ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହା ସହିତ ସିରିଜକୁ ୨-୨କୁ ଆଣିବାରେ ସକ୍ଷମ ହୋଇଛି ଭାରତ ।
ଭାରତ ଦ୍ବାରା ରଖାଯାଇଥିବା ୧୭୦ରନର ବିଜୟ ଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ଭାରତ ପକ୍ଷରୁ ଅଭେସ ଖାଁ ୪ଟି ଓ ଯୁଜବେନ୍ଦ୍ର ଚହଲ ୨ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଋତୁରାଜ ଗାଇକ୍ବାଡ ୫ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୪ ରନରେ ଆଉଟ ହୋଇଥିଲେ । ଇଶାନ କିଷନ ୨୭ ରନ କରିଥିବାବେଳେ ଋଷଭ ପନ୍ତ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ ।
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପାର୍ଟନରସିପ ବଳରେ ଭାରତ ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲା । ପାଣ୍ଡ୍ୟା ୪୬ ରନ କରିଥିଲେ । ଭାରତର ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।