ପୃଥ୍ଵୀ ‘ମିସାଇଲ୍‌’ ସଫଳ, ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତ ୪ର୍ଥ ଥର ଚମ୍ପିଅନ

ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ପରାସ୍ତ, ମନଜୋତଙ୍କ ଦମ୍‌ଦାର ଅପରାଜିତ ଶତକ

ମାଉଣ୍ଟ ମାଉଣ୍ଟଗାନୁଇ(ନ୍ୟୁଜିଲାଣ୍ଡ): ପୃଥ୍ଵୀଙ୍କ ‘ମିସାଇଲ’ ପରୀକ୍ଷଣ ସଫଳ ହୋଇଛି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ କ୍ରିକେଟରେ ଭାରତ ପୁଣି ଥରେ ଇତିହାସ ରଚିଛି। ଫାଇନାଲ ମୁକାବିଲାରେ ଶନିବାର ଅଷ୍ଟ୍ରେଲିଆକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଭାରତ ୪ର୍ଥ ଥର ପାଇଁ ଚମ୍ପିଅନ୍‌ ଟ୍ରଫିର ଅଧିକାରୀ ହୋଇ ପାରିଛି। ଏହା ପୂର୍ବରୁ ଭାରତ ୨୦୦୦, ୨୦୦୮ ଓ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ୱକପ୍‌ରେ ଚମ୍ପିଅନ୍‌ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୬ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା।

ଅଷ୍ଟ୍ରେଲିଆର ପୂରା ଖେଳାଳି ୪୭.୨ଓଭରରେ ପାଭଲିଅନ୍‌ ଫେରି ଆସିଥିଲେ। ଜବାବରେ ଭାରତ ୧୧ ଓଭର ବାକି ଥାଇ ମ୍ୟାଚ୍‌ ଜିଣିଛି। ମନଜୋତ କାରଲୋ ଅପରାଜିତ ୧୦୧ ରନ୍‌ ସଂଗ୍ରହ କରିଥିଲେ। ବିସିସିଆଇ କୋଚ ରାହୁଲ ଦ୍ରାବିଡ଼ଙ୍କୁ ୫୦ ଲକ୍ଷ ଟଙ୍କା, ଟିମ୍‌ର ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କୁ ୨୦-୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି। ବିଜୟ ପରେ ରାହୁଲ କହିଛନ୍ତି, ୧୪ ମାସର ପରିଶ୍ରମର ଫଳ ମିଳିଛି।

ଭାରତୀୟ ବୋଲରମାନେ ସଫଳ ବୋଲିଂ ପ୍ରଦର୍ଶନ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଏକ ବିଶାଳ ସ୍କୋର ଛିଡ଼ା କରିବାକୁ ବିଫଳ ହୋଇଥିଲା। ଈଶାନ ପୋରେଲ, ଅନୁକୁଳ ରାୟ, କମଳେଶ ନାଗରକୋଟ ଓ ଶିଭା ସିଂହ ୨-୨ଟି ଓ୍ଵିକେଟ ନେଇଥିଲେ। ସେହିଭଳି ଶିଭମ ମାଭିଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଭାରତ ପ୍ରତିଟି ମ୍ୟାଚରେ ବିପକ୍ଷି ଦଳକୁ ସମ୍ପୂର୍ଣ୍ଣ ରୂପେ ଆଉଟ୍‌ କରିଛି।

୨୧୭ ରନ୍‌ ବିଜୟ ଲକ୍ଷ ନେଇ ଭାରତ ୨ୟ ପାଳିର ଆରମ୍ଭରୁ ଭଲ ଖେଳିଥିଲା। ଅଧିନାୟକ ପୃଥ୍ଵୀ ସ ଓ ମନଜୋତ କାଲରା ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଉଭୟଙ୍କ ମଧ୍ୟରେ ୭୧ ରନ୍‌ ଭାଗିଦାରୀ ହୋଇ ପାରିଥିଲା। ୪୧ଟି ବଲ ଖେଳି ୨୯ ରନ୍‌ ସଂଗ୍ରହ କରିବା ପରେ ସୁଣ୍ଡରଲାଣ୍ଡଙ୍କ ଦ୍ୱାରା ଅଷ୍ଟ୍ରେଲିଆର ପ୍ରଥମ ଶିକାର ହୋଇଥିଲେ। ପୃଥ୍ଵୀ ପାଭଲିଅନ୍‌ ଫେରିବା ପରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିବା ଶୁଭମନ ଗିଲ ପଡ଼ିଆକୁ ପ୍ରବେଶ କରିଥିଲେ। ଗିଲ ମଧ୍ୟ ଭାରତୀୟ ମୂଳ ନିବାସୀ ଉପ୍ପଲ ଆଉଟ କରିଥିଲେ। ଶୁଭମନ ୩୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ହାର୍ବିକ ଦେଶାଇ ୪୭ ରନ୍‌ ଯୋଡ଼ି ଥିଲେ।

ସମ୍ବନ୍ଧିତ ଖବର