ପାକିସ୍ତାନକୁ ୪-୦ରେ ହରାଇଲା ଭାରତ:ଚାମ୍ପିଅନ୍ସ ଟ୍ରଫି ହକି ଆରମ୍ଭ

ବ୍ରେଦା (ନେଦରଲାଣ୍ଡ), : ଶୁକ୍ରବାର ଦୁବାଇରେ ଷଡ଼ରାଷ୍ଟ୍ରୀୟ ମାଷ୍ଟର୍ସ କବାଡ଼ି ପ୍ରତିଯୋଗିତାରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ଶନିବାର ହକିରେ ବି ସମାନ ପ୍ରତିଦ୍ୱନ୍ଦ୍ୱୀକୁ ବଡ଼ ବ୍ୟବଧାନରେ ପରାସ୍ତ କରି ଷଡ଼ରାଷ୍ଟ୍ରୀୟ ଚାମ୍ପିଅନ୍‌ସ ଟ୍ରଫିରେ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଆରମ୍ଭ ହୋଇଥିବା ଚାମ୍ପିଅନ୍‌ସ ଟ୍ରଫି ହକିରେ ଉଦ୍‌ଘାଟନୀ ମୁକାବିଲା ଦୁଇ ପଡୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା। ସାରା ବିଶ୍ୱ ମଧ୍ୟ ଏହି ମ୍ୟାଚ୍‌କୁ ଚାହିଁ ବସିଥିଲେ। ତେବେ ପ୍ରଥମ ଥର ଲାଗି ଚାମ୍ପିଅନ୍‌ସ ଟ୍ରଫି ଜିତିବାର ଲକ୍ଷ୍ୟ ରଖିଥିବା ଭାରତ ଏଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନକୁ ୪-୦ ଗୋଲ୍‌ରେ ପରାସ୍ତ କରିଦେଲା। ଯାହାକି ଭାରତ ସହିତ ପ୍ରଶିକ୍ଷକ ହରେନ୍ଦ୍ର ସିଂହଙ୍କ ପାଇଁ ଦମ୍‌ଦାର ଆରମ୍ଭ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଭାରତର ପୂର୍ବତନ ପ୍ରଶିକ୍ଷକ ରୋଏଲାଣ୍ଟ୍‌ ଓଲ୍‌ଟମାନ୍‌ସ ଏବେ ପାକିସ୍ତାନର ପ୍ରଶିକ୍ଷକ ଥିଲା ବେଳେ ତାଙ୍କ ଝଟ୍‌କା ଲାଗିଛି।
ପାକିସ୍ତାନ ବିପକ୍ଷରେ ଦୀର୍ଘ ବର୍ଷ ଧରି ଆଧିପତ୍ୟ ବିସ୍ତାର କରିଆସୁଥିବା ଭାରତ କିନ୍ତୁ ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଟକି ଯାଇଥିଲା। ଏକ ସମୟରେ ୨-୦ ଗୋଲ୍‌ରେ ଆଗୁଆ ରହିଥିବା ଭାରତ ଶେଷରେ ୨-୨ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖି ପାକିସ୍ତାନ ସହ ପଏଣ୍ଟ୍‌ ବାଣ୍ଟିଥିଲା।

ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖରାପ ପ୍ରଦର୍ଶନ ସହ ପଦକରୁ ବଞ୍ଚିତ ହୋଇଥିବା ଭାରତୀୟ ହକି ଦଳ ଶନିବାରଠୁ ଆରମ୍ଭ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନକୁ କୌଣସି ବି ସୁଯୋଗ ଦେଇନଥିଲା। ପ୍ରତିବଦଳରେ ଗୋଟିଏ ପରେ ଗୋଟିଏ ଗୋଲ୍‌ ଲଦି ଚାଲିଥିଲା। ରମଣଦୀପ୍‌ ସିଂହ ହିଁ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟର ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ହିଁ ରମଣଦୀପ୍‌ (୨୫ ମିନିଟ୍‌) ଗୋଲ୍‌ କରି ଭାରତକୁ ପ୍ରଥମାର୍ଧରେ ୧-୦ର ଅଗ୍ରଣୀ ଦେଇଥିଲେ। ସିମ୍ରନ୍‌ଜିତ୍‌ଙ୍କଠୁ ପାଇଥିବା ପାସ୍‌କୁ ରମଣଦୀପ୍‌ ଗୋଲ୍‌ କରିବାରେ କୌଣସି ତ୍ରୁଟି କରିନଥିଲେ। ଅବଶ୍ୟ ଦ୍ୱିତୀୟ କ୍ୱାର୍ଟରରେ ଭାରତ ଦୁଇଟି ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ଗୋଲ୍‌ କରିପାରିନଥିଲା। ଏହାପରେ ପାକିସ୍ତାନ ଏକ ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ତାହାକୁ ନିସ୍ଫା କରିଦେଇଥିଲେ। ହେଲେ ଦ୍ୱିତୀୟାର୍ଧ ଆରମ୍ଭରୁ ପାକିସ୍ତାନ ଗୋଟିଏ ଗୋଲ୍‌ କରିଦେଇଥିଲା। ମାତ୍ର ରେଫରିଙ୍କ ନିଷ୍ପତ୍ତି ବିରୋଧରେ ଭାରତ ରେଫରାଲ୍‌ର ଆଶ୍ରୟ ନେଇଥିଲା। ବଲ୍‌ ଷ୍ଟିକ୍‌ରେ ନବାଜି ପାଦରେ ବାଜିଥିବାରୁ ପାକିସ୍ତାନ ଗୋଲ୍‌ ଖାରଜ ହୋଇଯାଇଥିଲା। ପୁଣି ତୃତୀୟ କ୍ୱାର୍ଟର ଶେଷ ହେବାକୁ ୧୧ ମିନିଟ୍‌ ଥିଲା ବେଳେ ପାକିସ୍ତାନ ବଲ୍‌କୁ ଭାରତୀୟ ନେଟ୍‌ ଆଡକୁ ନେଇଯାଇଥିଲା।

ଗୋଲ୍‌ ସୁଯୋଗ ଥିଲେ ମଧ୍ୟ ପୁଣି ଥରେ ଶ୍ରୀଜେସ୍‌ ଏହାକୁ ଅଟକାଇ ଦେଇଥିଲେ। ସେହିପରି ଚତୁର୍ଥ ତଥା ଶେଷ କ୍ୱାର୍ଟରେ ମଧ୍ୟ ପାକିସ୍ତାନର ସୁଯୋଗ ବ୍ୟର୍ଥ ଯାଇଥିଲା। ଶ୍ରୀଜେସ୍‌ଙ୍କ ଚମତ୍କାର ଗୋଲ୍‌ରକ୍ଷଣ ହିଁ ଭାରତକୁ ଗୋଲ୍‌ ବରଣରୁ ବଞ୍ଚିତ କରିଥିଲା। ତେବେ ଭାରତ ଶେଷ କ୍ୱାର୍ଟରରେ ହିଁ ୩ ଗୋଲ୍‌ ଲଦି ପାକିସ୍ତାନକୁ ନିରାଶ କରିଦେଇଥିଲା। ଚତୁର୍ଥ କ୍ୱାର୍ଟରରେ ପ୍ରଥମେ ଯୁବ ତାରକା ତଥା ୧୭ ବର୍ଷ ବୟସ୍କ ଦିଲ୍‌ପ୍ରୀତ୍‌ (୫୪ ମିନିଟ୍‌) ଏବଂ ଏହାପରେ ମନ୍‌ଦୀପ୍‌ (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତର ବ୍ୟବଧାନ ୩-୦ରେ ପହଞ୍ଚାଇ ଦେଇଥିଲେ। ମ୍ୟାଚ୍‌ର ୫୫ ମିନିଟ୍‌ରେ ଆଟାକିଂ ଲାଇନ୍‌କୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ତା’ର ଗୋଲ୍‌ରକ୍ଷକଙ୍କୁ କାଢି ନେଇଥିଲା। ଫଳରେ ପାକିସ୍ତାନ ଗୋଲ୍‌ପୋଷ୍ଟ ମୁକୁଳା ପଡ଼ିଯାଇଥିଲା। ଏହାର ସୁଯୋଗରେ ମନ୍‌ଦୀପ୍‌ ତୃତୀୟ ଗୋଲ୍‌ କରିଥିଲା ବେଳେ ପୂରା ଚାପରେ ରହିଥିବା ପାକିସ୍ତାନ ଗୋଟିଏ ବି ଗୋଲ୍‌ ଶୁଝିବାରେ ସମର୍ଥ ହୋଇନଥିଲା। ଶେଷକ୍ଷଣରେ ରମଣଦୀପ୍‌ଙ୍କ ପାସ୍‌କୁ ସଦୁପଯୋଗ କରି ଲଲିତ୍‌ ଉପାଧ୍ୟାୟ ଭାରତ ପାଇଁ ଚତୁର୍ଥ ଗୋଲ୍‌ କରିଥିଲେ। ଏଥି ସହିତ ଭାରତ ୪-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଆମେ ପ୍ରଥମ ମ୍ୟାଚ୍‌ ଜିତିବା ମନୋବଳ ବଢାଇଦେଲା। ପ୍ରତିଯୋଗିତାର ଏହି ଉଦ୍‌ଘାଟନୀ ମ୍ୟାଚ୍‌ ଜିତିବା ମଧ୍ୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତ-ପାକିସ୍ତାନ ଲଢ଼େଇର ଗୁରୁତ୍ୱକୁ ସମସ୍ତେ ଜାଣିଛନ୍ତି। ସେହି ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ବୋଲି ମ୍ୟାଚ୍‌ ଶେଷରେ ମନ୍‌ଦୀପ୍‌ ସିଂହ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଭାରତ ତା’ର ଦ୍ୱିତୀୟ ତଥା ପରବର୍ତୀ ମ୍ୟାଚ୍‌ ରବିବାର ଅଲିମ୍ପିକ୍‌ ବିଜେତା ଆର୍ଜେଣ୍ଟିନା ସହ ଖେଳିବ।

ସମ୍ବନ୍ଧିତ ଖବର