୧୯ ବର୍ଷରୁ କମ୍ କ୍ରି‌କେଟ୍ ବିଶ୍ୱକପ୍‌: କ୍ୱାର୍ଟରରେ ଭାରତ-ବାଂଲାଦେଶ

ତ୍ରିନିଦାଦ : ୱେଷ୍ଟଇଣ୍ଡିଜ୍‌ରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍‌ରେ ଭାରତର ଅପରାଜେୟ ଧାରା ଜାରି ରହିଛି। ଶନିବାର ବିଳମ୍ବିତ ରାତିରେ ଖେଳିଥିବା ନିଜ ଶେଷ ଲିଗ୍ ମ୍ୟାଚ୍‌ରେ ଭାରତ ୩୨୬ ରନ୍‌ରେ ଦୁର୍ବଳ ଉଗାଣ୍ଡାକୁ ହରାଇ ଦେଇଛି। ତା’ ସହ ୩ ମ୍ୟାଚ୍‌ରୁ ୩ ବିଜୟ ହାସଲ କରି ଗ୍ରୁପ୍ ବି’ ବିଜେତା ହୋଇଛି। କ୍ବାର୍ଟର ଫାଇନାଲ୍‌ରେ ଚାରିଥର ବିଜେତା ଭାରତ ପଡ଼ୋଶୀ ବାଂଲାଦେଶର ମୁକାବିଲା କରିବ। ଏହି ମ୍ୟାଚ୍ ଆସନ୍ତା ୨୯ ତାରିଖରେ ଆଣ୍ଟିଗୁଆରେ ଖେଳାଯିବ। ନିଜ ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ୪୫ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ଏବଂ ୧୭୪ ରନ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିଲା।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ହୃଷିକେଶ କାନିତକରଙ୍କ ପ୍ରଶିକ୍ଷଣରେ ବିଶ୍ବକପ୍ ଖେଳୁଥିବା ଭାରତୀୟ କନିଷ୍ଠ ଦଳ ଶନିବାର ଓପ୍‌ନର ଅଙ୍ଗକ୍ରିସ୍ ରଘୁବଂଶୀ (୧୪୪) ଓ ରାଜ୍‌ ବାୱା (୧୬୨*)ଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୪୦୫ ରନ୍‌ର ବିଶାଳ ସ୍କୋର କରିଥିଲା। ୪୦୬ ରନ୍‌ର କଷ୍ଟକର ତଥା ଅସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଉଗାଣ୍ଡା ୧୭ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଶେଷରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ୧୯.୪ ଓଭରରେ ମାତ୍ର ୭୯ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ଭାରତ ୩୨୬ ରନ୍‌ରେ ବିଜୟୀ ହୋଇଥିଲା। ପ୍ରତିଯୋଗିତାରେ ଭାରତର ରନ୍ ବ୍ୟବଧାନରେ ଏହା ସର୍ବବୃହତ୍ ବିଜୟ ଥିଲା। ରାଜ୍ ବାୱାଙ୍କୁ ତାଙ୍କ ଅପରାଜିତ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର