ବାର୍ବାଡସ୍: ସୂର୍ଯ୍ୟକୁମାର ୟାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବରେ ବୋଲିଂ ବାହିନୀ ଭାରତକୁ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସୁପର୍-୮ ପର୍ଯ୍ୟାୟରେ ଜବରଦସ୍ତ ବିଜୟ ଦେଇଛି। ରୋହିତ ଶର୍ମାଙ୍କ ଦଳ ୪୭ ରନ୍ର ବଡ଼ ବ୍ୟବଧାନରେ ଆଫଗାନିସ୍ତାନକୁ ପରାସ୍ତ କରି ଅପରାଜିତ ଧାରାକୁ ଜାରି ରଖିଛି। ଭାରତ ୧୮୧ ରନ୍ ସ୍କୋର୍ କରିବା ପରେ ଆଫଗାନିସ୍ତାନକୁ ୧୩୪ ରନ୍ରେ ଅଲରାଉଟ୍ କରି ଦେଇଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଶନିବାର ବାଂଲାଦେଶ ସହ ଖେଳିବ।
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ଜଗି ରଖି ଖେଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ। ରୋହିତ ୧୩ ବଲ୍ରୁ ୮ ରନ୍ ଏବଂ ବିରାଟ ୨୪ ବଲ୍ରୁ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ରୋହିତଙ୍କୁ ଫଜଲ ଫାରୁକି ଓ କୋହଲିଙ୍କୁ ରସିଦ୍ ଖାନ୍ ଆଉଟ୍ କରିଥିଲେ। ଏହା ଭିତରେ ଋଷଭ ପନ୍ତ୍ ମାତ୍ର ୧୧ ବଲ୍ ଖେଳି ୨୦ ରନ୍ କରିବା ପରେ ରସିଦ୍ ଖାନ୍ଙ୍କ ଶିକାର ହୋଇଥିଲେ। ଆକର୍ଷଣୀୟ ବାଉଣ୍ଡରିମାନ ଖେଳିଥିବା ସୂର୍ଯ୍ୟଙ୍କୁ ଦ୍ବିତୀୟ ଶିକାର କରିଥିଲେ ଫାରୁକି। ଶେଷ ଭାଗରେ ଉପ-ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨୪ ବଲ୍ରୁ ୩୨ ରନ୍ କରିଥିଲେ। ଅକ୍ଷର ପଟେଲ୍ ମଧ୍ୟ ୬ ବଲ୍ରୁ ୨ ଚୌକା ବଳରେ ୧୨ ରନ୍ କରିଥିଲେ। ଫଳରେ ଭାରତ ୧୮୧ ରନ୍ରେ ପହଞ୍ଚି ଯାଇଥିଲା। ଆଫଗାନିସ୍ତାନ ପକ୍ଷରୁ ଦ୍ରୁତ ବୋଲର ଫଜଲହକ୍ ଫାରୁକି ଓ ସ୍ପିନର୍ ରସିଦ୍ ଖାନ୍ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ଆଫଗାନିସ୍ତାନ ଦ୍ରୁତ ବୋଲରମାନେ ପକାଇଥିବା ୧୭ ମନ୍ଥର ବଲ୍ ସହୟତାରେ ଭାରତର ୪ ୱିକେଟ୍ ଦଖଲ କରିବା ଉଲ୍ଲେଖନୀୟ ଥିଲା। ରବୀନ୍ଦ୍ର ଜାଡ଼େଜା ଓ ହାର୍ଦିକ ପାଣ୍ଡ୍ୟା ମଧ୍ୟ ଏଭଳି ବଲ୍ର ଶିକାର ହୋଇଥିଲେ। ନିଜ ନିଜ ଶେଷ ମ୍ୟାଚ୍ରେ ଗୋଟିଏ ଲେଖାଏଁ ପରିବର୍ତ୍ତନ କରି ଉଭୟ ଦଳ ଏହି ମ୍ୟାଚ୍ ଖେଳିଥିଲେ। ମହମ୍ମଦ ସିରାଜଙ୍କ ବଦଳରେ ଭାରତ ସ୍ପିନର୍ କୁଲଦୀପ ୟାଦବଙ୍କୁ ଏବଂ ଆଫଗାନିସ୍ତାନ କରିମ୍ ଜନତଙ୍କ ସ୍ଥାନରେ ହାଜରାତୁଲ୍ଲା ଜଜାଇଙ୍କୁ ଖେଳାଇଥିଲା।