ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ନଭ୍‌ନୀତ୍‌ଙ୍କ ହ୍ୟାଟ୍ରିକ୍‌

ଜାପାନକୁ ୪-୧ରେ ହରାଇଲା ଭାରତ

ଡଙ୍ଘେ ସିଟି (କୋରିଆ): ପଞ୍ଚମ ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାରେ ଦମ୍‌ଦାର ବିଜୟରୁ ପୂର୍ବ ବିଜେତା ଭାରତ ଅଭିଯାନ ଆରମ୍ଭ କରିଛି। ଅଭ୍ୟାସ ମ୍ୟାଚ୍‌ରେ ମାଲେସିଆକୁ ୬-୦ ଗୋଲ୍‌ରେ ପରାସ୍ତ କରି ଆତ୍ମବିଶ୍ୱାସ ବଢ଼ାଇଥିବା ଓଡ଼ିଆ ଝିଅ ସୁନୀତା ଲାକ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାର ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ପ୍ରଥମ ମୁକାବିଲାରେ ବିଶ୍ୱ ମାନ୍ୟତାର ଦ୍ୱାଦଶ ଜାପାନକୁ ୪-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ବିଶେଷକରି ଯୁବା ଅଗ୍ରଭାଗ ଖେଳାଳି ନଭ୍‌ନୀତ୍‌ କୌରଙ୍କ ହ୍ୟାଟ୍ରିକ୍‌ (କ୍ରମାଗତ ତିନି ଗୋଲ୍‌) ହିଁ ଭାରତକୁ ଏକପାଖିଆ ବିଜୟ ଭେଟି ଦେଇଥିଲା। ମ୍ୟାଚ୍‌ ସାରା ପୂରା ଆଧିପତ୍ୟ ବିସ୍ତାର କରି ଖେଳିଥିବା ଭାରତ ପକ୍ଷରୁ ନଭ୍‌ନୀତ୍‌ ସପ୍ତମ, ୨୫ତମ ଓ ୫୫ତମ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଓଡ଼ିଆ ଝିଅ ଅନୁପା ବାର୍ଲା ୫୩ ମିନିଟ୍‌ରେ ଭାରତ ପାଇଁ ତୃତୀୟ ତଥା ବ୍ୟକ୍ତିଗତ ପ୍ରଥମ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇଥିବା ଭାରତ ଚମତ୍କାର ରଣକୌଶଳ ଦ୍ୱାରା ଶକ୍ତିଶାଳୀ ଜାପାନ ରକ୍ଷଣଭାଗକୁ ଚାପରେ ରଖିଥିଲା। ବନ୍ଦନା କାଟାରିୟା ଓ ଓଡ଼ିଆ ଝିଅ ଲିଲିମା ମିଞ୍ଜ୍‌ ମିଳିତ ଭାବେ ଷ୍ଟ୍ରାଇକିଂ ସର୍କଲରେ ଜାପାନକୁ ଘାଇଲା କରିଥିଲେ। ପରେ ବନ୍ଦନାଙ୍କ ପାସ୍‌କୁ ନିୟଂତ୍ରଣକୁ ନେଇ ନଭ୍‌ନୀତ୍‌ ଜାପାନ ଗୋଲ୍‌ରକ୍ଷିକାଙ୍କୁ ଚକ୍‌ମା ଦେଇଥିଲେ। ଏଥି ସହିତ ସପ୍ତମ ମିନିଟ୍‌ରେ ଭାରତ ୧-୦ରେ ଆଗେଇ ଯାଇଥିଲା। ଭାରତୀୟ ଖେଳାଳିଙ୍କ ଗତି, ବଲ୍‌ ପାସିଂ ଏବଂ ସ୍ଥିର ପ୍ରଦର୍ଶନ ଆଗରେ ଜାପାନ ଚାପଗ୍ରସ୍ତ ହୋଇଥିଲା। ଏପରିକି ରକ୍ଷଣ ଭାଗରେ ଅଧିନାୟିକା ସୁନୀତା ଲାକ୍ରାଙ୍କ ଦମ୍‌ଦାର ପ୍ରଦର୍ଶନ ପ୍ରତିପକ୍ଷ ଜାପାନକୁ ଗୋଲ୍‌ କରିବାରେ କୌଣସି ସୁଯୋଗ ଦେଇନଥିଲା। ୨୫ ମିନିଟ୍‌ରେ ପୁଣି ବନ୍ଦନା ଓ ନଭ୍‌ନୀତ୍‌ କମାଲ ଦେଖିବାକୁ ମିଳିଥିଲା। ବନ୍ଦନାଙ୍କ ଚତୁର ପାସ୍‌କୁ ନଭ୍‌ନୀତ୍‌ ଗୋଲ୍‌ପୋଷ୍ଟକୁ ପଠାଇ ଦେଇଥିଲେ। ଫଳରେ ଭାରତ ୨-୦ର ଅଗ୍ରଣୀ ପାଇଥିଲା। ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ଦୁଇଟି ଗୋଲ୍‌ କରିବା ପରେ ତୃତୀୟ କ୍ୱାର୍ଟର ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ତଥାପି ଭାରତ ଲାଗଲାଗ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲା। ମାତ୍ର ଦୀପ୍‌ଗ୍ରେସ୍‌ ଏକ୍କା ଓ ଗୁର୍‌ଜିତ୍‌ କୌର ଏହାକୁ ଗୋଲ୍‌ କରିବାରେ ସଫଳ ହୋଇନଥିଲେ। ଜାପାନ ମଧ୍ୟ ଏହି କ୍ୱାର୍ଟରରେ ଲାଗଲାଗ ତିନିଟି ପେନାଲ୍‌ଟି କର୍ନର ପାଇଥିଲା। ହେଲେ ଅଭିଜ୍ଞ ଭାରତୀୟ ଗୋଲ୍‌ରକ୍ଷିକା ସବିତା ସେଗୁଡ଼ିକୁ ନିଷ୍ଫଳ କରିଦେଇଥିଲେ। ଭାରତର ତୃତୀୟ ଗୋଲ୍‌ ୫୩ ମିନିଟ୍‌ରେ ଅନୁପାଙ୍କ ଷ୍ଟିକ୍‌ରୁ ଆସିଥିଲା। ଉଦିତାଙ୍କ ସହଯୋଗରେ ଅନୁପା ଜାପାନ ରକ୍ଷଣଭାଗ ଭେଦ କରି ଏହି ଗୋଲ୍‌ କରିଥିଲେ। ଶେଷରେ ୫୫ ମିନିଟ୍‌ରେ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରି ନଭ୍‌ନୀତ୍‌ ଭାରତ ବିଜୟ ସୁନିଶ୍ଚିତ କରିଦେଇଥିଲେ। ମ୍ୟାଚ୍‌ର ୫୮ ମିନିଟ୍‌ରେ ଆକି ୟାମାଦା ଜାପାନ ପାଇଁ ଏକମାତ୍ର ସ୍ୱାନ୍ତ୍ୱନାମୂଳକ ଗୋଲ୍‌ କରିଥିଲେ। ହେଲେ ଏହା ଭାରତର ବିଜୟ ଅଭିଯାନରେ କିଛି ବିଗାଡ଼ି ପାରିନଥିଲା।
ଆସନ୍ତାକାଲି ବିଶ୍ରାମ ଦିବସ ଥିଲା ବେଳେ ଭାରତ ତା’ର ଦ୍ୱିତୀୟ ପୁଲ୍‌ ମ୍ୟାଚ୍‌ ଆସନ୍ତା ୧୬ ତାରିଖ ଦିନ ଅନ୍ୟତମ ଶକ୍ତିଶାଳୀ ଦଳ ଚୀନ୍‌ ସହ ଖେଳିବ।

ସମ୍ବନ୍ଧିତ ଖବର