ମୋହାଲିରେ କୋହଲି କୀର୍ତ୍ତି : ଭାରତର ସହଜ ବିଜୟ, ରବିବାର ତୃତୀୟ ମୁକାବିଲା

ମୋହାଲି : ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟ୍‌ରେ ଜିତି ନେଇଛି। ତା’ ସହ ସହଜ ବିଜୟରୁ ଘରୋଇ ଋତୁ ଆରମ୍ଭ କରିଛି। ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି କୋହଲି ବାହିନୀ। ଧର୍ମଶାଳାଠାରେ ଖେଳାଯିବାକୁ ଥିବା ପ୍ରଥମ ଟ୍ବେଣ୍ଟି-୨୦କୁ ଲଗାଣ ବର୍ଷା ଧୋଇ ନେଇଥିବାରୁ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏହି ମ୍ୟାଚ୍ ବେଙ୍ଗାଲୁରୁଠାରେ ଆସନ୍ତା ରବିବାର ଖେଳାଯିବ। ଦକ୍ଷିଣ ଆଫ୍ରିକା ବୁଧବାର ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୪୯ ରନ୍ କରିଥିଲା। ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଅଧିନାୟକ ବିରାଟ ‌କୋହଲିଙ୍କ ୨୨ତମ ଟ୍ବେଣ୍ଟି-୨୦ ଅର୍ଧଶତକ ସହ ଶିଖର ଧାୱନଙ୍କ ଦ୍ରୁତ ୪୦ ରନ୍ ବଳରେ ଗୋଟିଏ ଓଭର ପୂର୍ବରୁ ଏହାକୁ ହାସଲ କରି ନେଇଥିଲେ। ରୋହିତ ଶର୍ମା ୧୨ ରନ୍ କରିଥିଲା ବେଳେ ଋଷବ ପନ୍ତ (୪)ଙ୍କ ବିଫଳତା ଧାରା କିନ୍ତୁ ଜାରି ରହିଥିଲା। ବ୍ୟକ୍ତିଗତ ଭାବେ କୋହଲି ଆଜି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ରୋହିତଙ୍କୁ କାଟି ସେ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଥିଲେ। ‌ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭାରତ ଆଜି ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଚକ୍‌ମା ଦେବା ଲାଗି ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ଦ୍ବାରା ବୋଲିଂ ଆରମ୍ଭ କରିଥିଲେ। ସୁନ୍ଦର ଅଧିନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ଯୋଡ଼ି କ୍ବିଣ୍ଟନ୍ ଡି’ କକ୍ (୫୨ ରନ୍, ୩୭ ବଲ୍, ୮ ଚୌକା) ଓ ରିଜା ହେଣ୍ଡ୍ରିକ୍ସ (୬)ଙ୍କୁ ହାତଖୋଲା ସଟ୍ ଖେଳିବାକୁ ଦେଇ ନଥିଲେ। ଏହାର ଲାଭ ଦ୍ରୁତ ବୋଲର ଦୀପକ ଚହର ଉଠାଇଥିଲେ। ଚତୁର୍ଥ ଓଭରର ପଞ୍ଚମ ବଲ୍‌ରେ ହେଣ୍ଡ୍ରିକ୍ସଙ୍କୁ ସୁନ୍ଦରଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ସେ ପ୍ରଥମ ସଫଳତା ଉପହାର ଦେଇଥିଲେ। ଏହା ପରେ ଡି’କକ୍ ଏବଂ ଟେମ୍ବା ବଭୁମା ଦ୍ବିତୀୟ ୱିକେଟ୍‌ରେ ଦ୍ରୁତ ୫୭ ରନ୍ ଯୋଡ଼ିଥିଲେ। ଡି’ କକ୍‌ଙ୍କୁ ନଭଦୀନ ସଇନି ନିଜ ପ୍ରଥମ ଶିକାର କରିବା ପରେ ଦକ୍ଷିଣ ଆଫ୍ରିକା ରନ୍ ସଂଗ୍ରହ ହାର ଯଥେଷ୍ଟ କମି ଯାଇଥିଲା। ଡି’ କକ୍ ପ୍ୟାଭିଲିୟନ ଫେରିବାର ମାତ୍ର ୨ ରନ୍ ପରେ ରବୀନ୍ଦ୍ର ଜାଦେଜା ରସି ଭାନଡର ଦୁସେନଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ଦେଇଥିଲେ। ଦୁସେନ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ପଦାର୍ପଣକାରୀ ବୁଭାମା ପ୍ରଥମ ଟ୍ବେଣ୍ଟି-୨୦ ଅର୍ଧଶତକର ୧ ରନ୍ ପୂର୍ବରୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଚହର ତାଙ୍କୁ ଆଉଟ୍‌ କରି ଦ୍ବିତୀୟ ସଫଳତା ଅର୍ଜନ କରିଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ପତନ ପାଇଁ ୧୩.୩ ଓଭରରେ ଶତକ ପୂରଣ କରିଥିବା ଦକ୍ଷିଣ ଆଫ୍ରିକା ଶେଷ ୬.୩ ଓଭରରେ କେବଳ ୪୯ ରନ୍ କରିଥିଲା। ‌େମାହାଲିରେ ବୁଧବାର ଦକ୍ଷିଣ ଆଫ୍ରିକାର ୩ ଜଣ ଖେଳାଳି (ବୁଭାମା, ବିଅର୍ନ ଫର୍ଟୁଇନ୍, ଆନରିଚ୍ ନର୍ତଜେ) ପଦାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର