କନିଷ୍ଠ ବିଶ୍ବକପ ହକି : କାନାଡାକୁ ୧୩-୧ରେ ହରାଇଲା ଭାରତ

ଭୁବନେଶ୍ବର : ଆଜି କନିଷ୍ଠ ହକି ବିଶ୍ବକପରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ପ୍ରତିଟି ମ୍ୟାଚରେ ହାଇ ଗୋଲସ୍କୋର ହୋଇଛି । କିଛି ସମୟ ପୂର୍ବରୁ ସମାପ୍ତ ଏକ ଲିଗ ମ୍ୟାଚରେ ଭାରତୀୟ ଦଳ କାନାଡାକୁ ୧୩-୧ରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି । ଭାରତୀୟ ଦଳ ପକ୍ଷରୁ ସଂଜୟ ଓ ଅରିଜିତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ସେହିପରି ଓଡ଼ିଆ ପୁଅ ଅଭିଷେକ ଲାକ୍ରା ୫୫ ମିନିଟରେ ଗୋଟିଏ ଗୋଲ କରିଥିଲେ । ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ଭାରତୀୟ ଦଳ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟକୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଛି । ଅରିଜିତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

ଆଜି ସକାଳେ ହୋଇଥିବା ଆଉ ଏକ ମ୍ୟାଚରେ ଆର୍ଜେଣ୍ଟିନା କୋରିଆ ବିପକ୍ଷରେ ୧୪ଟି ଗୋଲ ଦେଇ ବିଶ୍ବ ରେକର୍ଡ କରିଥିଲା । କିନ୍ତୁ ଆର୍ଜେଣ୍ଟିନାର ଏହି ବିଶ୍ବ ରେକର୍ଡ ଗୋଟିଏ ଦିନ ବି ତିଷ୍ଠି ପାରିନଥିଲା । ଅପରାହ୍ଣରେ ହିଁ ସ୍ପେନ ଏହି ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ସ୍ଥାପନ କରିଥିଲା । ସ୍ପେନ ଆମେରିକାକୁ ୧୭-୦ରେ ପରାସ୍ତ କରି ଏକ ନୂଆ ରେକର୍ଡ ସ୍ଥାପନ କରିଛି ।

ସମ୍ବନ୍ଧିତ ଖବର