ଭାରତକୁ ୫ ଓ୍ଵିକେଟରେ ହରାଇଲା ନ୍ୟୁଜିଲାଣ୍ଡ, ସିରିଜକୁ ୩-୦ ରେ ପୋଛିନେଲା

ବେ ଓଭାଲ : ନ୍ୟୁଜିଲାଣ୍ଡର ମାଉଣ୍ଟ ମୁଙ୍ଗାନୁସ୍ଥିତ ବେ ଓଭାଲ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଏକଦିବସୀୟ ସିରିଜର ୩ୟ ତଥା ଚୂଡ଼ାନ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି । ଭାରତର ୨୯୭ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଯାଇଥିଲା । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜକୁ ୩-୦ ରେ ପୋଛି ନେଇଛି ଓ ଟି-୨୦ ସିରିଜ ପରାଜୟର ପ୍ରତିଶୋଧ ନେଇଛି । ଦଳ ପକ୍ଷରୁ ହେନେରୀ ନିକୋଲାସ ୮୦ ଓ ମାର୍ଟିନ ଗପ୍ଟିଲ ୬୬ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଲୋକେଶ ରାହୁଲଙ୍କ ଆକର୍ଷଣୀୟ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଭାରତୀୟ ଦଳ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଧିନାୟକ ବିରାଟ କୋହଲିଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଅନ୍ୟତମ ଓପନର ପୃଥିବୀ ଶାହା ଓ ଶ୍ରେୟାସ ଆୟାର ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିଥିଲେ । ତେବେ ପୃଥିବୀ ୪୦ ରନରେ ରନଆଉଟ ହେବା ପରେ ଦଳ ପୁଣି ସମସ୍ୟାରେ ପଡ଼ିଥିଲା । କିନ୍ତୁ ଲୋକେଶ ରାହୁଲ ଓ ଆୟାରଙ୍କ ମିଶି ଦଳୀୟ ସ୍କୋରକୁ ଏକ ଦୃଢ ସ୍ଥିତିକୁ ନେଇଥିଲେ । ଲୋକେଶ ରାହୁଲ ୧୧୩ ବଲରୁ ୧୧୨ ରନ ସଂଗ୍ରହ କରିଥିବାବେଳେ ଆୟାର ୬୩ ବଲରୁ ୬୨ ରନ କରିଥିଲେ । ସେହିପରି ମନିଷ ପାଣ୍ଡେ ୪୨ ରନର ଯୋଗଦାନ ଦେଇଥିଲେ ।

ସମ୍ବନ୍ଧିତ ଖବର