ପ୍ରଥମ ଦିନିକିଆ : ଇଂଲଣ୍ଡକୁ ୧୦ ଓ୍ବିକେଟରେ ହରାଇଲା ଭାରତ

ଲଣ୍ଡନ : ଲଣ୍ଡନର କେନିଙ୍ଗଟନ ଓଭଲଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୧୧ ରନ ଲକ୍ଷ୍ୟକୁ ଭାରତ କୌଣସି ଓ୍ବିକେଟ ନ ହରାଇ ୧୮.୪ ଓଭରରେ  ହାସଲ କରିନେଇଥିଲା ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବୋଲିଂ କରି ଭାରତୀୟ ବୋଲରମାନେ ଇଂଲଣ୍ଡକୁ ମାତ୍ର ୧୧୦ରନରେ ସୀମିତ ରଖିବା ପରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ବନ ଦଳ ପାଇଁ ଏକ ସହଜ ବିଜୟ ଆଣି ଦେଇଥିଲେ । ରୋହିତ ୭୬ ରନ କରିଥିବାବେଳେ ଶିଖର ୩୧ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ତାରକା ଖଚିତ ଏହି ଦଳର କୌଣସି ବ୍ୟାଟ୍ସମ୍ୟାନ ବୁମରାଙ୍କ ବୋଲିଂର ସାମନା କରିପାରିନଥିଲେ । ଦଳର ୪ ଜଣ ବ୍ୟାଟ୍ସମ୍ୟାନ – ଜାସନ ରଏ, ଜୋଏ ରୁଟ, ବେନ ଷ୍ଟୋକ୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ସେହିପରି ଜନି ବେୟାରଷ୍ଟୋ ୭ ରନ ଓ ମୋଇନ ଅଲି ୧୪ ରନ କରିଥିଲେ । ତେବେ ଅଧିନାୟକ ଜସ ବଟଲର କିଛି ସମୟ କ୍ରିଜରେ ତିଷ୍ଠି ରହି ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ । ସେ ୩୦ ରନ କରି ସାମିଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର