ରାଜକୋଟ ଟି-୨୦: ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ବାଂଲାଦେଶକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଭାରତ

ରାଜକୋଟ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଗୁରୁବାର ବାଂଲାଦେଶକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ନିଜର ୧୦୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ରୋହିତ ୪୩ଟି ବଲ ଖେଳି ୮୫ ରନ୍‌ କରିଛନ୍ତି। ଏଥିରେ ୬ଟି ଚୌକା ଓ ୬ଟି ଛକା ସାମିଲ ଅଛି। ଦ୍ୱିତୀୟ ଇନିଂସରେ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୧୫.୪ ଓଭରରେ ୨ଟି ଓ୍ଵିକେଟ୍‌ ହରାଇ ୧୫୪ ରନ୍‌ କରିଛି। ଦ୍ୱିତୀୟ ଟି-୨୦କୁ ଜିତିବା ସହିତ ଶୃଙ୍ଖଳା ୧-୧ରେ ଜାରି ରହିଛି। ଅନ୍ତିମ ତଥା ତୃତୀୟ ଟି-୨୦ ନାଗପୁରରେ ନଭେମ୍ବର ୧୦ରେ ଖେଳାଯିବ। ଟିମ୍‌ ଇଣ୍ଡିଆ ପାଇଁ ଶିଖର ଧାଓ୍ଵନ ୩୧ ରନ୍‌, ଲୋକେଶ ରାହୁଲ ଅପରାଜିତ ୮ ରନ୍‌ ଓ ଶ୍ରେୟସ ଆୟର ଅପରାଜିତ ୨୪ ରନ୍‌ କରିଥିଲେ।

Hindustan Times

ପ୍ରଥମ ଇନିଂସରେ ଭାରତକୁ ବାଂଲାଦେଶ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଗୁରୁବାର ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା।

ଆରମ୍ଭରୁ ବାଂଲାଦେଶ ଭଲ ବ୍ୟାଟିଂ କରିଥିଲା। ଓପନର ଲିଟନ ଦାସ ଓ ମହମ୍ମଦ ନଇମ୍‌ ପ୍ରଥମ ଓ୍ଵିକେଟ୍‌ରେ ୬୦ ରନ୍‌ ଯୋଡ଼ିଥିଲେ। ଲିଟନ୍‌ ଦାସ ୨୯ ରନ୍‌ରେ ରନ୍‌ଆଉଟ୍‌ ହୋଇଥିଲେ। ମହମ୍ମଦ ନଇମ୍‌ ଟିମ୍‌ ପାଇଁ ସର୍ବାଧିକ ୩୬ ରନ୍‌, ସୌମ୍ୟ ସରକାର ଓ ମହମ୍ମଦୁଲ୍ଲା ୩୦-୩୦ ରନ୍‌ କରିଥିଲେ। ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପାଇଁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୨ଟି ଓ୍ଵିକେଟ ନେଇଥିବା ବେଳେ ଦିପକ ଚହର, ଖଲିଲ ଅହମ୍ମଦ ଓ ଓ୍ଵାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର