ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଲା ଟିମ୍ ଇଣ୍ଡିଆ

ବିଶାଖାପାଟଣା : ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ସିରିଜକୁ ୨-୧ ସ୍ତରକୁ ନେଇ ଆସିଛି ଭାରତ । ସିରିଜ ଜିତିବାକୁ ହେଲେ ଭାରତକୁ ଆଗାମୀ ୨ଟି ମ୍ୟାଚ ଜିତିବାକୁ ହେବ ।

ଭାରତ ପକ୍ଷରୁ ରଖାଯାଇଥିବା ୧୮୦ ରନର ଲକ୍ଷ୍ୟର ଜବାବରେ ଦକ୍ଷିଣ ଆଫ୍ରିକା ୧୩୧ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ।  ହେନରିକ କ୍ଲାସେନ ୨୯ ରନ କରିଥିବାବେଳେ ରେଜା ହେଣ୍ଡରିକ୍ସ ୨୩ରନ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ ୪ଟି ଓ ଯୁଜବେନ୍ଦ୍ର ଚହଲ ୩ଟି ଓ୍ବିକେଟ ନେଇଥିଲେ ।

ଏହି  ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ  ୧୭୯ ରନ କରିଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାତ୍ର ଦୁଇ ଓପନର ଆଉଟ ହେବା ପରେ ଟିମ ଇଣ୍ଡିଆର ମଧ୍ୟକ୍ରମ ପୁଣି ନିରାଶ କରିଥିଲେ । ଶ୍ରେୟସ ଆୟର ୧୪ ରନ କରିଥିବାବେଳେ ଋଷଭ ପନ୍ତ ୬ ରନ ଓ ଦିନେଶ କାର୍ତ୍ତିକ ୬ ରନ କରି ଆଉଟ ହୋଇଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୧ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।

 

ସମ୍ବନ୍ଧିତ ଖବର