ତୌରଙ୍ଗା (ନ୍ୟୁଜିଲାଣ୍ଡ୍): ପଦାର୍ପଣରେ ବିବେକ୍ ସାଗର ପ୍ରସାଦ ଓ ଦିଲ୍ପ୍ରୀତ୍ ସିଂହଙ୍କ ୨ ଲେଖାଏଁ ଗୋଲ୍ ବଳରେ ଭାରତ ଦୁଇଟି ଚରଣରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ପ୍ରତିଯୋଗିତାରେ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ତୌରଙ୍ଗା ଚରଣ ବୁଧବାରଠୁ ଆରମ୍ଭ ହୋଇଥିଲା ବେଳେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ଜାପାନକୁ ୬-୦ ଗୋଲ୍ରେ ପରାସ୍ତ କରିଦେଇଛି। ବିବେକ ଓ ଦିଲ୍ପ୍ରୀତ୍ଙ୍କ ବ୍ୟତୀତ ଅବଶିଷ୍ଟ ଦୁଇଟି ଗୋଲ୍ ଅଭିଜ୍ଞ ରୂପୀନ୍ଦର ପାଲ୍ ସିଂହ ଓ ଯୁବ ତାରକା ହର୍ମନ୍ପ୍ରୀତ୍ ସିଂହ କରିଥିଲେ।
ଜାପାନ ବିପକ୍ଷ ମ୍ୟାଚ୍ରେ ଭାରତ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ଚମତ୍କାର ଭାବେ ବଲ୍କୁ ନିୟଂତ୍ରଣ ରଖିବା ସାଙ୍ଗକୁ ସାଥୀ ଖେଳାଳିଙ୍କ ନିକଟକୁ ସଠିକ୍ ପାସ୍ ଦେଇ ଭାରତୀୟ ଦଳ ପ୍ରତିପକ୍ଷ ଜାପାନକୁ ଆରମ୍ଭରୁ ଚାପରେ ରଖିଥିଲା। ଫଳସ୍ୱରୂପ ସପ୍ତମ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ନର ମିଳିଯାଇଥିଲା। ଯୁବ ତାରକା ହର୍ମନ୍ପ୍ରୀତ୍ଙ୍କ ଡ୍ରାଗ୍ ଫ୍ଲିକ୍କୁ ପ୍ରତିପକ୍ଷ ରୋକି ଦେଇଥିଲେ ମଧ୍ୟ ଅବରୋଧ ଯୋଗୁଁ ଭାରତକୁ ପେନାଲଟି ଷ୍ଟ୍ରୋକ୍ ମିଳିଥିଲା। ଆଉ ଏହାର ପୂରା ଫାଇଦା ଉଠାଇ ଅଭିଜ୍ଞ ଡ୍ରାଗ୍ ଫ୍ଲିକର ରୂପୀନ୍ଦର ଦଳ ପାଇଁ ପ୍ରଥମ ଗୋଲ୍ କରି ଭାରତକୁ ୧-୦ର ଅଗ୍ରଣୀ ଦେଇଥିଲେ। ଏହାର ୫ ମିନିଟ୍ ପରେ ବିବେକ ତାଙ୍କୁ ଯାଦୁ ଦେଖାଇଥିଲେ। ସେ ୧୨ ମିନିଟ୍ରେ ଜାପାନ ଗୋଲ୍ରକ୍ଷକଙ୍କୁ ଚକ୍ମା ଦେଇ ଦ୍ୱିତୀୟ ଗୋଲ୍ କରିଥିଲା ବେଳେ ୨୮ ମିନିଟ୍ରେ ଜାପାନ ରକ୍ଷଣଭାଗ ଭେଦ କରି ବ୍ୟକ୍ତିଗତ ଦ୍ୱିତୀୟ ତଥା ଦଳ ପାଇଁ ତୃତୀୟ ଗୋଲ୍ କରିଥିଲେ। ଫଳରେ ପ୍ରଥମାର୍ଧ ଶେଷରେ ଭାରତ ୩-୦ରେ ଆଗୁଆ ହୋଇଯାଇଥିଲା। ଏହାପରେ ୩୫ ମିନିଟ୍ରେ ମନ୍ପ୍ରୀତ୍ଙ୍କ ସହାୟତାରେ ଦିଲ୍ପ୍ରୀତ୍ ନିଜର ଦ୍ୱିତୀୟ ପ୍ରୟାସରେ ଜାପାନ ଗୋଲ୍ରକ୍ଷକଙ୍କୁ ପରାସ୍ତ କରି ଭାରତ ପାଇଁ ଚତୁର୍ଥ ଗୋଲ୍ କରିଥିଲେ। ତେବେ ୪୦ ମିନିଟ୍ରେ ଜାପାନ ନିଜର ପ୍ରଥମ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ୍ କରିବାରେ ବିଫଳ ହୋଇଥିଲା। କିନ୍ତୁ ଭାରତ ଏହାର ଗୋଟିଏ ମିନିଟ୍ ପରେ ତଥା ୪୧ ମିନିଟ୍ରେ ପଞ୍ଚମ ଗୋଲ୍ ଲଦି ଦେଇଥିଲା। ହର୍ମନ୍ପ୍ରୀତ୍ ଏହି ଗୋଲ୍ଟି ଦଳ ପାଇଥିବା ଦ୍ୱିତୀୟ ପେନାଲ୍ଟି କର୍ନରରୁ କରି ବ୍ୟବଧାନ ବଢ଼ାଇଥିଲେ। ଶେଷରେ ୪୫ ମିନିଟ୍ରେ ଦିଲ୍ପ୍ରୀତ୍ ଏକ ଗୋଲ୍ କରି ଭାରତକୁ ୬-୦ର ବିଜୟ ଭେଟି ଦେଇଥିଲେ। ଦିଲ୍ପ୍ରୀତ୍ଙ୍କ ଏହା ମ୍ୟାଚ୍ରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ଥିଲା। ଭାରତ ଏହି ଚରଣରେ ତା’ର ପରବର୍ତୀ ତଥା ଦ୍ୱିତୀୟ ମ୍ୟାଚ୍ ଗୁରୁବାର ବେଲ୍ଜିୟମ୍ ସହ ଖେଳିବ।
ମ୍ୟାଚ୍ ଦେଖିଲା ଭାରତୀୟ ଯୁବ କ୍ରିକେଟ୍ ଦଳ
ଭାରତ ଓ ଜାପାନ ହକି ମ୍ୟାଚ୍କୁ ତୌରଙ୍ଗାରେ ଭାରତୀୟ ଯୁବ କ୍ରିକେଟ୍ ଦଳ ବେଶ୍ ଉପଭୋଗ କରିଥିଲା। ସଂପ୍ରତି ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱ କପ୍ ଖେଳିବାକୁ ନ୍ୟୁଜିଲାଣ୍ଡ୍ରେ ଥିବା ଭାରତୀୟ ଦଳର ବୁଧବାର ମ୍ୟାଚ୍ ନଥିଲା। ତେଣୁ ପ୍ରଶିକ୍ଷକ ରାହୁଲ୍ ଦ୍ରାବିଡ୍ଙ୍କ ସମେତ ଦଳର ସବୁ ଖେଳାଳି ହକି ଷ୍ଟାଡିୟମ୍ରେ ଦର୍ଶକ ସାଜି ଭାରତ-ଜାପାନ ମ୍ୟାଚ୍ର ଭରପୁର ମଜା ଉଠାଇଥିଲେ। ମ୍ୟାଚ୍ ବେଳେ ଭାରତୀୟ ଯୁବ କ୍ରିକେଟର୍ମାନେ ଭାରତୀୟ ହକି ଦଳକୁ ଖୁବ୍ ଉତ୍ସାହିତ ମଧ୍ୟ କରିଥିଲେ। ଶେଷରେ ଭାରତୀୟ ହକି ଦଳର ବଡ଼ ବିଜୟରେ କ୍ରିକେଟର୍ମାନେ ଉତ୍ଫୁଲିତ ହୋଇପଡ଼ିଥିଲେ।