ଭାରତର ବିଶ୍ୱକପ୍‌ ଅଭିଯାନ : ବଡ଼ ବିଜୟରୁ ଆରମ୍ଭ

ଚହଲ ଚମକ, ରୋହିତ ଶତକ, ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇଲା

ସାଉଥମ୍ପଟନ୍ : ଇଂଲଣ୍ଡରୁ ଆସିଛି ଇଦି। ଭାରତବାସୀଙ୍କୁ କୋହଲି ବାହିନୀ ଦେଇଛି ବିଜୟ ଉପହାର। ବୁଧବାର ପବିତ୍ର ଇଦ୍-ଉଲ୍-ଫିତର ଅବସରରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ହରାଇ ବଡ଼ ବିଜୟରୁ ଆରମ୍ଭ କରିଛି ବିଶ୍ବକପ୍ ଅଭିଯାନ। ସମଗ୍ର ଭାରତବର୍ଷ ହୋଇଛି ଉତ୍ସବ ମୁଖର।

ଆଜି ଦକ୍ଷିଣ ଆଫ୍ରିକା ଦେଇଥିବା ୨୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୪୭.୩ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୧୨୨* ରନ୍, ୧୪୪ ବଲ୍, ୧୩ ଚୌକା, ୨ ଛକା) ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ। ସପ୍ତାହକ ବିଳମ୍ବରେ ଅଭିଯାନ ଆରମ୍ଭ କରିଥିବା ଭାରତୀୟ କ୍ରିକେଟ୍ ଦଳ ତାଙ୍କ ଚିତ୍ତାକର୍ଷକ ଶତକ ବଳରେ ପ୍ରଥମ ମ୍ୟାଚ୍‌ରେ ହିଁ ଆତ୍ମବିଶ୍ବାସ ଭରା ବିଜୟ ପାଇଥିଲା। ସେପଟେ ଦକ୍ଷିଣ ଆଫ୍ରିକା ଲଗାତାର ତୃତୀୟ ପରାଜୟ ବରଣ କରିଥିଲା। ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କିନ୍ତୁ ୪ ମୁକାବିଲାରୁ ଦ୍ବିତୀୟ ବିଜୟ ହାସଲ କରିଥିଲା।

ଭାରତ ତା’ର ଦ୍ବିତୀୟ ମ୍ୟାଚ୍ ୯ ତାରିଖରେ ଗତ ସଂସ୍କରଣ ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।

୨୨୮ ରନ୍‌ର ବିଜୟ ଲକ୍ଷ୍ୟ ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ଭାରତ ପାଇଁ କଷ୍ଟକର ହେବ ନାହିଁ ବୋଲି ଆଶା ଥିଲା। ହେଲେ ‌କୋହଲା ପାଗ ସହ ପିଚ୍ ନୂଆ ବଲ୍‌ ବୋଲରଙ୍କୁ ସୁହାଇବା ପରେ ଭାରତୀୟ ପାଳିର ପ୍ରଥମ ୧୦ ଓଭରରେ ବଲ୍ ଓ ବ୍ୟାଟ୍‌ର ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ପ୍ରଥମ ୧୦ ଓଭରରେ ଭାରତ ଗୋଟିଏ ୱିକେଟ୍ ହରାଇ ମାତ୍ର ୧୦ ରନ୍ ସଂଗ୍ରହ କରି ପାରିଥିଲା। ପ୍ରତିଟି ରନ୍ ପାଇଁ ଭାରତକୁ ଯେମିତି ପୂରା ଜୋର ଲଗାଇବାକୁ ପଡ଼ିଥିଲା। ଚତୁର୍ଥ ଓଭରର ଶେଷ ବଲ୍‌ରେ କାଗିସୋ ରବାଦା ଏକ ଶାଣିତ ୟର୍କରରେ ଶିଖର ଧାୱନ (୮)ଙ୍କ ବ୍ୟାଟ୍ ଭାଙ୍ଗି ଦେଇଥିଲେ। କ୍ରିସ୍ ମୋରିସଙ୍କ ପଞ୍ଚମ ଓଭରକୁ କିନ୍ତୁ ରୋହିତ ଶର୍ମା ସମ୍ଭାଳି ଦେଇଥିଲେ। ହେଲେ ଷଷ୍ଠ ଓଭରରେ ରବାଦା ଫେରି ପ୍ରଥମ ବଲ୍‌ରେ ହିଁ ଧାୱନଙ୍କୁ ଶିକାର କରି ନେଇଥିଲେ। ଶତକ ହାସଲକାରୀ ରୋହିତ ଅଗ୍ନିବର୍ଷୀ ବୋଲିଂ କରୁଥିବା ରବାଦାଙ୍କ ଗୋଟିଏ ଓଭରରେ ଦୁଇଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତେବେ ଭାଗ୍ୟବଳରେ ଦୁଇ ଥର ପ୍ୟାଭିଲିୟନ ଫେରିବା‌ରୁ ବର୍ତି ଯାଇଥିଲେ। ଧାୱନ ନିଜ ପ୍ରଥମ ପାଳିରେ ଏକ ଅଙ୍କରେ ସୀମିତ ରହିବା ପରେ ଅଧିନାୟକ ବିରାଟ କୋହଲି (୧୮) ଓ ରୋହିତ ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ହେଲେ ଆନ୍ଦିଲ ଫେଲୁକ୍ବାଓଙ୍କ ବଲ୍‌ରେ ଏକ ଅବିଶ୍ବସନୀୟ କ୍ୟାଚ୍ ନେଇ କ୍ବିଣ୍ଟନ୍ ଡି’ କକ୍ କୋହଲିଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। କୋହଲି ଅତିରିକ୍ତ ଉଚ୍ଛାଳରେ ଚକ୍‌ମା ଖାଇ ଡି’କକଙ୍କ ଗ୍ଲୋଭ୍ସରେ ଧରାପଡ଼ିଥିଲେ। କୋହଲି-ରୋହିତ ୪୧ ରନ୍‌ର ଭାଗୀଦାରି କରିଥିଲେ। ସେହିଭଳି ରୋହିତ ଚତୁର୍ଥ ସ୍ଥାନରେ ଖେଳିଥିବା ଲୋକେଶ ରାହୁଲ (୨୬)ଙ୍କୁ ସାଥୀ କରି ୮୫ ରନ୍ ଯୋଡ଼ି ନେଇଥିଲେ। ୭୦ ବଲ୍‌ରୁ ୪ ଚୌକା ଓ ୨ ଛକା ବଳରେ ଅର୍ଧଶତକ ହାସଲ କରିଥିବା ରୋହିତ ୧୨୮ ବଲ୍‌ରୁ ୧୦ ଚୌକା ଓ ୨ ଛକା ବଳରେ ତିନି ଅଙ୍କ ଛୁଇଁଥିଲେ। ତାବ୍ରାଇଜ୍ ଶାସମିଙ୍କ ବଲ୍‌ରୁ ସିଙ୍ଗଲ ନେଇ ୧୦୦ରେ ପହଞ୍ଚିବା ସହ ଜୋ ରୁଟ୍ ଓ ଜୋସ୍ ବଟଲରଙ୍କ ପରେ ସେ ଚଳିତ ବିଶ୍ବକପର ତୃତୀୟ ଶତକ ହାସଲକାରୀ ହୋଇଥିଲେ। ବିଶ୍ବକପ୍‌ରେ ଏହା ତାଙ୍କର ଦ୍ବିତୀୟ ଏବଂ ମୋଟ ଉପରେ ୨୩ତମ ଶତକ ଥିଲା। ତେବେ ମହେନ୍ଦ୍ର ସିଂହ ଧୋନି (୩୪) ଓ ରୋହିତଙ୍କ ମଧ୍ୟରେ ହୋଇଥିବା ୭୪ ରନ୍‌ର ଚତୁର୍ଥ ୱିକେଟ୍ ଭାଗୀଦାରି ଭାରତ ବିଜୟକୁ ପକ୍କା କରିଥିଲା। ରୋହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲା ବେଳେ ହାର୍ଦିକ ପାଣ୍ଡ୍ୟା (୧୫* ରନ୍, ୭ ବଲ୍, ୩ ଚୌକା) ଚୌକା ମାରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର