କେପ୍ଟାଉନ୍ ଓ ସେଞ୍ଚୁରିଅନ୍ ପରାଜୟ ପରେ ଜୋହାନେସ୍ବର୍ଗରେ ଭାରତୀୟ ଦଳ ବିଜୟୀ ହୋଇଛି। ଓ୍ଵଣ୍ଡରର୍ସ ପଡ଼ିଆରେ ଶନିବାର ଦକ୍ଷିଣ ଆଫ୍ରିକାକୁ ୬୩ ରନରେ ହରାଇ ଭାରତ ଟେଷ୍ଟ୍ ଶୃଙ୍ଖଳା ପରାଜୟକୁ ୧-୨ରେ ଶେଷ କରି ସମ୍ମାନ ରଖିଛି। ମହମ୍ମଦ ସାମିଙ୍କ ୫ ଓ୍ଵିକେଟ୍ ସଫଳତା ବଳରେ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିକୁ ୧୭୭ ରନରେ ଶେଷ କରି ଦେଇଥିଲେ। ମାତ୍ର ୪୯ ରନ୍ ଭିତରେ ଶେଷ ୯ ଓ୍ଵିକେଟ୍ ହରାଇ ଦକ୍ଷିଣ ଆଫ୍ରିକା ମଧ୍ୟ ୩-୦ ଶୃଙ୍ଖଳା ବିଜୟରୁ ବଞ୍ଚିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ମାଟିରେ ଏହା ଭାରତର ତୃତୀୟ ବିଜୟ। ଫେବ୍ରୁଆରି ପହିଲାରୁ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ।
ଜୋହାନେସ୍ବର୍ଗ :ଓ୍ଵଣ୍ଡରର୍ସର ବିତର୍କିତ ପିଚ୍ ଓ ବିବାଦକୁ ପଛରେ ପକାଇ ଭାରତୀୟ ଦଳ ୬୩ ରନ୍ରେ ବିଖ୍ୟାତ ବିଜୟ ହାସଲ କରିଛି। ଏଥି ସହ ବିରାଟ ବାହିନୀର ଦକ୍ଷିଣ ଆଫ୍ରିକା ଗସ୍ତ ଟେଷ୍ଟ୍ ଇଜ୍ଜତ ରହିଯାଇଛି। ଘରୋଇ ଦଳ ୨-୧ରେ ଶୃଙ୍ଖଳା ଜିତି ନେଇଥିଲେ ମଧ୍ୟ ୩-୦ ବିଜୟର ଦମ୍ଭୋକ୍ତି ଫସର ଫାଟିଛି। ଜୋହାନେସ୍ବର୍ଗରେ ଭାରତ ମଧ୍ୟ ନିଜର ଅପରାଜେୟ କୀର୍ତିକୁ ଅତୁଟ ରଖିଲା। ପୂର୍ବରୁ ଏଠାରେ ୪ ଟେଷ୍ଟ୍ ଖେଳି ଭାରତ ୧ ଜିତିଥିବା ବେଳେ ୩ ଅମୀମାଂସିତ ରଖିଥିଲା। ଦକ୍ଷିଣ ଆଫ୍ରିକା ମାଟିରେ କିନ୍ତୁ ଭାରତର ଏହା ତୃତୀୟ ଟେଷ୍ଟ୍ ବିଜୟ। ୨୦୦୬ରେ ଜୋହାନେସ୍ବର୍ଗରେ ରାହୁଲ ଦ୍ରାବିଡ଼ଙ୍କ ଦଳକୁ ଶାନ୍ତାକୁମାର ଶ୍ରୀଶାନ୍ତଙ୍କ ୮ ଓ୍ଵିକେଟ୍ ବିଜୟ ଦେଇଥିଲା। ୨୦୧୦ରେ ଧୋନିଙ୍କ ଦଳ ଡର୍ବାନ୍ ଟେଷ୍ଟ୍ ଜିତିଥିଲା।
ଜୋହାନେସ୍ବର୍ଗର ଓ୍ଵଣ୍ଡରର୍ସ ପିଚ୍ ପ୍ରଥମ ଦିନରୁ ଚର୍ଚାରେ ରହିଥିଲେ ମଧ୍ୟ ଶୁକ୍ରବାର ତୃତୀୟ ଦିନରେ ଏହା ବିବାଦର ମୋଡ଼ ନେଇଥିଲା। ଡିନ୍ ଏଲଗାରଙ୍କ ହେଲମେଟ୍ରେ ବଲ୍ ବାଜିବା ଏବଂ ଲଗାତାର ଭାବେ ବଲ୍ ବ୍ୟାଟସମ୍ୟାନ୍ଙ୍କ ଶରୀରରେ ଲାଗିବାରୁ ଅମ୍ପାୟାର୍ ଖେଳାଳିଙ୍କୁ ଡ୍ରେସିଂ ରୁମ୍ ନେଇଯାଇଥିଲେ। ପିଚ୍ ବିପଜ୍ଜନକନ ବୋଲିଂ ମତ ପ୍ରକାଶ ପାଉଥିଲେ ମଧ୍ୟ ଦୁଇ ଅଧିନାୟକଙ୍କ ସହିତ ଅମ୍ପାୟାର୍ ଆଲୋଚନା କରିଥିଲେ। ଶେଷକୁ ବର୍ଷା ତୃତୀୟ ଦିନକୁ ଆଗୁଆ ଶେଷ କରି ଦେଇଥିଲା। ସେତେବେଳେକୁ ଭାରତ ୨୪୭ ରନ୍ରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକାକୁ ୨୪୧ ରନ୍ର ବିଜୟ ଲକ୍ଷ୍ୟ ଦେଇ ସାରିଥିଲା।
ଭୁବି ମ୍ୟାଚ୍ର ଶ୍ରେଷ୍ଠ, ଫିଲାଣ୍ଡର୍ ଶୃଙ୍ଖଳାର ଶ୍ରେଷ୍ଠ
ଶନିବାର କିନ୍ତୁ ପିଚ୍ ବିଦାଦ ମୁଣ୍ଡ ଟେକିନଥିଲା। ସକାଳୁଆ ବର୍ଷା ଓ ଓଦା ପଡ଼ିଆ କାରଣରୁ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ୧୭/୧ରୁ ଖେଳି ଦକ୍ଷିଣ ଆଫ୍ରିକା ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଆଉ କୌଣସି ଓ୍ଵିକେଟ୍ ନ ହରାଇ ୬୯ ରନ୍ ସଂଗ୍ରହ କରି ନେଇଥିଲା। ବିରତି ପରେ ମଧ୍ୟ ଡିନ୍ ଏଲଗାର ଏବଂ ହାସିମ୍ ଆମଲା ତାଙ୍କ ଧୈର୍ଯ୍ୟ ଓ ସଂଯମ ଚରିତ୍ରର ନିଦର୍ଶନ ଦେଖାଇଥିଲେ। ଦ୍ୱିତୀୟ ଓ୍ଵିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ହୋଇଥିବା ୧୧୯ ରନ୍ର ଭାଗୀଦାରି ଭାରତ ହାତରୁ ଏକପ୍ରକାର ମ୍ୟାଚ୍ ଛଡ଼ାଇ ନେଇଥିଲା। ଏହି ଭାଗୀଦାରି ଅଲଗା ହେବା ମାତ୍ରେ ଭାରତ ପାଇଁ ବାଟ ଫିଟିଯାଇଥିଲା। ଈଶାନ୍ତ ଶର୍ମା ଲଗାତାର ଭାବେ ହାସିମ୍ ଆମଲା (୫୨, ୧୪୦ ବଲ୍) ଏବଂ ଫାପ୍ ଡୁ ପ୍ଲେସିସ୍ (୨)ଙ୍କୁ ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହା ପରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା। ଚା’ପାନ ବିରତି ପରେ ଫାପ୍ ଡୁ ପ୍ଲେସିସ୍ଙ୍କୁ ଈଶାନ୍ତ ବୋଲଡ୍ କରିଦେବାଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକା ନିଜର ଶେଷ ୭ ଓ୍ଵିକେଟ୍କୁ ମାତ୍ର ୩୩ ରନ୍ରେ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଡିନ୍ ଏଲଗାର (୮୬*, ୨୪୦ ବଲ୍, ୯ ଚୌକା, ୧ ଛକା) ଗୋଟିଏ ପାର୍ଶ୍ୱରେ ଜମି ରହିଥିଲେ ମଧ୍ୟ ଅପରପାର୍ଶ୍ୱକୁ ଭାରତୀୟ ବୋଲର ସାମିଙ୍କ ନେତୃତ୍ୱରେ ସଫା କରି ଦେଇଥିଲେ। ଲୁଙ୍ଗି ଏନଗିଡି (୪)ଙ୍କୁ ବଦଳ ଓ୍ଵିକେଟରକ୍ଷକ ଦୀନେଶ କାର୍ତିକଙ୍କ ହାତରେ କ୍ୟାଚ୍ କରାଇ ମହମ୍ମଦ ସାମି ନିଜର ତୃତୀୟ ୫ ଓ୍ଵିକେଟ୍ ସଫଳତା ସହିତ ଭାରତକୁ ୮ ବର୍ଷ ପରେ ଦକ୍ଷିଣ ଆଫ୍ରିକାରେ ବିଜୟ ଭେଟି ଦେଇଥିଲେ। ଭୁବନେଶ୍ୱର କୁମାର ନିଜର ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦକ୍ଷିଣ ଆଫ୍ରିକା ବୋଲର ଭର୍ନାନ୍ ଫିଲାଣ୍ଡର୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ। ଏହା ପରେ ଫେବ୍ରୁଆରି ପହିଲାରୁ ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ।
ଜୋହାନେସ୍ବର୍ଗ ବିଜୟ ସହିତ ଭାରତ ମଧ୍ୟ ଆସନ୍ତା ଏପ୍ରିଲ୍ ମାସ ବେଳକୁ ଆଇସିସିର ଶୀର୍ଷ ମାନ୍ୟତାକୁ ସୁରକ୍ଷିତ ରଖିଥିବାରୁ ଟେଷ୍ଟ୍ ଚାମ୍ପିଅନସିପ୍ ଗଦାକୁ ଲଗାତାର ବର୍ଷ ଜିତିବା ନିଶ୍ଚିତ ହୋଇଛି। ଏ ବାଦଦ ଭାରତକୁ ପୁଣି ଥରେ ୧ ନିୟୁତ ଆମେରିକୀୟ ଡଲାର୍ ପୁରସ୍କାର ରାଶି ମିଳିବ।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୧୮୭ (ବିରାଟ କୋହଲି-୫୪, ତେତେଶ୍ୱର ପୂଜାରା-୫୦, ରବାଦା-୩/୩୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୯୪ (ଆମଲା-୬୧, ଯଶପ୍ରୀତ ବୁମରା-୫/୫୪, ଭୁବନେଶ୍ୱର କୁମାର-୩/୪୪, ଈଶାନ୍ତ ଶର୍ମା-୧/୩୩, ମହମ୍ମଦ ସାମି-୧/୪୬)। ଭାରତ ଦ୍ୱିତୀୟ ପାଳି: ୨୪୭ (ଅଜିଙ୍କ୍ୟ ରାହାଣେ-୪୮, ବିରାଟ କୋହଲି-୪୧, ଭୁବନେଶ୍ୱର କୁମାର-୩୩, ମହମ୍ମଦ ସାମି-୨୭, ମୁରଲୀ ବିଜୟ-୨୫, ମର୍ନି ମର୍କେଲ୍-୩/୪୭, ଭର୍ନାନ୍ ଫିଲାଣ୍ଡର୍-୩/୬୧, କାଗିସୋ ରବାଦା-୩/୬୯)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୭୩.୩ ଓଭରରେ ୧୭୭ (ଡିନ୍ ଏଲଗାର-୮୬*, ହାସିମ୍ ଆମଲା-୫୨, ମହମ୍ମଦ ସାମି-୫/୨୮, ଈଶାନ୍ତ ଶର୍ମା-୨/୩୧, ଯଶପ୍ରୀତ ବୁମରା-୨/୫୭, ଭୁବନେଶ୍ୱର କୁମାର-୧/୩୯)।