ମାଉଣ୍ଟ ମଂଗୁଇ: ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ମୁକାବିଲାରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ହରାଇ ଆତ୍ମବିଶ୍ୱାସର ସହ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ପୃଥ୍ଵୀ ସ’ (୯୪) ଏବଂ ପ୍ରାରମ୍ଭିକ ତାରକା ମନଜ୍ୟୋତ କାଲ୍‌ରା (୮୬)ଙ୍କ ୧୮୦ ରନ୍‌ର ପ୍ରଥମ ଓ୍ଵିକେଟ୍‌ର ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ଭାରତ ଆଜି ୩୨୯ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହା ପରେ କମଲେଶ ନାଗରକଟୀ (୭-୧-୨୯-୩) ଏବଂ ଶିବମ୍‌ ମାଭି (୮.୧-୧-୪୫-୩)ଙ୍କ ଘାତକ ବୋଲିଂରେ କଙ୍ଗାରୁ ଦଳକୁ ୨୨୮ ରନ୍‌ରେ ଅଟକାଇ ୧୦୦ ରନ୍‌ର ଏକତରଫା ବିଜୟ ହାସଲ କରିଥିଲା। ଭାରତ ତା’ର ପରବର୍ତୀ ମ୍ୟାଚ୍‌ରେ ମଙ୍ଗଳବାର ପଡ଼ୋଶୀ ନେପାଳକୁ ଭେଟିବ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍‌ ସ’, କଲରା ଏବଂ ସବମାନ ଗିଲ (୬୩)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୩୨୮ ରନ୍‌ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ୪୨.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୨୨୮ ରନ୍‌ କରି ପାରିଥିଲା। ଏହି ଦଳର ମାତ୍ର ଜଣେ ଖେଳାଳି ଅର୍ଧଶତକ ଅର୍ଜନ କରି ପାରିଥିଲେ।

Advertisment

ସଂକ୍ଷିପ୍ତ ସ୍କୋର: ଭାରତ ୫୦ ଓଭରରେ ୩୨୮/୭ (ପୃଥ୍ଵୀ ସ’ ୯୪, ମନୋଜ କାଲ୍‌ରା ୮୬, ସବନମ ଗିଲ ୬୩, କ୍ୟାଚ୍‌ ଏହଓ୍ଵାର୍ଡସ ୪/୬୫)। ଅଷ୍ଟ୍ରେଲିଆ ୪୨.୫ ଓଭରରେ ୨୨୮ (ଜ୍ୟାକ୍‌ ଏଡଓ୍ଵାର୍ଡସ ୭୩, ବାକ୍ସଟର ହୋଲ୍ଟ ୩୯, ଜୋନାଥନ ମେର୍ଲୋ ୩୮, କମଲେଶ ନାଗରକଟୀ ୩/୨୯, ଶିବମ ମାଭି ୩/୪୫)।

୧୪୬.୮ କିମିରେ ବଲ୍‌ ପକାଇ ଚର୍ଚାରେ କମଲେଶ

publive-image
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୧୯ ବର୍ଷରୁ କମ୍‌ ବିଶ୍ୱକପ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର କମଲେଶ୍‌ ନାଗରକଟୀ ଚର୍ଚାରେ ରହିଥିଲେ। ନିୟମିତ ଘଣ୍ଟାପ୍ରତି ୧୪୦ କିଲୋମିଟରରୁ ଅଧିକ ବେଗରେ ବଲ୍‌ ପକାଇଥିବା ନାଗରକଟୀ ତାଙ୍କ ଗୋଟିଏ ବଲ୍‌ ୧୪୬.୮ କିଲୋମିଟର ବେଗରେ ପକାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ଶିବମ ମାଭି ମଧ୍ୟ ୧୪୫ କିଲୋମିଟର ବେଗରେ ବଲ୍‌ ପକାଉଥିବା ଦେଖିବାକୁ ମିଳିଥିଲା। ଏହି ଦୁଇ କିଶୋର ବୋଲର ମିଳିତ ଭାବେ ୬ ଓ୍ଵିକେଟ୍‌ ନେଇ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଚକିତ କରି ଦେଇଥିଲେ। ଉଭୟ ଶିବମ ଏବଂ ନାଗରକୋଟୀଙ୍କ ପାଖରେ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଦକ୍ଷତା ଥିବା ଏଥିରୁ ପ୍ରମାଣିତ ହୋଇଥିଲା।