ଟାଇ ପରେ ସୁପର ଓଭର ଉତ୍କଣ୍ଠା : ରୋହିତଙ୍କ ଛକାରେ ହାରିଲା ନ୍ୟୁଜିଲାଣ୍ଡ, ଭାରତ ଶୃଙ୍ଖଳା ବିଜୟୀ

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତଙ୍କ ୧୦,୦୦୦ ଅନ୍ତର୍ଜାତୀୟ ରନ୍

ହାମିଲଟନ୍ : ରୋହିତ ଶର୍ମାଙ୍କ ସ୍ବତନ୍ତ୍ର ଓ ବିଧ୍ବଂସୀ ବ୍ୟାଟିଂ ସହ ଶେଷ ଦୁଇ ବଲ୍‌ରେ ସେ ମାରିଥିବା ଦୁଇଟି ବିଶାଳ ଛକା ବଳରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ଭାରତ ଉତ୍କଣ୍ଠାପୂର୍ଣ୍ଣ ଭାବେ ସୁପରଓଭରରେ ଜିତି ନେଇଛି। ତା’ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ତିନିଟି ମ୍ୟାଚ୍‌ରେ ବିଜୟୀ ହୋଇ ୩-୦ରେ ଆଗୁଆ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି । ନ୍ୟୁଜିଲାଣ୍ଡ ମାଟିରେ ଭାରତର ଏହା ପ୍ରଥମ ଓ ପ୍ରତୀକ୍ଷିତ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିଜୟ।

ବୁଧବାର ସୁପରଓଭରରେ ବିଜୟୀ ହେବା ଲାଗି ଭାରତକୁ ଶେଷ ଦୁଇ ବଲ୍‌ରେ ୧୦ ରନ୍‌ ଦରକାର ଥିଲା। ରୋହିତ ୧୨ ରନ୍ (ଦୁଇଟି ଛକା) କରି ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛାଡ଼ାଇ ଆଣିଥିଲେ। ସେ ମଧ୍ୟ ଭାରତକୁ ଐତିହାସିକ ଶୃଙ୍ଖଳା ବିଜୟ ଉପହାର ଦେଇଥିଲେ। ହିଟ୍ ମ୍ୟାନ୍‌ ଭାବେ ପରିଚିତ ରୋହିତଙ୍କ ହଟ୍ ବ୍ୟାଟିଂ ପାଇଁ ଭାରତ ଲଗାତର ତୃତୀୟ ଅନ୍ତର୍ଜାତୀୟ ଶୃଙ୍ଖଳା ବିଜୟ ପାଇଥିଲା। ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତୁଳନୀୟ ରୋମାଞ୍ଚ ଏବଂ ଶେଷ ବଲ୍ ପର୍ଯ୍ୟନ୍ତ ଲାଗି ରହିଥିବା ଉତ୍କଣ୍ଠା ପାଇଁ ଏହି ମ୍ୟାଚ୍ ଖେଳାଳିଙ୍କ ସହ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅବିସ୍ମରଣୀୟ ହୋଇଯାଇଥିଲା। ସେପଟେ ବିଶ୍ବକପ୍ ଫାଇନାଲ୍ ପରେ ସୁପରଓଭରରେ ନ୍ୟୁଜିଲାଣ୍ଡକୁ ଭାଗ୍ୟ ପୁଣି ଥରେ ସାଥ୍ ଦେଇନଥିଲା।

ନ୍ୟୁଜିଲାଣ୍ଡ ପଞ୍ଝାରୁ ଛଡ଼ାଇ ଆଣିଲେ ମ୍ୟାଚ୍
ଉଭୟ ଦଳ ନିର୍ଧାରିତ ଓଭରରେ ୧୭୯ ରନ୍ କରିବା ପରେ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ଟାଇ ହୋଇ ଯାଇଥିଲା। ସେଥିପାଇଁ ଫଳାଫଳ ନିର୍ଣ୍ଣୟ କରିବାକୁ ସୁପରଓଭର ବା ୱାନ୍ ଓଭର ଏଲିମିନେଟରର ସହାୟତା ନିଆ ଯାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଯଶ୍‌ପ୍ରୀତ ବୁମରାଙ୍କ ଏହି ଓଭରରେ ୧୭ ରନ୍ କରିଥିଲା। ଭାରତକୁ ମ୍ୟାଚ୍ ସହ ଶୃଙ୍ଖଳା ବିଜୟ ପାଇଁ ୧୮ ରନ୍‌ର ଦରକାର ଥିଲା। ଟିମ୍ ସାଇଦିଙ୍କ ଓଭରରୁ ଭାରତ ୨୦ ରନ୍ କରି ବିଜୟର ସ୍ବାଦ ଚାଖିଥିଲା।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ରୋହିତଙ୍କ ୧୦,୦୦୦ ଅନ୍ତର୍ଜାତୀୟ ରନ୍
ହାମିଲଟନ୍‌ରେ ଖେଳା ଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ତିନିଟି ଯାକ ଫର୍ମାଟ୍‌ରେ ୧୦,୦୦୦ ରନ୍ କରିବାରେ ରୋହିତ ଚତୁର୍ଥ ଖେଳାଳି ହୋଇଛନ୍ତି। ତେବେ ଏହି ତାଲିକାର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ରନ୍ ହାର ୫୦ରୁ ଅଧିକ ରହିଛି। ରୋହିତଙ୍କ ଛଡ଼ା‌ ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହବାଗ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ରୋହିତ ଚଳିତ ନ୍ୟୁଜିଲାଣ୍ଡ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ରେ ଯଥାକ୍ରମେ ୭ ଓ ୮ ରନ୍ କରିଥିଲେ। ହେଲେ ତୃତୀୟ ମ୍ୟାଚ୍‌ରେ ସଫଳ ପ୍ରତ୍ୟାବର୍ତନ କରି ଦ୍ରୁତ ଅର୍ଧଶତକ ଅର୍ଜନ କରିଥିଲେ। ଆଜି ସେ ମାତ୍ର ୪୦ ବଲ୍‌ରୁ ୬୫ ରନ୍ କରିଥିଲେ। ସେଥିରେ ୬ ଚୌକା ଏବଂ ୩ ଛକା ଥିଲା।

ୱିଲିୟମ୍‌ସନଙ୍କ ସର୍ବୋଚ୍ଚ ସ୍କୋର୍‌ ବେକାର
୧୮୦ ରନ୍‌ର ପିଛା କରୁଥିବା ଘରୋଇ ନ୍ୟୁଜିଲାଣ୍ଡ ଏକଦା ଦୃଢ଼ ସ୍ଥିତିରେ ଥିଲା। ଶେଷ ଓଭରରେ ସାମିଙ୍କ ଚମତ୍କାର ବୋଲିଂ ସହ ମ୍ୟାଚ୍ ଟାଇ ରହିବା ଏବଂ ଏହା ସୁପରଓଭରରେ ଫୈସଲା ହେବା ନ୍ୟୁଜିଲାଣ୍ଡ-ଇଂଲଣ୍ଡ ବିଶ୍ବକପ୍ ଫାଇନାଲର ସ୍ମୃତିକୁ ଉଜାଗର କରିଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ। ପଶ୍ଚାତଧାବନ ବେଳେ ସେ ଏକାକି ୯୫ ରନ୍ (୪୮ ବଲ୍) କରିଥିଲେ। ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଏହା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ୍ ଥିଲା। ସେହିଭଳି ସୁପରଓଭରରେ ମଧ୍ୟ ସେ ୧୧ ରନ୍ ସଂଗ୍ରହ କରିଥିଲେ। ଭାରତ ଦୁର୍ବଳ କ୍ଷେତ୍ରରକ୍ଷଣ କରିଥିଲା। ଯଶପ୍ରୀତ ବୁମ୍‌ରା (୦/୪୫) ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ମାର୍ଟିନ ଗପ୍ଟିଲ (୩୧ ରନ୍, ୨୧ ବଲ୍) ଦ୍ରୁତ ବ୍ୟାଟିଂ କରିଥିଲେ, ହେଲେ ଠିକଣା ସମୟରେ ନିଜ ୱି‌କେଟ୍ ଫିଙ୍ଗି ଦେଇଥିଲେ। ସେପଟେ ଭାରତ ଶିଭମ ଦୁବେ (୩)ଙ୍କୁ ତୃତୀୟ ସ୍ଥାନରେ ଖେଳାଇଥିଲେ ମଧ୍ୟ ସେ ଏହାର ସମ୍ମାନ ରଖି ନଥିଲେ। ରୋହିତଙ୍କ ଅର୍ଧଶତକ ଛଡ଼ା ଲୋକେଶ ରାହୁଲ ୨୭, ଅଧିନାୟକ କୋହଲି ୩୮, ଶ୍ରେୟସ୍ ଆୟର ୧୭,ରବୀନ୍ଦ୍ର ଜାଦେଜା ୧୯* ଓ ମନୀଷ ପଣ୍ଡେ ୧୪* ରନ୍ କରିଥିଲେ।

ସମ୍ବନ୍ଧିତ ଖବର