାଖି ୭୦ ରହିଛି। ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ୍‌ଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ଯଦିଓ ଏହି ଦୁଇ ଜଣ ଇଂଲଣ୍ଡର କମ୍‌ ଅଭିଜ୍ଞତା ରଖୁଥିବା ସ୍ପିନରଙ୍କୁ ସମ୍ମୁଖୀନ କରିଥିଲେ। କିନ୍ତୁ ଆନ୍ତର୍ଜାତିକ ମ୍ୟାଚ୍‌ରେ ସ୍ପିନରଙ୍କ ବିପକ୍ଷରେ ଏମାନେ ଭଲ ପ୍ରଦର୍ଶନ ଦେଇପାରିଛନ୍ତି। ଯଶପ୍ରୀତ୍‌ ବୁମ୍‌ରାଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା ଭାରତୀୟ ବୋଲିଂ କ୍ରମକୁ ଅଧିକ ଦୃଢ଼ କରିପାରିଛନ୍ତି। ତଥାପି ଆକାଶ ଦୀପ କିମ୍ବା ୟଶ ଦୟାଲଙ୍କ ରୂପରେ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଦଳ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ। ନଚେତ୍‌ ଚେନ୍ନାଇ ପିଚ୍‌ ସ୍ପିନରଙ୍କୁ ସୁହାଉଥିବାରୁ କୁଲଦୀପ ୟାଦବ କିମ୍ବା ଅକ୍ଷର ପଟେଲ୍‌ଙ୍କ ଭିତରୁ ଜଣେ ତୃତୀୟ ସ୍ପିନର ଭୂମିକାରେ ଆସିପାରନ୍ତି। 

ଭାରତକୁ ଆଦୌ ହରାଇନି ବାଂଲାଦେଶ
ଉଭୟ ଦଳଙ୍କ ଭିତରେ ୮ ଶୃଙ୍ଖଳାରେ ମୋଟ୍‌ ୧୩ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି। କେବଳ ୨୦୧୫ରେ ଭାରତର ବାଂଲାଦେଶ ଗସ୍ତ ଟେଷ୍ଟ୍‌ ଅମୀମାଂସିତ ରହିଥିଲା। ବାଂଲାଦେଶ ମଧ୍ୟ ଭାରତରେ ତି ନୋଟି ଟେଷ୍ଟ୍‌ ଖେଳିଛି। ହେଲେ ସବୁଥିରେ ପରାଜୟର ସମ୍ମୁଖୀନ ହୋଇଛି।  

‘ଜିତିବା ଶୈଳୀ ହେଉଛି ସର୍ବୋତ୍ତମ ଶୈଳୀ’
ପ୍ରଥମ ଟେଷ୍ଟ୍‌ରେ ଭାରତ ଜିତିବା ପାଇଁ ସବୁପ୍ରକାରର କସରତ୍‌ କରିବ। ପ୍ରତ୍ୟେକ କ୍ଷେତ୍ରରେ ବାଂଲାଦେଶକୁ ପଛରେ ପକାଇବାକୁ ହେବ। ଆମକୁ ଏମିତି ଖେଳିବାକୁ ହେବ, ଯେମିତି କେହି ବି ଆମ ଖେଳିବା ଶୈଳୀକୁ ନେଇ ଆପତ୍ତି ନଉଠାଇବେ। ତେଣୁ ଆମର ଜିତିବା ଶୈଳୀ ସବୁଠୁ ଶ୍ରେଷ୍ଠ ଶୈଳୀ ହେବ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବୁଧବାର ଚେନ୍ନାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ମ୍ୟାଚ୍‌‌ରେ ସ୍ଥାନୀୟ ଖେଳାଳି ଅଶ୍ବିନ ଓ ଜାଡ଼େଜାଙ୍କ ବଡ଼ ଭୂମିକା ରହିବ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ପ୍ରତିଭାବାନ୍‌ ଖେଳାଳି ଭରପୂର ଅଛନ୍ତି। ତେଣୁ ସର୍ଫରାଜ ଖାନ୍‌, ଧ୍ରୁବ ଜୁରେଲ୍‌ଙ୍କୁ ସେମାନଙ୍କ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିବାରୁ ରାହୁଲ୍‌ ଓ ପନ୍ତ୍‌ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହେବା ନେଇ‌ ସେ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ବୁମ୍‌ରାଙ୍କୁ ବିଶ୍ବର ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ସମ୍ବୋଧନ କରିବା ସହ ମ୍ୟାଚ୍‌କୁ ଯେକୌଣସି ମୁହୂର୍ତ୍ତରେ ସେ ବଦଳାଇ ଦେବାର ଦକ୍ଷତା ରଖିଛନ୍ତି। ଭାରତ ପୂର୍ବରୁ ଏକ ବ୍ୟାଟିଂ ମଜବୁତ୍‌ ଦଳ ଭାବେ ପରିଚିତ ଥିଲା। କିନ୍ତୁ ବୁମ୍‌ରା, ଅଶ୍ବିନ, ସାମି, ଜାଡ଼େଜାଙ୍କ ଯୁଗ ଆସିବା ପରେ ଏବେ ବୋଲରଙ୍କ ଖେଳ ହୋଇଯାଇଥିବା ସେ କହିଛନ୍ତି।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍‌ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ୟାଦବ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା। ସମ୍ଭାବ୍ୟ ବାଂଲାଦେଶ ଏକାଦଶ: ଶଦମନ ଇସଲାମ, ଜାକିର ହାସନ, ନଜମୁଲ ହୋସେନ୍‌ ସାଣ୍ଟୋ (ଅଧିନାୟକ), ମୋମିନୁଲ ଇସଲାମ, ମୁସ୍‌ଫିକର ରହିମ, ଲିଟନ ଦାସ, ସକିବ ଅଲ୍‌ ହାସନ, ମେହିଦି ହାସନ ମିରାଜ, ତସ୍କିନ୍‌ ଅହମଦ, ହାସନ ମହମୁଦ, ନାହିଦ ରାଣା/ତାଇଜୁଲ୍‌ ଇସ୍‌ଲାମ୍‌।

ଜୟ-ପରାଜୟ ପରିସଂଖ୍ୟାନର ରୋଚକ ମୋଡ଼

ଚଳିତ ଡବ୍‌ଲ୍ୟୁଟିସି ଚକ୍ରରେ ଭାରତକୁ ଆଉ ୧୦ ମ୍ୟାଚ୍‌ ଖେଳିବାକୁ ଅଛି। ଘରେ ବାଂଲାଦେଶ ବିପକ୍ଷରେ ଦୁଇଟି ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟେଷ୍ଟ୍‌ ଖେଳିବା ପରେ ଅଷ୍ଟ୍ରେଲିଆ ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ବାଂଲାଦେଶ ବିପକ୍ଷରୁ ଭାରତର ଏହି ଅଭିଯାନ ଆରମ୍ଭ ହେଉଥିବାରୁ ଯଦି ରୋହିତ ଶର୍ମାଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ବିଜୟୀ ‌ହୁଅନ୍ତି, ତ‌ାହେଲେ ପ୍ରଥମ ଥର ‌ଭାରତର ଟେଷ୍ଟ୍‌ ବିଜୟ ସଂଖ୍ୟା ଅଧିକ ହୋଇଯିବ। ଭାରତୀୟ କ୍ରିକେଟ୍‌ ଇତିହାସରେ କେବେ‌ ବି ସର୍ବମୋଟ୍‌ ପରାଜୟ ସଂଖ୍ୟାଠୁ ବିଜୟ ସଂଖ୍ୟା ଅଧିକ ହୋଇନି। କିନ୍ତୁ ବାଂଲାଦେଶ ବିପକ୍ଷରେ ବିଜୟୀ ହେଲେ ପରିସଂଖ୍ୟାନ ବଦଳିଯିବ। ବର୍ତ୍ତମାନ ସୁଦ୍ଧା ଭାରତ ୫୭୯ ଟେଷ୍ଟ୍‌ ମ୍ୟାଚ୍‌ ଖେଳିସାରିଛି। ଯେଉଁଥିରୁ ହାର୍‌-ଜିତ୍‌ ସଂଖ୍ୟା ୧୭୮-୧୭୮ରେ ବରାବର ରହିଛି। ୨୨୨ ମ୍ୟାଚ୍‌ ଅମୀମାଂସିତ ରହିଥିଲା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ହୋଇଛି। ଯଦି ଭାରତ ଏହି ମ୍ୟାଚ୍‌ରେ ବିଜୟୀ ହୁଏ, ତାହେଲେ ବିଜୟ ସଂଖ୍ୟା ୧୭୯ ହୋଇଯିବ।  

କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ପାଇଁ ମଧ୍ୟ ଏକାଧିକ ରେକର୍ଡ ଅପେକ୍ଷାରେ ଅଛି। ବିରାଟ କୋହଲିଙ୍କୁ ୯୦୦୦ ଟେଷ୍ଟ୍‌ ରନ୍‌ରେ ପହଞ୍ଚିବାକୁ ଆଉ ୧୫୨ ରନ୍‌ ଆବଶ୍ୟକ ହେଉଛି। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଲେ ସେ ଚତୁର୍ଥ ଭାରତୀୟ ହୋଇଯିବେ। କୋହଲି ଏବେ ୮୮୪୮ ରନ୍‌ରେ ଥିବା ବେଳେ ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର (୧୫୯୨୧), ରାହୁଲ ଦ୍ରାବିଡ଼ (୧୩୨୮୮) ଓ ସୁନୀଲ ଗାଭାସ୍କର (୧୦୧୨୨) ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିସାରିଛନ୍ତି। ସେହିପରି ସମସ୍ତ ଫର୍ମାଟ୍‌ରେ ୨୭୦୦୦ ରନ୍‌ ଅତିକ୍ରମ କରିବାକୁ କୋହଲିଙ୍କୁ ୫୮ ରନ୍‌ ଆବଶ୍ୟକ ହେଉଛି। ଏବେ ସେ ୫୯୧ ପାଳିରୁ ୨୬୯୪୨ ରନ୍‌ ସଂଗ୍ରହ କରିଛନ୍ତି। ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବାରେ ସେ ଦ୍ରୁତତମ ଭାରତୀୟ ହୋଇଯିବେ। ସଚିନଙ୍କୁ ଏହି ସଂଖ୍ୟା ଅତିକ୍ରମ କରିବାକୁ ୬୨୩ ପାଳି ଖେଳିବାକୁ ପଡ଼ିଥିଲା। ତାଙ୍କବ୍ୟତୀତ ରବୀନ୍ଦ୍ର ଜାଡ଼େଜାଙ୍କୁ ଟେଷ୍ଟ୍‌ରେ ୩୦୦୦ ରନ୍‌ ଓ ୩୦୦ ୱିକେଟ୍‌ ଅତିକ୍ରମ କରିବାକୁ ଆଉ ୬ ୱିକେଟ୍‌ ଆବଶ୍ୟକ ହେଉଛି। ବର୍ତ୍ତମାନ ସୁଦ୍ଧା ସେ ୩୦୩୬ ରନ୍‌ ସଂଗ୍ରହ କରିସାରିଥିଲା ବେଳେ ୱିକେଟ୍‌ ସଂଖ୍ୟା ୨୯୪ ରହିଛି। ତାଙ୍କ ପୂର୍ବରୁ କେବଳ ଦୁଇ ଜଣ ଭାରତୀୟ ଏଭଳି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। କପିଳ ଦେବ (୫୨୪୮ ରନ୍‌ ଓ ୪୩୪ ୱିକେଟ୍‌) ଓ ରବିଚନ୍ଦ୍ରନ ଅଶ୍ବିନ (୩୩୦୯ ରନ୍‌ ଓ ୫୧୬ ୱିକେଟ୍‌) ତାଙ୍କ ଆଗରେ ଅଛନ୍ତି।