ରୋମାଞ୍ଚକର ବିଜୟ : ଆଫଗାନିସ୍ତାନକୁ ୧୧ ରନ୍‌ରେ ହରାଇଲା ଭାରତ

ସାମିଙ୍କ ହ୍ୟାଟ୍ରିକ୍, ବୁମ୍‌ରା ମ୍ୟାନ୍‌-ଅଫ୍-ଦି-ମ୍ୟାଚ୍‌

ସାଉଥମ୍ପଟନ୍ : ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ଶନିବାର ୧୧ ରନ୍‌ରେ ଆଫଗାନିସ୍ତାନକୁ ହରାଇଛି ଭାରତ। ତା’ ସହ ବିଶ୍ବକପ୍ ବିଜୟ ଧାରା ଅତୁଟ ରଖିଛି। ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ଆଜିର ଏହି ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନ ସ୍ପିନର ଭାରତକୁ ବଡ଼ ସ୍କୋର କରିବାର ସୁଯୋଗ ଦେଇ ନଥିଲେ। ଅଧିନାୟକ ବିରାଟ କୋହଲି ଏବଂ କେଦାର ଯାଦବଙ୍କ ଲଢ଼ୁଆ ଅର୍ଧଶତକ ବଳରେ ହିଁ ଭାରତ ୮ ୱିକେଟ୍ ହରାଇ ୨୨୪ ରନ୍ କରିପାରିଥିଲା। ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆଫଗାନିସ୍ତାନ ଛୋଟ ଛୋଟ ଭାଗୀଦାରିରେ ଭାରତକୁ ପାଣି ପିଆଇ ଦେଇଥିଲା। ହେଲେ ଯଶପ୍ରୀତ ବୁମ୍‌ରାଙ୍କ ଶାଣିତ ୟର୍କର ସାଙ୍ଗକୁ ମହମ୍ମଦ ସାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତ ବିଜୟର ସ୍ବାଦ ଚାଖିଥିଲା। ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୩ ରନ୍‌ରେ ସୀମିତ ରହିଥିଲା।

ଅନ୍ୟପକ୍ଷରେ ଲଢ଼ୁଆ ଖେଳ ଖେଳି ସମସ୍ତଙ୍କ ମନ ଜିତିଥିବା ଆଫଗାନିସ୍ତାନ ଲଗାତାର ଷଷ୍ଠ ପରାଜୟ ବରଣ କରିଥିଲା। ସାମି ହ୍ୟାଟ୍ରିକ୍ ଅର୍ଜନ କରି ୩୨ ବର୍ଷ ତଳେ ଚେତନ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ବିଶ୍ବକପ୍‌ରେ ମଧ୍ୟ ଭାରତ ଶନିବାର ଅର୍ଧଶତକୀୟ ବିଜୟ ହାସଲ କରିଥିଲା। ବୁମ୍‌ରାଙ୍କୁ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ଘୋଷଣା କରାଯାଇଛି।

ଆଫଗାନିସ୍ତାନକୁ ଆଜି ଶେଷ ଓଭରରେ ବିଜୟ ପାଇଁ ୧୬ ରନ୍‌ର ଦରକାର ଥିଲା। ସାମିଙ୍କ ପ୍ରଥମ ବଲ୍‌କୁ ମହମ୍ମଦ ନବି ଚୌକା ମାରିବା ପରେ ଭାରତୀୟ ପ୍ରଶଂସକଙ୍କ ହୃତସ୍ପନ୍ଦନ ବଢ଼ିଯାଇଥିଲା। ଦ୍ବିତୀୟ ବଲ୍‌ରେ ସିଙ୍ଗଲ ନେବାର ସୁଯୋଗ ଥିଲେ ମଧ୍ୟ ନବି ଏହା କରି ନଥି‌ଲେ। ତୃତୀୟ ବଲ୍‌ରେ ସାମି ସଫଳ ପ୍ରତ୍ୟାବର୍ତନ କରିଥିଲେ। ନବିଙ୍କୁ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇବା ପରେ ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଦଶମ ଏବଂ ଏକାଦଶ ସ୍ଥାନ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଫଳରେ ବିଶ୍ବକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ପ୍ରଥମ ବିଜୟ ହାସଲ କରିଥିଲା।

ଆଫଗାନିସ୍ତାନ ସାହସର ସହ ତା’ର ପଶ୍ଚାତଧାବନ ଆରମ୍ଭ କରିଥିଲା। ହଜମ୍ମତୁଲ୍ଲା ଜଜାଇ (୧୦)ଙ୍କୁ ମହମ୍ମଦ ସାମି କ୍ଲିନ୍ ବୋଲ୍ଡ କରି ଭାରତକୁ ସପ୍ତମ ଓଭରରେ ପ୍ରଥମ ସଫଳତା ଉପହାର ଦେଇଥିଲେ। ତେବେ ଅଧିନାୟକ ଗୁଲବଦିନ ନୈବ (୨୭) ଓ ରହମତ ସାହ (୩୬) ଦ୍ବିତୀୟ ୱିକେଟ୍‌ରେ ୪୪ ରନ୍ ଯୋଡ଼ି ଭାରତୀୟ ଶିବିରର ଚିନ୍ତା ବଢ଼ାଇଥିଲେ। ନୈବଙ୍କୁ ହାର୍ଦିକ ପାଣ୍ଡ୍ୟା ବିଜୟ ଶଙ୍କରଙ୍କ ହାତରେ କ୍ୟାଚ୍ କରାଇ ଯୋଡ଼ି ଭାଙ୍ଗିଥିଲେ। ତେବେ ଯଶପ୍ରୀତ ବୁମରାଙ୍କ ଯୁଗଳ ଝଟକା ହିଁ ଆଫଗାନିସ୍ତାନକୁ ଦୋହଲାଇ ‌ଦେଇଥିଲା। ଦ୍ବିତୀୟ ସ୍ପେଲର ପ୍ରଥମ ଓଭରରେ ବୁମରା ପ୍ରଥମେ ରହମତଙ୍କୁ ୟୁଜବେନ୍ଦ୍ର ଚହଲଙ୍କ ଦ୍ବାରା କ୍ୟାଚ୍ କରାଇଥିଲେ। ଏହା ପରେ ନିଜ ଫଲୋ ଥ୍ରୁ’ରେ ଏକ ସୁନ୍ଦର କ୍ୟା‌ଚ୍ ନେଇ ହସମ୍ମତୁଲ୍ଲା ସାହିଦି (୨୧)ଙ୍କୁ ପ୍ୟା‌ଭିଲିୟନ ଫେରାଇ ଦେଇଥି‌ଲେ। ରହମତ-ହସମ୍ମତୁଲ୍ଲା ଏହା ପୂର୍ବରୁ ୪୨ ରନ୍ ଯୋଡ଼ି ନେଇଥିଲେ। ଆଫଗାନିସ୍ତାନ ଛୋଟ ଛୋଟ ଭାଗୀଦାରି କରି ଭାରତ ହାତକୁ ମ୍ୟାଚ୍ ଛଡ଼ାଇ ନେବା ଲକ୍ଷ୍ୟରେ ଥିଲା। ମହମ୍ମଦ ନବି (୫୨ ରନ୍, ୫୫ ବଲ୍, ୪ ଚୌକା, ୧ ଛକା) ଥିବା ପର୍ଯ୍ୟନ୍ତ ଆଫଗାନିସ୍ତାନ ପଲ୍ଲା ଏକପ୍ରକାର ଭାରି ରହିଥିଲା। ତେବେ ଚାପରେ ଭାଙ୍ଗି ନପଡ଼ି ଭାରତ କିନ୍ତୁ ଶେଷରେ ଚମତ୍କାର ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର