ଅଲିମ୍ପିକ୍‌ ବିଜେତା ଇଂଲଣ୍ଡକୁ ହରାଇଲା ମହିଳା ହକି ଦଳ

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରବିବାର ଏକ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଥିଲା। ଗୋଟିଏ ଗୋଲ୍‌ ପଛୁଆ ଥାଇ ମଧ୍ୟ ସଫଳ ପ୍ରତ୍ୟାବର୍ତନ ସହ ଅଲିମ୍ପିକ୍ସ ବିଜେତା ଇଂଲଣ୍ଡକୁ ୨-୧ ଗୋଲ୍‌ରେ ହରାଇ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଥିଲା। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଅଧିନାୟିକା ଆଲେକ୍ସଜାଣ୍ଡ୍ରା ଦାନସନଙ୍କ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ବଳକା ୫୯ ମିନିଟ୍‌ରେ କିନ୍ତୁ ଭାରତୀୟ ଦଳ ଆଧିପତ୍ୟ ବିସ୍ତାର କରିଥିଲା। ବିଶେଷ କରି ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଇଂଲଣ୍ଡକୁ ଭାରତୀୟ ଖେଳାଳିମାନେ ନିଜ ଷ୍ଟିକ୍‌ ଚାଳନାରେ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ୬ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା। ନବନୀତ କୌର (୪୨ ମିନିଟ୍‌) ପ୍ରଥମେ ସ୍ଥିତି ୧-୧ କରିଥିଲେ। ହେଲେ  ଗୁରଜିତ କୌରଙ୍କ ୪୮ ମିନିଟ୍‌ ଗୋଲ୍‌ ହିଁ ଭାରତକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲା।  ଭାରତ ସଂପ୍ରତି ପୁଲ୍‌-ଏରେ ୬ ପଏଣ୍ଟରେ ଥିଲା ବେଳେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ଏଣୁ ଭାରତ ପରବର୍ତୀ ପର୍ଯ୍ୟାୟକୁ ଯିବାର ଆଶା ବଢ଼ି ଯାଇଛି। ଆଜି ମୁକାବିଲାର ପ୍ରଥମ ୫ ମିନିଟ୍‌ରେ ଇଂଲଣ୍ଡ  ଖେଳାଳିମାନେ ଭାରତୀୟ ରକ୍ଷଣଭାଗକୁ ବହୁ ଅଡ଼ୁଆରେ ପକାଇଥିଲେ। ପରେ କିନ୍ତୁ ଭାରତୀୟ ଅଗ୍ରଭାଗ ଖେଳାଳିଙ୍କ ଆକ୍ରମଣକୁ ପ୍ରତିହତ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଥିଲା। ପ୍ରଥମାର୍ଧ ଶେଷ ସୁଦ୍ଧା ୧-୦ରେ ପଛୁଆ ଥିବା ଭାରତୀୟ ଦଳ ମଧ୍ୟାନ୍ତରରେ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କଠାରୁ ପାଇଥିବା ଗୁରୁମନ୍ତ୍ରକୁ କାମରେ ଲଗାଇ ବିଜୟର ସ୍ୱାଦ ଚାଖିଥିଲା।

ପୁରୁଷ ବି ୪-୩ରେ ଜିତିଲେ

ଶନିବାର ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲାକୁ ଅମୀମାଂସିତ ରଖିଥିବା ଭାରତୀୟ ପୁରୁଷ ହକି ଦଳ ରବିବାର ରୋମାଞ୍ଚକର ବିଜୟ ହାସଲ କରିଛି। ଦ୍ୱିତୀୟ ମୁକାବିଲାରେ ଏସ୍‌ ଭି ସୁନୀଲଙ୍କ ୫୯ ମିନିଟ୍‌ ଗୋଲ୍‌ ବଳରେ େଓ୍ଵଲ୍ସକୁ ୪-୩ ଗୋଲ୍‌ରେ ପରାସ୍ତ କରିଛି। େଓ୍ଵଲ୍ସ ପକ୍ଷରୁ ଗ୍ୟାରେଥ ଫରଲଙ୍ଗ (୧୭, ୪୫, ୫୮) ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ମଧ୍ୟ ନିଜ ଦଳର ପରାଜୟକୁ ରୋକି ପାରି ନଥିଲେ।  ଭାରତ ପକ୍ଷରୁ ଦିଲ୍‌ପ୍ରୀତ ସିଂହ ୧୬ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ଏହାର ଏକ ମିନିଟ୍‌ ପରେ ଫରଲଙ୍ଗ ଏହାକୁ ଶୁଝି ଦେଇଥିଲେ।  ୨୮ ମିନିଟ୍‌ରେ ମନ୍‌ଦୀପ ସିଂହଙ୍କ ଗୋଲ୍‌ ବଳରେ ଭାରତ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ଫରଲଙ୍ଗ ୧୭ ମିନିଟ୍‌ ପରେ ଏହି ଗୋଲ୍‌ଟିକୁ ମଧ୍ୟ ଶୁଝି ଦେଇଥିଲେ। ହର୍‌ମନ୍‌ପ୍ରୀତ ସିଂହ ୫୭ ମିନିଟ୍‌ରେ ଭାରତକୁ ଦ୍ୱିତୀୟ ବାର ଆଗୁଆ କରିବାର ଠିକ୍‌ ଏକ ମିନିଟ୍‌ ପରେ ଫରଲଙ୍ଗ ଆଉ ଏକ ଗୋଲ୍‌ ଦେଇଥିଲେ। ଫଳରେ ସ୍ଥିତି ୩-୩ରେ ସମାନ ସ୍ତରରେ ରହିଥିଲା। ହେଲେ ସୁନୀଲଙ୍କ ୫୯ ମିନିଟ୍‌ ଗୋଲ୍‌ ଭାରତ ବିଜୟକୁ ପକ୍କା କରି ଦେଇଥିଲା। ଏହି ଗୋଲ୍‌ଟିକୁ ବଳକା ୧ ମିନିଟ୍‌ ଭିତରେ ଶୁଝି ନପାରି େଓ୍ଵଲ୍ସ ପରାଜୟ ବରଣ କରିଥିଲା।

ସମ୍ବନ୍ଧିତ ଖବର