ପାକିସ୍ତାନ ଧୂଳି ଚାଟିଲା: ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

ଦୁବାଇ: ପାକିସ୍ତାନ କ୍ରିକେଟ୍‌ ଦଳ ଧୂଳି ଚାଟିଛି। ବୁଧବାର ଚଳିତ ଏସିଆ କପ୍‌ର ପଞ୍ଚମ ମୁକାବିଲାରେ ଭାରତ ସେହି ଦଳକୁ ଏକତରଫା ଭାବେ ୮ ଓ୍ଵିକେଟ୍‌ରେ ପରାସ୍ତ କରିଦେଇଛି। ପାକିସ୍ତାନ ଦେଇଥିବା ୧୬୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ୨୧ ଓଭର ପୂର୍ବରୁ ହାସଲ କରିନେଇଛି। ଏହି ବିଜୟ ସହ ଭାରତ ମଧ୍ୟ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷରେ ସପ୍ତମ ବିଜୟ ହାସଲ କରିଛି। ମହା ମୁକାବିଲାର ମାନ୍ୟତା ପାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ପୂରା ବିଫଳ ହୋଇଥିଲା। ବିନା ଲଢ଼େଇରେ ଭାରତ ଆଗରେ ଆତ୍ମସମର୍ପଣ କରିଥିଲା। ସେପଟେ ହଂକଂ ବିପକ୍ଷରେ ସଂଘର୍ଷ କରିଥିବା ଭାରତୀୟ ବୋଲର ଆଜି ନିଜ ଅସଲ ଧାକ୍‌ ଦେଖାଇ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ। ଭାରତୀୟ ବୋଲିଂ ହିଁ ବୁଧବାର ମୁକାବିଲାର ମୁଖ୍ୟ ଆକର୍ଷଣ ଥିଲା। ଭୁବନେଶ୍ୱର କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ରୋହିତ-ଧାଓ୍ଵନଙ୍କ ଦୃଢ଼ ମୂଳଦୁଆ
ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଥିଲା। ହେଲେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ପାକିସ୍ତାନ ପୂରା ଆଣ୍ଠେଇ ଥିଲା। ଫଳରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମ୍ୟାଚ୍‌ ଭାରତ କବ୍‌ଜାରେ ରହିଥିଲା। ଘରକୁ କେହି ଯାଉ ନଥିବାରୁ ଦୁବାଇକୁ ପାକିସ୍ତାନ ନିଜ ଦ୍ୱିତୀୟ ଘର କରିଛି। ହେଲେ ସେହି ଦୁବାଇରେ ହିଁ ଭାରତୀୟ ବୋଲରଙ୍କ ଆଗରେ ଏହି ଦଳର ସବୁ ଚାଲ୍‌ ବିଫଳ ହୋଇଥିଲା। ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂର ସମ୍ମୁଖୀନ ହୋଇନପାରି ପାକିସ୍ତାନ ଆଜି ମାତ୍ର ୧୬୨ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ୧୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୨ ଓ୍ଵିକେଟ୍‌ ବିନିମୟରେ ଓ ୨୯ ଓଭରରେ ହାସଲ କରି ଗତବର୍ଷ ଲଣ୍ଡନ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେଇଥିଲା। ସେହିଭଳି ଏସିଆ କପ୍‌ରେ ଲଗାତାର ବିଜୟ ପାଇଥିଲା। ଅଧିନାୟକ ରୋହିତ ଶର୍ମା (୫୨) ଭାରତ ବିଜୟ ଅଭିଯାନର ନେତୃତ୍ୱ ନେଇଥିଲେ। ଶିଖର ଧାଓ୍ଵନ (୪୬)ଙ୍କ ସହ ମିଶି ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ୮୬ ରନ୍‌ ଯୋଡ଼ିଥିଲେ। ଏହା ପରେ ଅମ୍ବାତି ରାୟୁଡୁ (୩୧*) ଓ ଦୀନେଶ କାର୍ତିକ (୩୧*) ଅବିଭାଜିତ ତୃତୀୟ ଓ୍ଵିକେଟ୍‌ରେ ୬୦ ରନ୍‌ ଯୋଡ଼ି ଭାରତ ବିଜୟରେ ମୁଣ୍ଡି ମାରିଥିଲେ।

ଭୁବି-କେଦାର ବୋଲିଂ କମାଲ
ପାଗ ବଦଳିଲା ଭଳି ୨୪ ଘଣ୍ଟା ଭିତରେ ବଦଳି ଯାଇଥିଲା ଭାରତୀୟ ବୋଲରଙ୍କ ବୋଲିଂର ଧାର। ଦୁର୍ବଳ ହଂକଂ ବିପକ୍ଷରେ କଳଙ୍କି ଲଗା ଛୁରି ଭଳି ପ୍ରତୀୟମାନ ହୋଇଥିବା ଭାରତୀୟ ବୋଲିଂ ଆଜି ଶାଣିତ ଧାର ଥିବା ଖଣ୍ଡା ଭଳି ପାକିସ୍ତାନ ପାଳିକୁ କାଟି ପକାଇଥିଲା। ଭୁବନେଶ୍ୱର କୁମାର (୭-୧-୧୫-୩) ଓ ଅଲରାଉଣ୍ଡର କେଦାର ଯାଦବ (୯-୧-୨୩-୩) ଏହାର ନେତୃତ୍ୱ ନେଇଥିଲେ। ଭୁବି ଓ କେଦାରଙ୍କ ସହ ସ୍ପିନର କୁଲଦୀପ ଯାଦବ (୮-୦-୩୭-୧) ପାକିସ୍ତାନ ଶୀର୍ଷକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ପରେ ଯଶ୍‌ପ୍ରୀତ ବୁମରା (୭.୧-୨-୨୩-୨) ନିମ୍ନକ୍ରମକୁ ଧୂଳି ଚଟାଇଥିଲେ। ବୁମରା ଏବଂ ଭୁବି କିନ୍ତୁ ମିଳିତ ଭାବେ ଆରମ୍ଭରୁ ରନ୍‌ ହାର ଉପରେ ଅଙ୍କୁଶ ଲଗାଇ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଭୁଲ କରିବାକୁ ବାଧ୍ୟ କରିଥିଲେ। ଭୁବି ୩ ରନ୍‌ ଭିତରେ ଇମାମ-ଉଲ୍‌-ହକ୍‌ ଏବଂ ଫକର ଜମନ (୦)ଙ୍କୁ ଆଉଟ୍‌ କରି ପାକିସ୍ତାନକୁ ୫ ଓଭର ଭିତରେ ଯୁଗଳ ଝଟ୍‌କା ଦେଇଥିଲେ। ଏହାପରେ ବାବର ଆଜମ (୪୭) ଏବଂ ସୋଏବ ମଲ୍ଲିକ (୪୩) ୮୩ ରନ୍‌ର ଭାଗୀଦାରି କରି ସ୍ଥିତି ସଜାଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ କୁଲଦୀପ ବାବରଙ୍କୁ ବୋଲ୍ଡ କରି ଯୋଡ଼ି ଭାଙ୍ଗିବାର ୧୧ ରନ୍‌ ପରେ ହିଁ ଅମ୍ବାତି ରାୟୁଡୁ ସହଜରେ ବଡ଼ ସଟ୍‌ ଖେଳୁଥିବା ମଲ୍ଲିକଙ୍କୁ ରନ୍‌ ଆଉଟ୍‌ କରି ଭାରତକୁ ପୁଣି ଥରେ ଖେଳକୁ ଫେରାଇ ଆଣିଥିଲେ। ଏହା ପରେ ପାକିସ୍ତାନ ନୟମିତ ଓ୍ଵିକେଟ୍‌ ହରାଇ ୪୩.୧ ଓଭରରେ ମାତ୍ର ୧୬୨ ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା। ପାକିସ୍ତାନର ଶେଷ ୬ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ କେବଳ ଦୁଇ ଜଣ ଦୁଇ ଅଙ୍କ ଛୁଇଁ ପାରିଥିଲେ।

ହଂକଂ ହୃଦୟ ଜିତିଲା
ଦୁବାଇ: ହଂକଂ ବିପକ୍ଷ ପ୍ରଭାବହୀନ ବିଜୟ ସହିତ ଭାରତର ଏସିଆ କପ୍‌ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍‌ରେ ଶିଖର ଧାଓ୍ଵନଙ୍କ ଧମାକାଦାର ଶତକ ବଳରେ ଭାରତ ୨୮୫ ରନ୍‌ କରିଥିଲା। ଜବାବରେ ବିନା ଓ୍ଵିକେଟ୍‌ରେ ୧୭୪ ରନ୍‌ କରି ଲଢ଼ୁଆ ବ୍ୟାଟିଂ କରିଥିବା ହଂକଂ ଶେଷରେ ସୁଯୋଗ ହାତଛଡ଼ା କରିଥିଲା। ଏହି ଦଳ ୨୫୯/୮ରେ ସୀମିତ ରହିବାରୁ ଭାରତ ଅପ୍ରତ୍ୟାଶିତ ଭାବେ ୨୬ ରନ୍‌ରେ ମ୍ୟାଚ୍‌ ଜିତିଯାଇଥିଲା। ୨୮୬ ରନ୍‌କୁ ପିଛା କରିଥିବା ହଂକଂ ପାଇଁ ଓଡ଼ିଆ ଅଧିନାୟକ ଅଂଶୁମାନ ରଥ (୭୩, ୯୭ ବଲ୍‌, ୪ ଚୌକା, ୧ ଛକା) ଏବଂ ନିଜାକତ ଖାନ୍‌ (୯୨, ୧୧୫ ବଲ୍‌, ୧୨ ଚୌକା, ୧ ଛକା) ପ୍ରଥମ ଓ୍ଵିକେଟ୍‌ ପାଇଁ ୧୭୪ ରନ୍‌ ଯୋଡ଼ିଥିଲେ। ତୃତୀୟ ଥର ପାଇଁ ଭାରତ ୩୩ ଓଭର ଭିତରେ ଗୋଟିଏ ବି ଓ୍ଵିକେଟ୍‌ ପାଇନଥିଲା। ଅଂଶୁମାନଙ୍କୁ ଆଉଟ୍‌ କରି କୁଲଦୀପ ଯାଦବ ହଂକଂକୁ ପ୍ରଥମ ଝଟ୍‌କା ଦେବା ପରେ ପ୍ରଥମ ପଦାର୍ପଣ କରିଥିବା ୨୦ ବର୍ଷୀୟ ଖଲିଲ୍‌ ଅହମ୍ମଦ ୨ ଓ୍ଵିକେଟ୍‌ ନେଇ ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହା ପରେ ଗୋଟିଏ ଓଭରରେ ୟୁଜବେନ୍ଦ୍ର ଚହଲ ଯୁଗଳ ଓ୍ଵିକେଟ୍‌ ନେଇ ଭାରତକୁ ବିଜୟ ମୁହାଁ କରିଥିଲେ। ଶେଷ ଭାଗରେ ହଂକଂ ସେଭଳି କିଛି କରିସ୍ମା କରି ନପାରି ପରାଜୟ ବରଣ କରିଥିଲା। ପ୍ରଥମ ପଦାର୍ପଣରେ ବାମହାତୀ ଦ୍ରୁତ ବୋଲର ଖଲିଲ୍‌ ଅହମ୍ମଦ ପ୍ରଭାବୀ (୩/୪୮) ବୋଲିଂ କରିଥିଲେ। ଚହଲ ଓ କୁଲଦୀପ ମିଳିଭାବେ ୫ ଓ୍ଵିକେଟ୍‌ ନେବା ନିର୍ଣ୍ଣାୟକ ହୋଇଥିଲା।

ସମ୍ବନ୍ଧିତ ଖବର