ଭାରତ ପାଇଁ ଖୁସି ଆଣିଲା କ୍ରିକେଟ୍‌, ହକି

ରୋହିତ ଶତକରେ ଶୃଙ୍ଖଳା ବିଜୟ, ଅଷ୍ଟ୍ରେଲିଆ ୭ ୱିକେଟ୍‌ରେ ହାରିଲା; ହକି ପ୍ରୋ-ଲିଗ୍‌ : କଳିଙ୍ଗରେ ଜିତିଲା ଭାରତ

ବେଙ୍ଗାଲୁରୁ : ଶୁଭ ରବିବାରରେ ଭାରତକୁ ଏକାଥରକେ ଦୁଇଟି ଖୁସି ଖବର ମିଳିଛି। ଉଭୟ ହକି ଏବଂ କ୍ରିକେଟ୍ ପଡ଼ିଆରେ ଭାରତ ଶୃଙ୍ଖଳା ବିଜୟୀ ହୋଇଛି। ବେଙ୍ଗାଲୁରୁରେ କୋହଲି ବାହିନୀ କଙ୍ଗାରୁ ଶିକାର କରି ନିଜ ଘରେ ଆଉ ଏକ ଶୃଙ୍ଖଳା ବିଜୟ ହାସଲ କରିନେଇଛି। ତା’ ସହ ଅଷ୍ଟ୍ରେଲିଆଠାରୁ ଗତ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଭାରତୀୟ କ୍ରିକେଟ୍ ଦଳ। ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ଶତକ ସହ ଅଧିନାୟକ ବିରାଟ କୋହଲିଙ୍କ ଦାୟିତ୍ବବାନ ୮୯ ରନ୍ ବଳରେ ଭାରତ ୧୫ ବଲ୍ ପୂର୍ବରୁ ନିର୍ଣ୍ଣାୟକ ତୃତୀୟ ଦିନିକିଆକୁ ୭ ୱିକେଟ୍‌ରେ ଜିତି ୨-୧ରେ ଶୃଙ୍ଖଳା ବିଜୟୀ ହୋଇଛି। ରୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ କୋହଲି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି। ସେପଟେ ବରିଷ୍ଠଙ୍କ ବଳିଷ୍ଠ ସଫଳତାରୁ ପ୍ରେରଣା ନେଇ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ କନିଷ୍ଠ ଭାରତୀୟ ଦଳ ଶ୍ରୀଲଙ୍କାକୁ ୯୦ ରନ୍‌ର ବୃହତ୍ ବ୍ୟବଧାନରେ ହରାଇ ଅଭିଯାନ ଆରମ୍ଭ କରିଛି। ଫଳରେ ଭାରତୀୟ କ୍ରୀଡ଼ା ଦୁନିଆରେ ଖୁସିର ଲହରି ଖେଳିଯାଇଛି।

ସ୍ମିଥ୍‌ଙ୍କ ଶତକ ଫିକା:
ଆଜି ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭେନ୍ ସ୍ମିଥ୍‌ଙ୍କ ଶତକ(୧୩୧) ବଳରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଶିଖର ଧାୱନ ଆହତ ହେବା ପରେ ପ୍ରାରମ୍ଭିକ ଯୋଡ଼ି ବଦଳାଇବାକୁ ବାଧ୍ୟ ହୋଇଥିବା ଭାରତ ୪୭.୩ ଓଭରରେ ୨୮୯ ରନ୍ କରି ସହଜ ବିଜୟ ହାସଲ କରିଥିଲା। ଧାୱନ ଆହତ ହେବା ପରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ। ଉଭୟ ଦାୟିତ୍ବବାନ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୬୯ ରନ୍ ଯୋଡ଼ିଥିଲେ। ଆଷ୍ଟନ୍ ଆଗର ରିଭ୍ୟୁ କରି ରାହୁଲଙ୍କ ୱିକେଟ୍ ପାଇବା ପରେ ଭାରତ ତ୍ରୟୋଦଶ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ କୋହଲି ଏବଂ ଉପଅଧିନାୟକ ରୋହିତ ଦ୍ବିତୀୟ ୱିକେଟ୍‌ରେ ୧୩୭ ରନ୍ ଯୋଡ଼ି ଭାରତର ବିଜୟ ପାଇଁ ଦୃଢ଼ ଭିତ୍ତି ପକାଇଥିଲେ। ହିଟ୍ ମ୍ୟାନ୍ ରୋହିତ ୮ ଚୌକା ଓ ୫ ଛକା ସହ ନିଜ ୨୯ତମ ଶତକ(୧୧୯) ହାସଲ କରିଥିଲେ। କୋହଲି ଶୃଙ୍ଖଳାରେ ଲଗାତର ଦ୍ବିତୀୟ ଏବଂ ମୋଟ ଉପରେ ୫୭ତମ ଅର୍ଧଶତକ ଅର୍ଜନ କରିଥିଲେ। ଦଳୀୟ ସ୍କୋର ୨୦୬ ଥିଲା ବେଳେ ରୋହିତଙ୍କୁ ଆଦାମ ଜାମ୍ପା ଶିକାର କରି ନେଇଥିଲେ। ତେବେ କୋହଲି ଏବଂ ଶ୍ରେୟସ୍ ଆୟର (୪୪*) ତୃତୀୟ ୱିକେଟ୍‌ରେ ୬୮ ରନ୍ ଯୋଡ଼ିବା ପରେ ଭାରତ ବିଜୟ ପକ୍କା ହୋଇଯାଇଥିଲା। କୋହଲି ଅବଶ୍ୟ ହାଜେଲଉଡ୍‌ଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇ ଶତକରୁ ବଞ୍ଚିତ ହୋଇଥିଲେ। ହାଜେଲଉଡ୍‌ଙ୍କୁ ଯୁବ ତାରକା ମନୀଷ ପା‌ଣ୍ଡେ ଚୌକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ରୋହିତଙ୍କ ଶତକ ଆଗରେ ସ୍ମିଥ୍‌ଙ୍କ ଶତକ ଫିକା ପଡ଼ି ଯାଇଥିଲା। କୋହଲି (୧୧,୨୦୮) ମଧ୍ୟ ମହେନ୍ଦ୍ର ସିଂହ ଧୋନି (୧୧,୨୦୭)ଙ୍କୁ ଟପି ଅଧିନାୟକ ଭାବେ ସବୁ ଫର୍ମାଟରେ ଭାରତ ପାଇଁ ସର୍ବାଧିକ ରନ୍‌ ହାସଲର କୀର୍ତ୍ତିମାନ କରିଥିଲେ। ଗତ ଗସ୍ତରେ ଅଷ୍ଟ୍ରେଲିଆ ୦-୨ରେ ପଛଆ ରହିବା ପରେ ପାଞ୍ଚ ଟିକିଆ ଶୃଙ୍ଖଳାକୁ ୩-୨ରେ ଜିତି ନେଇଥିଲା। ଏଥର ଭାରତ ୦-୧ରେ ପଛୁଆ ରହିବା ପରେ ଶେଷ ଦୁଇ ଲଢ଼େଇ ଜିତି ୨-୧ରେ ଶୃଙ୍ଖଳା ବିଜୟୀ ହୋଇଥିଲା।

ସାମିଙ୍କ ସୁପର ସୋ’:
ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ସୁହାଉଥିବା ଚିନ୍ନାସ୍ବାମୀ ପିଚ୍‌ରେ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥଙ୍କ ଚିତ୍ତାକର୍ଷକ ଶତକ ସତ୍ତ୍ବେ ଭ୍ରମଣକାରୀ ଦଳ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରି ପାରିଥିଲା। ଦ୍ରୁତ ବୋଲର ମହମ୍ମଦ ସାମି (୧୦-୦-୬୩-୪)ଙ୍କ ନେତୃତ୍ବରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ଅଷ୍ଟ୍ରେଲିଆକୁ ୩୦୦ ରନ୍ ତଳେ ଅଟକାଇ ଦେଇଥିଲେ। ସ୍ମିଥ୍‌ଙ୍କ ଛଡ଼ା ନବାଗତ ତାରକା ମାର୍ନସ ଲବୁସାନେ (୫୪) ଅର୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବଳ ଆଲେକ୍ସ କେରି ୩୫ ରନ୍‌ର ସମ୍ମାନଜନକ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ଆଜି ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାନର୍ର (୩) ଓ ଆରୋନ ଫିଞ୍ଚ୍‌ (୧୯)ଙ୍କୁ ୪୬ ରନ୍ ଭିତରେ ହରାଇଥିଲା। ଏହା ପରେ ସ୍ମିଥ୍ ଓ ଲବୁସାନେ ତୃତୀୟ ୱିକେଟରେ ୧୨୭ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ତେବେ ଲବୁସାନେଙ୍କୁ ରବୀନ୍ଦ୍ର ଜାଦେଜା କୋହଲିଙ୍କ ହାତରେ କ୍ୟାଚ୍ କରାଇ ପ୍ୟାଭିଲିୟନ ଫେରାଇବା ପରେ ସେହି ଓଭରରେ ମିଚେଲ ଷ୍ଟାର୍କଙ୍କୁ ଆଉଟ୍ କରି ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ସ୍ମିଥ୍ କିନ୍ତୁ ଏକାଗ୍ରତା ନହରାଇ ଭାରତ ବିପକ୍ଷରେ ତୃତୀୟ ଏବଂ ମୋଟ ଉପରେ ନବମ ଶତକ ଅର୍ଜନ କରିଥିଲେ। ଆଲେକ୍ସ କେରି (୩୫)ଙ୍କ ସହ ମିଶି ବଡ଼ ଭାଗୀଦାରି କରିବାକୁ ଚେଷ୍ଟା କରିଥିଲେ। ହେଲେ କେରି ମଧ୍ୟ ଭଲ ଆରମ୍ଭରୁ ଫାଇଦା ଉଠାଇ ପାରିନଥିଲେ। କୁଲଦୀପ ଯାଦବ ତାଙ୍କୁ ଶିକାର କରିବା ପରେ ଆଷ୍ଟନ୍ ଟର୍ନର (୪) ନିରାଶ କରିଥିଲେ। ୪୮ତମ ଓଭରର ପ୍ରଥମ ବଲରେ ମହମ୍ମଦ ସାମି ଶ୍ରେୟସ ଆୟରଙ୍କ ହାତରେ ସ୍ମିଥଙ୍କୁ କ୍ୟାଚ୍ କରାଇବା ପରେ କଙ୍ଗାରୁ ଦଳର ୩୦୦ ଟପିବା ଆଶା ମଉଳି ଯାଇଥିଲା। ଅଷ୍ଟ୍ରେଲିଆର ୫ ଜଣ ଖେଳାଳି ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ।

ହକି ପ୍ରୋ-ଲିଗ୍‌ : କଳିଙ୍ଗରେ ଜିତିଲା ଭାରତ
ଭୁବନେଶ୍ବର : ଦେଶର କ୍ରୀଡ଼ା ରାଜଧାନୀ ଭୁବନେଶ୍ବରରେ ଭାରତୀୟ ହକି ଦଳ ମଧ୍ୟ ଭିନ୍ନ ଏକ ଶୃଙ୍ଖଳା ବିଜୟ ହାସଲ କରିଛି। ନେଦରଲାଣ୍ଡ୍ସଠୁ ଭୁବନେଶ୍ବର ଅନୁଷ୍ଠିତ ହକି ବିଶ୍ବକପ୍‌ କ୍ବାର୍ଟର ଫାଇନାଲ୍‌ର ପରାଜୟର ପ୍ରତିଶୋଧ ଭାରତ ସେହି ଭୁବନେଶ୍ବରରେ ନେଇଛି। ସ୍ଥାନୀୟ କଳିଙ୍ଗ ହକି କମ୍ପ୍ଲେକ୍ସରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ବିଶ୍ବ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଘରୋଇ ଦଳ ଅତିଥି ନେଦରଲାଣ୍ଡ୍ସ ବିପକ୍ଷରେ ଯୁଗଳ ବିଜୟ ହାସଲ କରିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ଏହି ଦଳକୁ ୫-୨ରେ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌କୁ ୩-୧ (୩-୩) ସୁଟ୍‌ ଆଉଟ୍‌ରେ ଜିତି ଏହି ସଫଳତା ପାଇଛି। ଏଥିସହ ପ୍ରୋ-ଲିଗ୍‌ରେ ଭାରତ ୬ ପଏଣ୍ଟ୍‌ରୁ ୫ ପଏଣ୍ଟ୍‌ କରାୟତ୍ତ କରିଥିଲା ବେଳେ ବିଶ୍ବ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ନେଦରଲାଣ୍ଡ୍ସ ୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଲା। ସୂଚନାଯୋଗ୍ୟ ଯେ ହକି ବିଶ୍ବକପ୍‌ରେ ନେଦରଲାଣ୍ଡ୍ସ ୨-୧ ଗୋଲ୍‌ରେ ଭାରତକୁ ହରାଇ ସେମିଫାଇନଲ୍‌ରେ ପହଞ୍ଚିଥିଲା। ଭାରତର ଅଭିଯାନ ଏହିଠାରେ ଶେ‌ଷ ହୋଇ ଯାଇଥିଲା ବେଳେ ନେଦରଲାଣ୍ଡ୍ସ ଫାଇନାଲ୍‌ରେ ହାରି ଉପବିଜେତା ହେବାର ଗୌରବ ପାଇଥିଲା।

ସମ୍ବନ୍ଧିତ ଖବର