ବାର୍ବାଡୋସ : ବାର୍ବାଡୋସରେ ଅନୁଷ୍ଠିତ ଆଇସିସି ଟି-୨୦ ବିଶ୍ବକପର ଏକ ସୁପର-୮ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୪୭ ରନରେ ହରାଇଦେଇଛି । ଭାରତ ପକ୍ଷରୁ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୧୮୨ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଆଫଗାନିସ୍ତାନ ୨୦ ଓଭରରେ ୧୩୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଜମତୁଲ୍ଲା ଓମରଜାଇ ୨୬ ରନ, ନଜିବୁଲ୍ଲା ଜଦରାନ ୧୯ରନ ଓ ଗୁଲବଦିନ ନାଇବ ୧୭ରନ କରିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୩ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ଓପନ କରିଥିବାବେଳେ ରୋହିତ ମାତ୍ର ୮ ରନ କରିଆଉଟ ହୋଇଥିଲେ । ଏହା ପରେ ବିରାଟ ଓ ଋଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । କିନ୍ତୁ ବିରାଟ ୨୪ ଓ ପନ୍ତ ୨୦ ରନ କରି ଆଉଟ ହୋଇଥିଲେ । ଶିବମ ଦୁବେ ମାତ୍ର ୧୦ ରନ କରିଥିଲେ । ତେବେ ସୂର୍ୟ୍ୟକୁମାର ଯାଦବ ଆଜି ଲଢୁଆ ପାଳି ଖେଳି ବହୁମୂଲ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭଲ ପାର୍ଟନରସିପ କରି ଭାରତୀୟ ଇନିଂସକୁ ଆଗେଇ ନେଇଥିଲେ । ପାଣ୍ଡ୍ୟା ୩୨ ରନ କରିଥିଲେ । କିନ୍ତୁ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମାତ୍ର ୭ରନ କରି ଆଉଟ ହୋଇଥିଲେ । ଶେଷ ବେଳକୁ ଅକ୍ଷର ପଟେଲ ୧୨ ରନର ଏକ ଉପଯୋଗୀ ପାଳି ଖେଳିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।