ପ୍ରତିଶୋଧ ନେଲା ଭାରତ, ୩୬ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

ଲଣ୍ଡନ : ଚଳିତ କ୍ରିକେଟ୍ ବିଶ୍ବକପ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ରବିବାର ଦିନ ଅନୁଷ୍ଠିତ ମହତ୍ବପୂର୍ଣ୍ଣ ମୁକାବିଲାରେ ଭାରତ ୩୬ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ତା’ସହ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ୨ ମ୍ୟାଚ୍‌ରୁ ୨ ବିଜୟ ପାଇ ପଏଣ୍ଟ୍‌ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କୋହଲି ବାହିନୀ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଗତଥରର ବିଜେତା ଅଷ୍ଟ୍ରେଲିଆକୁ ହରାଇ ଭାରତ ଦାବିଦାରମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏହାସହିତ ଭାରତ ଆଜି ଅଷ୍ଟ୍ରେଲିଆଠୁ ୨୦୧୫ ସେମିଫାଇନାଲ୍‌ ପରାଜୟର ମଧ୍ୟ ପ୍ରତିଶୋଧ ନେଇଛି। ଟିମ୍‌ ଇଣ୍ଡିଆ ତା’ର ପରବର୍ତୀ ମ୍ୟାଚ୍‌ରେ ୧୩ ତାରିଖରେ ନ୍ୟୁଜିଲାଣ୍ଡ୍‌କୁ ଭେଟିବ।

ଶିଖର ଧାୱନ (୧୧୭)ଙ୍କ ଚିତ୍ତାକର୍ଷକ ଶତକ ସହ ରୋହିତ ଶର୍ମା (୫୭) ଓ ବିରାଟ କୋହଲି (୮୨)ଙ୍କ ଅର୍ଧଶତକ ବଳରେ ଭାରତ ୫ ୱିକେଟ୍ ହରାଇ ୩୫୨ ରନ୍‌ର ବିଶାଳ ସ୍କୋର କରିଥିଲା। ହାର୍ଦିକ ପାଣ୍ଡ୍ୟା (୪୮), ମହେନ୍ଦ୍ର ସିଂହ ଧୋନି (୨୭) ଏବଂ ଲୋକେଶ ରାହୁଲ (୧୧) ଦ୍ରୁତ ବ୍ୟାଟିଂରେ ନିଜ ନିଜର ପରାକ୍ରମ ଦେଖାଇଥିଲେ।

୩୫୩ ରନ୍‌ର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ପାଇଁ କାଠିକର ପାଠ ହୋଇଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଏହି ଦଳ ୩୧୬ ରନ୍‌ରେ ସଫା ହୋଇଗଲା। ଅଷ୍ଟ୍ରେଲିଆ ବିପକ୍ଷରେ ଏହାଥିଲା ଭାରତର ୫୦ତମ ଦିନିକିଆ ବିଜୟ। ବିଶ୍ବ କପରେ କିନ୍ତୁ ତଚୁର୍ଥ ବିଜୟ। ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ ୫୦ତମ ଅର୍ଧଶତକ ହାସଲ କରି ଏହାକୁ ସ୍ମରଣୀୟ କରାଇ ଦେଇଥିଲେ।

ରନ୍ ଆଉଟ୍ ରୂପରେ ଅଷ୍ଟ୍ରେଲିଆ ଆଜି ତା’ର ପ୍ରଥମ ୱିକେଟ୍ (ଫିଞ୍ଚ) ହରାଇଥିଲା। ଡେଭିଡ୍ ୱାର୍ନର (୫୬ ରନ୍, ୮୪ ବଲ୍, ୫ ଚୌକା) ଓ ଆରୋନ ଫିଞ୍ଚ (୩୬) କଙ୍ଗାରୁ ପାଳିକୁ ଆଗେଇ ‌ନେଉଥିଲା ବେଳେ ଚତୁର୍ଦଶ ଓଭରର ପ୍ରଥମ ବଲ୍‌ରେ କେଦାର ଯାଦବ ଏକ ସୁନ୍ଦର ଥ୍ରୋ’ରେ ଏହି ଝଟ୍‌କା ଦେଇଥିଲେ। ୱାର୍ନର ଡିପ୍ ପଏଣ୍ଟ୍‌ ଅଞ୍ଚଳକୁ ଖେଳି ଦୁଇ ରନ୍ ଚୋରାଇ ନେବା ଚକ୍କରରେ ଥିଲା ବେଳେ କେଦାରଙ୍କ ଥ୍ରୋ’କୁ ଚତୁରତାର ସହ ସଂଗ୍ରହ କରି ପାଣ୍ଡ୍ୟା ଷ୍ଟମ୍ପ୍ ଭାଙ୍ଗି ଦେଇଥିଲେ। ସେତେବେଳେ ଫିଞ୍ଚ କ୍ରିଜ୍ ବାହାରେ ଥିବାରୁ ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଅଷ୍ଟ୍ରେଲିଆ ୬୧ ରନ୍‌ରେ ତା’ର ପ୍ରଥମ ୱିକେଟ୍ ହରାଇଥିଲା। ୱାର୍ନର ବିପଜ୍ଜନକ ହୋଇଆସୁଥିଲା ବେଳେ ୟୁଜବେନ୍ଦ୍ର ଚହଲ (୧୦-୦-୬୨-୨) ତାଙ୍କ ସ୍ପିନରେ ଚକ୍‌ମା‌ ଦେଇ ଅଷ୍ଟ୍ରେଲିଆକୁ ୧୩୩ ରନ୍‌ରେ ଦ୍ବିତୀୟ ଧକ୍କା ଦେଇଥିଲେ। ୱାର୍ନର ଓ ତୃତୀୟ ସ୍ଥାନରେ ଆସିଥିବା ଷ୍ଟିଭେନ ସ୍ମିଥ୍ (୬୯ ରନ୍, ୭୦ ବଲ୍, ୫ ଚୌକା, ୧ ଛକା) ଦ୍ବିତୀୟ ୱିକେଟ୍‌ରେ ୭୨ ରନ୍ ଯୋଡ଼ିଥିଲେ। ସ୍ମିଥ୍ ପରବର୍ତୀ ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା (୪୨)ଙ୍କ ସହି ମିଶି ଆଉ ଏକ ଭାଗୀଦାରି କରିବାକୁ ଚେଷ୍ଟା କରିଥିଲେ। ଉଭୟଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ୩୬ତମ ଓଭରରେ ୨୦୦ ପୂରଣ କରିଥିଲା। ଖୱାଜାଙ୍କୁ ଚତୁରତାର ସହ ବୋଲ୍ଡ କରି ଯଶପ୍ରୀତ୍‌ ବୁମରା (୧୦-୧-୬୧-୩) ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏହା ପରେ ଭୁବନେଶ୍ବର କୁମାର ‌ଗୋଟିଏ ଓଭରରେ ସ୍ମିଥ୍ ଏବଂ ମାର୍କସ ଷ୍ଟୋଇନିସଙ୍କୁ ଆଉଟ୍ କରି ଭାରତ ପଲ୍ଲା ଭାରି କରି ଦେଇଥିଲେ। ସ୍ମିଥ୍‌ ଏଲ୍‌ବିଡବ୍ଲ୍ୟୁ ଥିଲେ ମଧ୍ୟ ଅମ୍ପାୟାର ତାଙ୍କୁ ନଟଆଉଟ୍ ଘୋଷଣା କରିଥିଲେ। ଭୁବନେଶ୍ବର ତୁରନ୍ତ ରିଭ୍ୟୁ ନେଇ ଏଥିରେ ସଫଳ ହୋଇଥିଲେ ଏବଂ ସ୍ମିଥ କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେହି ଓଭରର ଶେଷ ବଲରେ ଭୁବି ‌ଷ୍ଟୋଇନିସଙ୍କ ଷ୍ଟମ୍ପ ଉଡ଼ାଇ ଦେଇଥିଲେ। ଏହା ପରେ ଧୂଆଁଧାର ବ୍ୟାଟିଂ କରୁଥିବା ଗ୍ଲେନ୍ ମ୍ୟାକ୍ସୱେଲ (୨୮ ରନ୍, ୧୪ ବଲ୍, ୫ ଚୌକା)ଙ୍କୁ ଚହଲ ଆଉଟ୍ କରି ଦେଇଥିଲେ। ଅଷ୍ଟ୍ରେଲିଆ ୪୨ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଏହା ପରେ ଆଲେକ୍ସ କାରେ ( ୫୫* ରନ୍, ୩୫ ବଲ୍, ୫ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ଚିନ୍ତାରେ ପକାଇଥିଲେ। ତେବେ ଅନ୍ୟପଟୁ ଅଷ୍ଟ୍ରେଲିଆର ୱିକେଟ୍ ନେଇ ଚାଲିଥିଲା। ଅଷ୍ଟ୍ରେଲିଆର ଇଣ୍ଡିଜ୍ ବିଜୟର ହିରୋ କୁଲଟର ନାଇଲଙ୍କୁ ବୁମରା ମାତ୍ର ୪ ରନ୍‌ରେ ଦ୍ବିତୀୟ ଶିକାର କରି ନେଇଥିଲେ। ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ବି ଏକ ଅଙ୍କରେ ସୀମିତ ରହିଥିଲେ। ଶେଷ ୱିକେଟ୍ ଭାବେ ଆଦାମ ଜାମ୍ପା ଭୁବିଙ୍କ ଦ୍ବାରା ଶେଷ ବଲ୍‌ରେ ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ବୁମରା ଓ ଭୁବନେଶ୍ବର କୁମାର ତିନିଟି ଲେଖାଏଁ ଏବଂ ଚହଲ ୨ଟି ୱିକେଟ୍ କରାୟତ କରିଥିଲେ। ଶକତୀୟ ପାଳି ପାଇଁ ଶିଖର ଧାୱନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର