ସିଡନୀ: ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍ରେ ଭାରତୀୟ ଟିମ୍ ଆଜି ଦମ୍ଦାର ପ୍ରଦର୍ଶନ କରିଛି। ବିଶ୍ୱର ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆକୁ ୧୭ ରନ୍ରେ ପରାସ୍ତ କରି ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଭାରତର ବିଜୟରେ ସ୍ପିନର ପୂନମ ଯାଦବଙ୍କ ସ୍ମରଣୀୟ ଭୂମିକା ରହିଛି। ପୂନମ ମାତ୍ର ୧୯ ରନ୍ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି, ଯାହାକି ତାଙ୍କର ଭାରତ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଟିମ୍ ୪ଟି ଓ୍ଵିକେଟ୍ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା। ଫଳରେ କଙ୍ଗାରୁ ଦଳକୁ ୧୩୩ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ପୂନମ ଯାଦବଙ୍କ ବୋଲିଂରେ ଅଷ୍ଟ୍ରେଲିଆର ଖେଳାଳିମାନେ ମୁଣ୍ଡ ଟେକି ପାରି ନ ଥିଲେ। ପୂରା ଟିମ୍ ୧୯.୪ ଓଭରରେ ୧୧୫ ରନ୍ ସଂଗ୍ରହ କରି ଧରାଶୟୀ ହୋଇଯାଇଥିଲା। ଅଷ୍ଟ୍ରେଲିଆ ତରଫରୁ ଏଲିସା ହିଲୀ ସର୍ବାଧିକ ୫୧ ରନ୍ ସଂଗ୍ରହ କରିଥିଲେ।
ଚାରି ଥର ବିଶ୍ୱକମ୍ପ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ପାଇଁ ୧୩୩ ରନ୍ ଲକ୍ଷ୍ୟ ସହଜ ଥିଲା। ଏଲିସା ହିଲୀ ଟିମ୍ ପାଇଁ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ବେଥ ମୁନୀ କେବଳ ୬ ରନ୍ ଯୋଡ଼ିବା ପରେ ଶିଖା ପାଣ୍ଡେଙ୍କ ଦ୍ୱାରା ଆଉଟ୍ ହୋଇ ପାଭଲିଅନ୍ ଫେରି ଆସିଥିଲେ। ସେତେବେଳକୁ ଅଷ୍ଟ୍ରେଲିଆର ସ୍କୋର ୩୨ ରନ୍ ଥିଲା। ଏଲିସା ଆଉଟ୍ ହୋଇଯିବା ପରେ ଅନ୍ୟ ଖେଳାଳିମାନେ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ପାରି ନ ଥିଲେ।
ଭାରତର ଇନିଂସରେ ଦୀପ୍ତି ଶର୍ମା ୪୬ଟି ବଲ ଖେଳି ଅପରାଜିତ ୪୯ ରନ୍ କରିଥିଲେ। ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ୪ ଓଭରରେ କୌଣସି ଓ୍ଵିକେଟ ନହରାଇ ୪୯ ରନ୍ କରିଥିଲା। ଏଥିରେ ସେ ୧୫ଟି ବଲ ଖେଳି ୪ଟି ଚୌକା ସହାୟତାରେ ବ୍ୟକ୍ତିଗତ ୨୯ ରନ୍ ଯୋଡ଼ିଥିଲେ। ସ୍ମୃତି ମନ୍ଧାନା ଦଳ ପାଇଁ ୧୧ ରନ୍ ସଂଗ୍ରହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/India-women.pptx.jpg)