ସ୍ମରଣୀୟ ଶତକ ସହ ରାହାଣେ ଶ୍ରେଷ୍ଠ ଖେଳାଳି
ପଦାର୍ପଣରେ ଶୁବମନ-ସିରାଜଙ୍କ ଚମକ
୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ
ମେଲବର୍ନ : ବକ୍ସିଂ ଡେ’ ଟେଷ୍ଟ୍କୁ ନେଇ ବଡ଼ବଡ଼ କ୍ରିକେଟ୍ ପଣ୍ଡିତ କରିଥିବା ସବୁ ଆକଳନ, ପୂର୍ବାନୁମାନ ଓ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ବଡ଼ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ୍ ଦଳ। ଅଷ୍ଟ୍ରେଲିଆକୁ ଆଠ ୱିକେଟ୍ରେ ହରାଇ ଆଡିଲେଡ୍ର ଲଜ୍ଜାଜନକ ପରାଜୟର ପ୍ରତିଶୋଧ ଆଜି ମେଲବର୍ନରେ ନେଇଛି। ଏଥିସହିତ ଆଡିଲେଡ୍ରେ ଦ୍ବିତୀୟ ଇନିଂସ୍ରେ ମାତ୍ର ୩୬ ରନ୍ରେ ଅଲଆଉଟ୍ ହେବା ପରେ, ଶୃଙ୍ଖଳାରେ ଭାରତ ଆଉ ଫେରିବାର ପ୍ରଶ୍ନ ଉଠୁନି ବୋଲି କହିଥିବା ନିନ୍ଦୁକଙ୍କ ମୁହଁ ନିଜ ଟାଣୁଆ ପ୍ରଦର୍ଶନ ବଳରେ ବନ୍ଦ କରିଦେଇଛି। ପ୍ରତିଶୋଧର ମିଠାମିଠା ସ୍ବାଦ ଓ ବିଜୟର ଉଲ୍ଲାସରେ କରୋନା କବଳିତ ୨୦୨୦କୁ ବି ବିଦାୟ ଦେଇଛି ଟିମ୍ ଇଣ୍ଡିଆ।
ମଙ୍ଗଳବାର ତୀବ୍ର ଆହ୍ବାନଭରା ଅଷ୍ଟ୍ରେଲିଆ ମାଟିରେ ଭାରତ ସଫଳ ତଥା ଐତିହାସିକ ପ୍ରତ୍ୟାବର୍ତ୍ତନର ସୁନେଲି ଅଧ୍ୟାୟ ସୃଷ୍ଟି କରି ଏହି ମହାବିଜୟ ହାସଲ କରିଛି। ଆଡିଲେଡ୍ର ଅପମାନଜନକ ପରାଜୟର ମଧୁର ପ୍ରତିଶୋଧ ଅଷ୍ଟ୍ରେଲିଆଠାରୁ ମାତ୍ର ୧୦ ଦିନ ଭିତରେ ନେଇଛି ଭାରତୀୟ ବାହିନୀ। ଏକ ଚରମ ବିପର୍ଯ୍ୟୟରୁ ବାହାରି ଅଦମ୍ୟ ସାହସ, ଦୃଢ଼ ମନୋବଳ ଏବଂ ଲଢ଼ୁଆ ଚରିତ୍ରର ବଳିଷ୍ଠ ପରିଚୟ ଦେଇ ମାତ୍ର ଚାରି ଦିନ ଭିତରେ ଏଠାରେ ବିଜୟ ବାନା ଉଡ଼ାଇଛି। ଆଡିଲେଡ୍ ଲଢ଼େଇକୁ ୮ ୱିକେଟ୍ରେ ହାରିଥିବା ଭାରତ ମେଲବର୍ନରେ ଘରୋଇ ଅଷ୍ଟ୍ରେଲିଆକୁ ଠିକ୍ ସେହି ୮ ୱିକେଟ୍ରେ ହରାଇବା କିନ୍ତୁ ଏକ ନିଆରା ଓ ଅପୂର୍ବ ସଂଯୋଗ ହୋଇଛି। ସେହିପରି ଆଡିଲେଡ୍ ଲଢ଼େଇକୁ ଅଢ଼େଇ ଦିନରେ ଜିତି ଅଷ୍ଟ୍ରେଲିଆ ଖ୍ରୀଷ୍ଟମାସ୍ ସମ୍ମାନକୁ ହାତେଇ ନେଇଥିବାବେଳେ ଏବେ ଭାରତୀୟ କ୍ରିକେଟ୍ ଦଳ କିନ୍ତୁ ଆଜିର ବିଜୟ ସହ କୋଟି କୋଟି ପ୍ରଶଂସକଙ୍କୁ ନୂଆବର୍ଷର ଖୁସି ଭେଟି ଦେଇଛି।
ସବୁଠାରୁ ବଡ଼ କଥା ହେଲା, ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି, ଶୃଙ୍ଖଳାରୁ ଅଭିଜ୍ଞ ବୋଲର ମହମ୍ମଦ ସାମି ବାଦ୍ ପଡ଼ିବା ଏବଂ ତୃତୀୟ ଦିନ ଖେଳର ଅଷ୍ଟମ ଓଭର ପରେ ଉମେଶ ଯାଦବ ଆଉ ପଡ଼ିଆକୁ ଓହ୍ଲାଇ ନ ପାରିବା ସତ୍ତ୍ବେ ଭାରତ ମ୍ୟାଚ୍ ଆରମ୍ଭରୁ ଶେଷ ଯାଏଁ ଆଧିପତ୍ୟ ବିସ୍ତାର କରିବା ଏହି ବିଜୟକୁ ଆହୁରି ସ୍ବତନ୍ତ୍ର ଓ ସ୍ମରଣୀୟ କରିଛି। ଚାରି ଟିକିଆ ଶୃଙ୍ଖଳା ୧-୧ ସ୍ଥିତିରେ ପହଞ୍ଚିବା ପରେ ଭାରତ ପାଇଁ ଅଷ୍ଟ୍ରେଲିଆ ମାଟିରେ ଲଗାତାର ଶୃଙ୍ଖଳା ବିଜୟ ହାସଲ କରିବାର ଆଶା ବି ସଂଚାର ହୋଇଛି। ୨୦୧୮-୧୯ ଗସ୍ତରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ସିଡ୍ନି ଓ ବ୍ରିସବେନ୍ରେ ଖେଳାଯିବାକୁ ଥିବା ଶୃଙ୍ଖଳାର ଶେଷ ଦୁଇ ମୁକାବିଲାରେ ଭଲ କରି ସେହି ସଫଳତାକୁ ଦୋହରାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
ପ୍ରଥମ ପାଳିରେ ୧୩୧ ରନ୍ରେ ଆଗୁଆ ରହି ଦ୍ବିତୀୟ ପାଳିରେ ବୋଲର ମାତ୍ର ୧୩୩ ରନ୍ରେ ଅଷ୍ଟ୍ରେଲିଆର ୬ ୱିକେଟ୍ କରାୟତ୍ତ କରିବା ପରେ ସୋମବାର ହିଁ ଭାରତ ବିଜୟ ଏକପ୍ରକାର ପକ୍କା ହୋଇ ଯାଇଥିଲା। ମଙ୍ଗଳବାର ସକାଳୁ କଙ୍ଗାରୁ ଦଳର ବଳକା ୪ ୱିକେଟ୍କୁ ମାତ୍ର ୬୭ ରନ୍ ଭିତରେ ଅକ୍ତିଆର କରିନେଇଥିଲା ଆତ୍ମବିଶ୍ବାସଭରା ଭାରତୀୟ ବୋଲିଂ ବାହିନୀ। ସମତଳ ପିଚ୍ରେ ଭାରତର ଚାରି ବିଶେଷଜ୍ଞ ବୋଲର ଯଶପ୍ରୀତ ବୁମ୍ରା (୨/୫୪), ସିରାଜ (୩/୩୭), ରବିଚନ୍ଦ୍ରନ୍ ଅଶ୍ବିନ (୨/୭୧) ଓ ରବୀନ୍ଦ୍ର ଜାଦେଜା (୨/୨୮) ଅତିରିକ୍ତ ଉଛାଳକୁ ଶକ୍ତି କରି ଅଷ୍ଟ୍ରେଲିଆ ବ୍ୟାଟର୍ଙ୍କୁ ଘାଇଲା କରିଥିଲେ। ଫଳରେ ଭାରତ ସମ୍ମୁଖରେ ୭୦ ରନ୍ର ଏକ ଛୋଟିଆ ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତଥାପି ଆଡିଲେଡ୍ରେ ୩୬ ରନ୍ରେ ଅଲଆଉଟ୍ ହେବାର ଦାରୁଣ ଦୁଃଖକୁ ଭୁଲି ପାରିନଥିବା ଭାରତୀୟ ପ୍ରଶଂସକଙ୍କ ମନରେ ସଂଶୟ ଥିଲା। ସେଥିପାଇଁ ୨ ୱିକେଟ୍ ହରାଇ ଭାରତ ମଙ୍ଗଳବାର ଯେତେବେଳେ ଏହି ଲକ୍ଷ୍ୟକୁ ହାସଲ କରିନେଲା ସେମାନେ ଆଶ୍ବସ୍ତ ଓ ଉଲ୍ଲସିତ ହୋଇଥିଲେ। ତେବେ ଚେତେଶ୍ବର ପୂଜାରା (୩) ଓ ମୟଙ୍କ ଅଗ୍ରୱାଲ (୫)ଙ୍କ ଭଳି ଖେଳାଳି ଏଥର ବି ଖାସ୍ କିଛି କରି ପାରିନଥିଲେ। ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା ଶୁବମନ ଗିଲ କିନ୍ତୁ ପୁଣି ଥରେ ନିଜ ଚମକ ଦେଖାଇଥିଲେ। ଦାୟିତ୍ବସଂପନ୍ନ ଓ ଆକ୍ରମଣାତ୍ମକ ବ୍ୟାଟିଂର ଫେଣ୍ଟାଫେଣ୍ଟିରେ ୩୫ ରନ୍ର ଅପରାଜିତ ପାଳି ଖେଳି ଅଷ୍ଟ୍ରେଲିଆକୁ ଚାପ ସୃଷ୍ଟି କରିବାର କୌଣସି ସୁଯୋଗ ଦେଇନଥିଲେ ସେ। ତେବେ ଭାରତ ବିଜୟର ମୁଖ୍ୟ ନାୟକ ତଥା କାମଚଳା ଅଧିନାୟକ ଅଜିଙ୍କ୍ୟ ରହାଣେ ବିଜୟ ସୂଚକ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ପାଳିରେ ଲଢ଼ୁଆ ଶତକ ସହ ନିଜ କୁଶଳୀ ନେତୃତ୍ବ ଶୈଳୀ ଓ ପ୍ରଭାବୀ ରଣନୀତି ପାଇଁ ଉଚ୍ଚ ପ୍ରଶଂସିତ ହୋଇଥିବା ରାହାଣେ ଦ୍ବିତୀୟ ପାଳିରେ ମଧ୍ୟ ୨୭ ରନ୍ରେ ଅପରାଜିତ ରହି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିଭଳି ତିନିଟି ଟେଷ୍ଟରେ ଭାରତର ଅଧିନାୟକ ଦାୟିତ୍ବ ତୁଲାଇ ତିନିଟି ଯାକ ଜିତିବାର ଶତପ୍ରତିଶତ ସଫଳତା ହାସଲ କରିଥିଲେ ରହାଣେ।
ଦୁଇ ପଦାର୍ପଣକାରୀ ଶୁବମନ ଓ ମହମ୍ମଦ ସିରାଜ (୫/୭୭)ଙ୍କ ରୂପରେ ଭାରତ ମଧ୍ୟ ଦୁଇ ଜଣ ଦକ୍ଷ ଯୁବ ତାରକାଙ୍କୁ ଏହି ମ୍ୟାଚ୍ରୁ ପାଇଥିଲା। ସେପଟେ ଭାରତୀୟ ବୋଲରଙ୍କ ସଠିକ୍ ମୁକାବିଲା କରିବାକୁ ଅସମର୍ଥ୍ୟ ହୋଇଥିବା ଅଷ୍ଟ୍ରେଲିଆ ଦୁଇଟି ଯାକ ପାଳିରେ ୨୦୦ ରନ୍ ଟପି ନ ପାରିବାର ଅପଯଶ ମୁଣ୍ଡାଇଥିଲା। ଦ୍ବିତୀୟ ପାଳିରେ ୧୦୩.୧ ଓଭର ଖେଳି ମାତ୍ର ୨୦୦ ରନ୍ କରିବା ୧୯୮୬ ମସିହା ପରଠାରୁ ଏହି ଦଳର ମନ୍ଥରତମ ବ୍ୟାଟିଂ ଥିଲା। ୧୯୮୮ ମସିହା ପରେ ପ୍ରଥମ ଥର ପାଇଁ କୌଣସି ଘରୋଇ ଟେଷ୍ଟ୍ର ଏକ ପାଳିରେ ମାତ୍ର ୧୦ଟି ଚୌକା ମାରିଥିଲା କଙ୍ଗାରୁ ସେନା। ମେଲବର୍ନରେ ଭାରତ ଓ ଅଷ୍ଟ୍ରେଲିଆ ନିଜ ଦ୍ବିପାକ୍ଷିକ ଶୃଙ୍ଖଳା ଇତିହାସର ଶତକୀୟ ଟେଷ୍ଟ୍ ଖେଳୁଥିଲେ। ଏହି ମାଇଲଖୁଣ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୨୯ତମ ବିଜୟ ହାସଲ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/sportf.jpg)