ସୁନୀଲଙ୍କ ସ୍ମରଣୀୟ ଶତକ

ଭାରତ ୩-୦ରେ କେନିଆକୁ କନ୍ଦାଇଲା

ମୁମ୍ବାଇ: ଭାରତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଶତକୀୟ ମ୍ୟାଚ୍‌ ସବୁଦିନ ପାଇଁ ସ୍ମରଣୀୟ ହୋଇ ଯାଇଛି। ମୁମ୍ବାଇରେ ଖେଳା ଯାଉଥିବା ଅନ୍ତଃମହାଦେଶୀୟ କପ୍‌ର ଏହି ମ୍ୟାଚ୍‌ରେ ଭାରତ ସୋମବାର ଏକତରଫା ଭାବେ ଆଫ୍ରିକୀୟ ଦେଶ କେନିଆକୁ ୩-୦ ଗୋଲ୍‌ରେ ଧୂଳି ଚଟାଇଛି। ଛେତ୍ରୀ ଏକାକି ଦୁଇଟି ଗୋଲ୍‌ ଦେଇ ଭାରତକୁ ବିଜୟୀ କରାଇଥବା ସହ ନିଜ ମାଇଲଖୁଣ୍ଟ ମ୍ୟାଚ୍‌ରେ ମହାନ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପକ୍ଷରୁ ଅନ୍ୟ ଗୋଲ୍‌ଟି ଜେଜେ ଲାଲପେଖଲୁଆ ଦେଇଥିଲେ। ଆକାଶରୁ ବର୍ଷା ଧାରା ସହ ଭାରତ ଖେଳାଳିଙ୍କ ଜବରଦସ୍ତ ଖେଳରେ କେନିଆ ଖେଳାଳି କାନ୍ଦ କାନ୍ଦ ହୋଇ ଯାଇଥିଲେ।

ଏହି ବର୍ଷା ପ୍ରଭାବିତ ମ୍ୟାଚ୍‌ର ପ୍ରଥମାର୍ଧରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଦ୍ୱିତୀୟାର୍ଧରେ କିନ୍ତୁ ଭାରତ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ଅଧିନାୟକ ଛେତ୍ରୀ ଏଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୬୮ ମିନିଟ୍‌ରେ ଡି’ ଅଞ୍ଚଳରେ ଛେତ୍ରୀଙ୍କୁ ବେଆଇନ ଭାବେ ଅଟକାଇ ଥିଲେ କେନିଆର ମାଇକେଲ୍‌ କିବେଓ୍ଵଜ୍‌। ଫଳରେ ରେଫରି ଭାରତକୁ ପେନାଲ୍ଟି ପ୍ରଦାନ କରିଥିଲେ। ଏହାକୁ ସଫଳତାର ସହ ଗୋଲ୍‌ରେ ରୂପାନ୍ତର କରି ସେ ନିଜ ଶତକୀୟ ମୁକାବିଲାକୁ ସ୍ମରଣୀୟ କରିବା ସହ ଭାରତକୁ ଆଗୁଆ କରି ଦେଇଥିଲେ। ୧୨ ଗଜ ଦୂରରୁ ସୁନୀଲ ମାରିଥିବା ଶକ୍ତିଶାଳୀ ସଟ୍‌କୁ କେନିଆ ଗୋଲ୍‌ ରକ୍ଷକ ପାଟ୍ରିକ୍‌ ମତାସି ହାତ ବାଜାଇ ବାହାରକୁ ଠେଲି ଦେବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ସେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ବଲ୍‌ ତାଙ୍କ ହାତରେ ବାଜି ଗୋଲ୍‌ ପୋଷ୍ଟର ବାମପଟ କୋଣରେ ପ୍ରବେଶ କରିବା ସହ ଭାରତୀୟ ଖେଳାଳିମାନେ ଉଲ୍ଲସିତ ହୋଇ ଖୁସି ମନାଇବା ଆରମ୍ଭ କରିଥିଲେ। ଏହାର ମାତ୍ର ୩ ମିିନିଟ୍‌ ପରେ ଜେଜେ ଲାଲପେଖଲୁଆ ସ୍ଥିତି ୨-୦ କରି ନେଇଥିଲେ। ଡି’ ଅଞ୍ଚଳରେ ହାଲିଚରଣ ନାର୍ଜାରିଙ୍କ ତେରଛା ସଟ୍‌ କେନିଆ ରକ୍ଷଣଭାଗ ଖେଳାଳିଙ୍କ ଗୋଡ଼ରେ ବାଜି ସୌଭାଗ୍ୟବଶତଃ ଜେଜେଙ୍କ ପାଖକୁ ଚାଲି ଆସିଥିଲା। ସେ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ତ୍ରୁଟି କରି ନଥିଲେ। ନିର୍ଧାରିତ ୯୦ ମିନିଟ୍‌ ଖେଳ ପରେ ଆହତ ସମୟର ଦ୍ୱିତୀୟ ମିନିଟ୍‌ରେ ଛେତ୍ରୀ ପୁଣି ଥରେ ତାଙ୍କ କମାଲ ଦେଖାଇଥିଲେ। ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଏବଂ ମ୍ୟାଚର ତୃତୀୟ ଗୋଲ୍‌ ଦେଇ ଭାରତକୁ ଏକତରଫା ଭାବେ ୩-୦ରେ ବିଜୟୀ କରାଇଥିଲେ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଫୁଟ୍‌ବଲର ଦୁଇ କିମ୍ବଦନ୍ତୀ ତାରକା ବାଇଚୁଙ୍ଗ ଭୂତିଆ ଓ ଆଇଏମ୍‌ ବିଜୟନ୍‌ ୧୦୦ ମ୍ୟାଚ୍‌ ସ୍ମୃତି ଫଳକ ଛେତ୍ରୀଙ୍କୁ ପ୍ରଦାନ କରିଥିଲେ।

ଅଜାଡ଼ିଲେ ଅଜସ୍ର ଭଲ ପାଇବା
କେନିଆ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ କରିଥିବା ଭାବବିହ୍ଵଳ ନିବେଦନ ଘରୋଇ କ୍ରୀଡ଼ାପ୍ରେମୀଙ୍କ ମନ ଛୁଇଁ ନେଇଥିଲା। ସେଥିପାଇଁ ସୋମବାର ମ୍ୟାଚ୍‌ର ସବୁ ଟିକେଟ ଲଢ଼େଇ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ବିକ୍ରି ହୋଇ ଯାଇଥିଲା। ସୁନୀଲଙ୍କ ମାଇଲଖୁଣ୍ଟ ମ୍ୟାଚ୍‌ ଦେଖିବା ଲାଗି ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ରବିବାର ଟ୍ଵିଟର୍‌ ପୃଷ୍ଠାରେ ଭିଡିଓ ବାର୍ତା ଜାରି କରି ଛେତ୍ରୀ ଆମକୁ ଗାଳି କର ହେଲେ ମ୍ୟାଚ୍‌ ଦେଖିବାକୁ ଆସ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଆହ୍ଵାନ କରିଥିଲେ। ଯାହାକୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳି ସମର୍ଥନ କରିଥିଲେ। ଦର୍ଶକ ସୋମବାର ସେମାନଙ୍କ ସମ୍ମାନ ରଖିଥିଲେ। ସୂଚନାଯୋଗ୍ୟ ଯେ ଅନ୍ତମହାଦେଶୀୟ କପ୍‌ର ଭାରତ-ଚାଇନିଜ୍‌ ତାଇପେ ମ୍ୟାଚ୍‌ରେ ମାତ୍ର ୨୫୦୦ ଦର୍ଶକ ହୋଇଥିଲେ। ଯାହା ଛେତ୍ରୀଙ୍କୁ ବ୍ୟଥିତ କରିଥିଲା। ସୋମବାର କିନ୍ତୁ ମୁମ୍ବାଇ ଦର୍ଶକ ସୁନୀଲଙ୍କ ସହ ଭାରତୀୟ ଦଳକୁ ଅଜସ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ।

ରୋନାଲଡୋ, ମେସିଙ୍କ ପରେ ତୃତୀୟ

ସୋମବାରର କେନିଆ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀ ୧୦୦ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ କରିଥିଲେ। ୩୩ ବର୍ଷୀୟ ସୁନୀଲ ଏଥିସହ ସିକିମର କିମ୍ବଦନ୍ତୀ ଫୁଟବଲ୍‌ ତାରକା ବାଇଚୁଙ୍ଗ ଭୂତିଆଙ୍କ କ୍ଲବ୍‌ରେ ସାମିଲ ହୋଇଥିଲେ। ସେ ମଧ୍ୟ ଭାରତ ପକ୍ଷରୁ ସର୍ବାଧିକ ଗୋଲ୍‌ ଦେବାର ଧାରାକୁ ଆଗେଇ ନେଇଥିଲେ। ଗୋଲ୍‌ ଦେବାରେ ପୂର୍ବରୁ ଭୂତିଆଙ୍କୁ ପଛରେ ପକାଇ ସାରିଥିବା ଛେତ୍ରୀ ସୋମବାର କେନିଆ ବିପକ୍ଷରେ ଦୁଇଟି ଗୋଲ୍‌ ଦେଇ ନିଜର ମୋଟ ଅନ୍ତର୍ଜାତୀୟ ଗୋଲ୍‌ ସଂଖ୍ୟା ୬୧ରେ ପହଞ୍ଚାଇଥିଲେ। ଏହି କ୍ଷେତ୍ରରେ ସେ ସଂପ୍ରତି ସକ୍ରୀୟ ଥିବା ଖେଳାଳିଙ୍କ ମଧ୍ୟରେ କେବଳ କ୍ରିଷ୍ଟିଆନୋ ରୋନାଲଡୋ (୮୧) ଓ ଲିଓନେଲ୍‌ ମେସି (୬୪)ଙ୍କ ପଛରେ ରହିଛନ୍ତି। ୧୦ ଅଲଗା ଅଲଗା କ୍ଲବରୁ ଖେଳିବାରେ ମଧ୍ୟ ସେ ଦେଶର ପ୍ରଥମ ଖେଳାଳି। ମହମ୍ମଦ ସଲିମ ଏବଂ ବାଇଚୁଙ୍ଗ ଭୂତିଆଙ୍କ ପରେ ଭାରତର ତୃତୀୟ ଖେଳାଳି ଭାବେ ଛେତ୍ରୀ କୌଣସି ବିଦେଶୀ କ୍ଲବ୍‌ରୁ ଖେଳିଛନ୍ତି। ସେ ସ୍ପୋର୍ଟିଂ କାନସାସ୍‌ ସିଟିର ପ୍ରତିନିଧିତ୍ୱ କରି ସାରିଛନ୍ତି। ଛେତ୍ରୀ ୨୦୦୭, ୨୦୧୧, ୨୦୧୩ ଓ ୨୦୧୪ରେ ସର୍ବଭାରତୀୟ ଫୁଟବଲ ସଂଘ ପ୍ରଦତ୍ତ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ସାରିଛନ୍ତି। ୨୦୧୧ରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ଛେତ୍ରୀ ୧୯୮୪ ମସିହା ଅଗଷ୍ଟ ୩ରେ ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦରେ ଜନ୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର