ଭାରତ ୧-୦ରେ ଆଗୁଆ: ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ୍‌-ଏ ହାରିଲା

ବିଶାଖାପାଟଣା: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌-ଏ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ବୁଧବାର ତୃତୀୟ ମ୍ୟାଚ୍‌କୁ ଘରୋଇ ଦଳ ସହଜରେ ଜିତି ନେଇଛି। ଏହା ପୂର୍ବରୁ ପ୍ରଥମ ଦିନିକିଆକୁ ବର୍ଷା ସଂପୂର୍ଣ୍ଣ ଧୋଇ ନେଇଥିଲା ବେଳେ ମଙ୍ଗଳବାର ଦ୍ୱିତୀୟ ଦିନିକିଆ ‘ଟାଇ’ରେ ଶେଷ ହୋଇଥିଲା। ବୁଧବାର ତୃତୀୟ ଦିନିକିଆକୁ ୬ ଓ୍ଵିକେଟ୍‌ ଜିତିନେଇ ଭାରତ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି।
ଟସ୍‌ ଜିତି ବୁଧବାର ନ୍ୟୁଜିଲାଣ୍ଡ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ କର୍ନ ଶର୍ମାଙ୍କ ସ୍ପିନ୍‌ ଜାଲରେ ଛନ୍ଦି ହୋଇ ଭ୍ରମଣକାରୀ ଦଳ ୩୭.୧ ଓଭରରେ ୧୪୩ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କର୍ନ ଶର୍ମା ୮ ଓଭର ବୋଲିଂ କରି ୨୨ ରନ୍‌ରେ ୫ ଓ୍ଵିକେଟ୍‌ ଦଖଲ କରିଥିଲା ବେଳେ ଦୀପକ୍‌ ହୁଦା ୧୭ ରନ୍‌ରେ ୨ ଓ୍ଵିକେଟ୍‌ ପାଇଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଅଧିନାୟକ ନିକୋଲ୍‌ସ (୩୫), କଲିନ୍‌ ମୁନ୍‌ରୋ (୨୯), ବ୍ରୁସ୍‌ (୨୪) ଓ ଓ୍ଵର୍କର (୨୨) ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଅଧିନାୟକ ଶ୍ରେୟସ ଆୟରଙ୍କ ୩୭, ବିଜୟ ଶଙ୍କରଙ୍କ ଅପରାଜିତ ୪୭ ଓ ଦୀପକ୍‌ ହୁଦାଙ୍କ ଅପରାଜିତ ୩୫ ରନ୍‌ ବଳରେ ଭାରତ ୨୪.୪ ଓଭରରେ ବିଜୟ ଲକ୍ଷ୍ୟ ୧୪୪ ରନ୍‌ରେ ପହଞ୍ଚି ଯାଇଥିଲା। ବିଜୟ ଶଙ୍କର ଓ ହୁଦା ଅସମାପ୍ତ ପଞ୍ଚମ ଓ୍ଵିକେଟ୍‌ରେ ୪୨ ବଲ୍‌ରୁ ୫୭ ରନ୍‌ ଯୋଡ଼ି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ।
ଏହା ପୂର୍ବରୁ ମଙ୍ଗଳବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ ରୋମାଞ୍ଚକ ସ୍ଥିତିରେ ଶେଷ ହୋଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ଫିଲିପ୍‌ସ (୧୪୦)ଙ୍କ ଅପରାଜିତ ଶତକ ବଳରେ ୪୨ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୬୯ ରନ୍‌ କରିଥିଲା। ଭାରତ ପକ୍ଷରୁ ସିଦ୍ଧାର୍ଥ କଉଲ ୩, କର୍ନ ଶର୍ମା ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଅଧିନାୟକ ଶ୍ରେୟସ ଆୟରଙ୍କ ୯୦ ଓ ଅଙ୍କିତ ବାଉନେଙ୍କ ଅପରାଜିତ ୮୩ ରନ୍‌ ସହାୟତାରେ ଭାରତ ୪୨ ଓଭରରେ ୯ ଓ୍ଵିକେଟ୍‌ ହରାଇ ସମାନ ୨୬୯ ରନ୍‌ କରିପାରିଥିଲା। ଫଳରେ ମ୍ୟାଚ୍‌ ଟାଇ ରହିଥିଲା।

 

ସମ୍ବନ୍ଧିତ ଖବର