ଆଡିଲେଡ୍ : ଉତ୍କଣ୍ଠାପୂର୍ଣ୍ଣ ଆଡିଲେଡ୍ ଟେଷ୍ଟ୍‌କୁ ଭାରତ ୩୧ ରନ୍‌ରେ ଜିତି ନେଇଛି। ଶେଷ ଦିନର ୭୦.୫ ଓଭରର ରୋମାଞ୍ଚକର ଲଢ଼େଇରେ ଅଷ୍ଟ୍ରେଲିଆକୁ ଧରାଶାୟୀ କରି କୋହଲି ବାହିନୀ ଏହି ଐତିହାସିକ ସଫଳତା ଲାଭ କରିଛି। ଭାରତ ସୋମବାର ଦୀର୍ଘ ଏକ ଦଶନ୍ଧି ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ବିଜୟର ସ୍ବାଦ ଚାଖିଛି। ସେହିଭଳି ଆଡିଲେଡ୍‌ରେ ଦେଢ଼ ଦଶନ୍ଧି ପରେ ଅଷ୍ଟ୍ରେଲିଆକୁ ହରାଇବାର ଅନନ୍ୟ ସଫଳତା ମଧ୍ୟ ଅର୍ଜନ କରିଛି। ଭାରତ ମଧ୍ୟ ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ କୌଣସି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତିଛି। ଆଡିଲେଡ୍ ଦଖଲ ପରେ କୋହଲି ବାହିନୀ ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ୭୦ ବର୍ଷରୁ ଉର୍ଦ୍ଧ୍ବ ଟେଷ୍ଟ ସଂପର୍କ ମଧ୍ୟରେ ଟିମ୍ ଇଣ୍ଡିଆ ପୂର୍ବରୁ ଅଷ୍ଟ୍ରେଲିଆରେ କୌଣସି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ନଥିଲା।

Advertisment

ଉତଥାନ ପତନ ଭରା ଆଡିଲେଡ୍ ଲଢ଼େଇରେ ଭାରତ ଅଷ୍ଟ୍ରେଲିଆ ସମ୍ମୁଖରେ ୩୨୩ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଘରୋଇ ଅଷ୍ଟ୍ରେଲିଆ ରବିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ବିନିମୟରେ ୧୦୪ ରନ୍ କରି ନେଇଥିଲା। ସେଥିପାଇଁ ସୋମବାର ହାତରେ ୬ ୱିକେଟ୍ ଥାଇ କଙ୍ଗାରୁ ଦଳକୁ ବିଜୟ ପାଇଁ ଆଉ ୨୧୯ ରନ୍‌ ଦରକାର ଥିଲା। ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲା। ଏହା ପୂର୍ବରୁ ଅବଶ୍ୟ ଏହି ଦଳର ଶେଷ ୫ ବ୍ୟାଟ୍ସମ୍ୟାନ୍ ଭାରତକୁ କଡ଼ା ଟକ୍କର ଦେଇଥିଲେ। ପିଚ୍ ବ୍ୟାଟିଂ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିଲେ ମଧ୍ୟ ଘରୋଇ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ନୟାନ୍ତ କରି ଦେଇଥିଲେ। ଏପରିକି ବିଜୟ ପାଇଁ ଶେଷ ୱିକେଟ୍‌ରୁ ଆଉ ୬୪ ରନ୍‌ ଦରକାର ଥିଲା ବେଳେ ନାଥନ ଲିୟନ ଓ ଜୋସ୍ ହାଜେଲଉଡ୍‌ଙ୍କ ଯୋଡ଼ି ୩୨ ରନ୍ ସଂଗ୍ରହ କରି ‌ନେଇଥି‌ଲେ। ଫଳରେ ଭାରତୀୟ ଶିବିରରେ ଛନକା ପଶି ଯାଇଥିଲା। ତେବେ ହାଜେଲଉଡଙ୍କୁ ଆଉଟ୍ କରି ରବିଚନ୍ଦ୍ରନ୍‌ ଅଶ୍ବିନ ଯୋଡ଼ି ଭାଙ୍ଗିବା ସହ ଭାରତକୁ ବହୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଶେଷ ଦିନରେ ଯଶ୍‌ପ୍ରୀତ ବୁମ୍‌ରାଙ୍କ ୩ ୱିକେଟ୍ ସଫଳତା କିନ୍ତୁ ଅଷ୍ଟ୍ରେଲିଆ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ପ୍ରଥମ ପାଳିରେ ୧୨୩ ଏବଂ ଦ୍ବିତୀୟରେ ୭୧ ରନ୍ କରିଥିବା ଚେତେଶ୍ବର ପୂଜାରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସାରା ବିଶ୍ବର ନଜର ଥିବା ଆଡିଲେଡ୍ ଟେଷ୍ଟ୍‌ର ପ୍ରଥମ ପାଳିରେ ଭାରତ ୨୫୦ ରନ୍ କରିଥିଲା। ଏହା ପରେ ଅଷ୍ଟ୍ରେଲିଆକୁ ୨୩୫ ରନ୍‌ରେ ଆଉଟ୍ କରି ୧୫ ରନ୍‌ରେ ଆଗୁଆ ରହିଥିଲା। ଦ୍ବିତୀୟ ପାଳିରେ ଭାରତ ୩୦୭ ରନ୍ କରିବା ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ୩୨୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।