ଶ୍ରୀଲଙ୍କାକୁ ୬୨ ରନ୍‌ରେ ହରାଇଲା ଭାରତ: ରୋହିତଙ୍କ ବିଶ୍ବ, ଚହଲଙ୍କ ଭାରତୀୟ କୀର୍ତ୍ତିମାନ

ସର୍ବାଧିକ ରନ୍‌ କରିବାରେ ଗପ୍ଟିଲଙ୍କୁ ଟପିଲେ

ଲକ୍ଷ୍ନୌ: ଶ୍ରୀଲଙ୍କା‌ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ଭାରତ ୬୨ ରନ୍‌ରେ ଜିତି ନେଇଛି। ତା ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଆଉ ଏକ ଶୃଙ୍ଖଳା ବିଜୟ ଲାଗି ମୂଳଦୁଆ ପକାଇଛି। ଘରୋଇ ପରିବେଶରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୬ ମ୍ୟାଚ୍‌ (୩ ଦିନିକିଆ, ୩ ଟ୍ବେଣ୍ଟି-୨୦)କୁ ମିଶାଇ ଲଗାତାର ସପ୍ତମ ବିଜୟ ହାସଲ କରିଛି। ଟ୍ବେଣ୍ଟି-୨୦ରେ ଏହା ଭାରତର ଲଗାତାର ୧୦ମ ବିଜୟ। ଗୁରୁବାର ଶ୍ରୀଲଙ୍କାକୁ ଭାରତ ୨୦୦ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତୀୟ ଖେଳାଳିମାନେ ଅନ୍ୟୂନ ଦୁଇଟି ସହଜ କ୍ୟାଚ୍ ହାତଛଡ଼ା କରିବା ସତ୍ତ୍ବେ ଅନଭିଜ୍ଞ ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୩୭ ରନ୍ କରି ଶୋଚନୀୟ ପରାଜୟ ବରଣ କରିଥିଲା। ୫୬ ବଲ୍‌ରୁ ୮୯ ରନ୍‌ର ବିସ୍ଫୋରକ ପାଳି ଖେଳିଥିବା ଈଶାନ କିଶନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଭ୍ରମଣକାରୀ ଶ୍ରୀଲଙ୍କା‌ ଗୁରୁବାର ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଏହି ନିଷ୍ପତ୍ତି ତା ପାଇଁ ଏକପ୍ରକାର ବୁମେରାଂ ସାବ୍ୟସ୍ତ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ୍ ରକ୍ଷକ ବ୍ୟାଟର୍‌ ଈଶାନ କିଶନ ପ୍ରଥମ ୱିକେଟ୍‌ରେ ୧୧୧ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ମାତ୍ର ୬ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିବା ରୋହିତ ନିଜ ୪୪ ରନ୍ ପାଳି ଭିତରେ ବିରଳ ବିଶ୍ବ କୀର୍ତ୍ତିମାନ କରି ନେଇଥିଲେ। ସେ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଯାଇଥିଲେ। ରୋହିତଙ୍କ ଆଉଟ୍ ପରେ ବି ଈଶାନ ବହୁ ଦର୍ଶନୀୟ ସଟ୍ ଖେଳିଥିଲେ। ଦ୍ବିତୀୟ ଅର୍ଦ୍ଧଶତକ ସହ ୮୯ ରନ୍ କରି ଟ୍ବେଣ୍ଟି-୨୦ରେ ସର୍ବୋଚ୍ଚ ବ୍ୟକ୍ତିଗତ ରନ୍ କରି ନେଇଥିଲେ। ତେବେ ଭାରତ ପାଇଁ ସବୁଠୁ ମନୋରଞ୍ଜନ ଭରା ପାଳି ଶ୍ରେୟସ୍ ଆୟର (୫୭*) ଖେଳିଥିଲେ। ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍‌ରୁ ଚତୁର୍ଥ ଅର୍ଦ୍ଧଶତକ ହାସଲ କରି ନେଇ ଭାରତ ସ୍କୋରକୁ ସେ ହିଁ ୧୯୯/୨ରେ ପହଞ୍ଚାଇ ଦେଇଥିଲେ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ରବୀନ୍ଦ୍ର ଜାଦେଜା ୩ ରନ୍ କରି ତାଙ୍କ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୧୫ ଓଭରରେ ୧୩୦ ରନ୍ କରିଥିବା ଭାରତ ଶେଷ ୫ ଓଭରରୁ ୬୯ ରନ୍ ଅମଳ କରି ଶ୍ରୀଲଙ୍କାକୁ ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକଦିବସୀୟ ପଦାର୍ପଣ କରିଥିବା ବରୋଦା ଅଲରାଉଣ୍ଡର ଦୀପକ ହୁଦା ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ।

ଲକ୍ଷ୍ନୌ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଅଗ୍ରଣୀ ରନ୍‌ ସ୍କୋରର୍‌ ହେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଚଳିତ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଗୁରୁବାର ପ୍ରଥମ ମ୍ୟାଚ୍‌ରେ ୪୪ ରନ୍‌ କରିବା ଅବସରରେ ସେ ନ୍ୟୁଜିଲାଣ୍ଡ୍‌ ଓପ୍‌ନର ମାର୍ଟିନ୍‌ ଗପ୍ଟିଲଙ୍କ ନାମରେ ଥିବା ମାଇଲଖୁଣ୍ଟକୁ ଟପିଯାଇଛନ୍ତି। ଗପ୍ଟିଲଙ୍କୁ ପଛରେ ପକାଇବା ପାଇଁ ରୋୖହିତଙ୍କୁ ୩୭ ରନ୍‌ର ଆବଶ୍ୟକ ଥିଲା। ଗୁରୁବାର ଏହାକୁ ହାସଲ କରିନେଇଥିଲେ ରୋହିତ। ରୋହିତଙ୍କ ରନ୍‌ ସଂଖ୍ୟା ୩୩୦୭ରେ ପହଞ୍ଚିଯାଇଥିଲା ବେଳେ ଗପ୍ଟିଲ (୩୨୯୯) ଏବଂ ବିରାଟ କୋହଲି (୩୨୯୬) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଅନ୍ୟପକ୍ଷରେ ସ୍ପିନର ୟୁଜ୍‌ବେନ୍ଦର ଚହଲ (୬୭ ୱିକେଟ୍‌) ଗୁରୁବାର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଟପି ସର୍ବାଧିକ ୱିକେଟ୍‌ ଦଖଲକାରୀ ଭାରତୀୟ ବୋଲର ହୋଇଛନ୍ତି।

ଶ୍ରୀଲଙ୍କା ଶୃଙ୍ଖଳା ଅବସରରେ ରୋହିତଙ୍କ ପାଇଁ ଆଉ ଦୁଇଟି ମାଇଲଖୁଣ୍ଟ ସୁଯୋଗ ରହିଛି। ଭାରତୀୟ ଅଧିନାୟକ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ୧୦୦୦ ରନ୍‌ ପୂରଣ କରିବାର ସୁଯୋଗ ମଧ୍ୟ ରୋହିତଙ୍କ ପାଇଁ ଅପେକ୍ଷା କରିଛି। ଗୁରୁବାର ୪୪ ରନ୍ ବଳରେ ତାଙ୍କ ରନ୍‌ ସଂଖ୍ୟା ୯୮୧ରେ ପହଞ୍ଚିଯାଇଛି। ଆଉ ୧୯ ରନ୍‌ କରିପାରିଲେ ସେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ କ୍ଲବ୍‌ରେ ତୃତୀୟ ଭାରତୀୟ ଅଧିନାୟକ ଭାବେ ସାମିଲ ହୋଇପାରିବେ। ରୋହିତ ଏପର୍ଯ୍ୟନ୍ତ ଅଧିନାୟକ ଭାବେ ୨୬ ମ୍ୟାଚ୍‌ରୁ ୯୮୧ ରନ୍‌ କରିସାରିଥିଲା ବେଳେ ଧୋନି ୭୨ ମ୍ୟାଚ୍‌ରୁ ୧୧୧୨ ରନ୍‌ ଏବଂ କୋହଲି ୫୦ ମ୍ୟାଚ୍‌ରୁ ୧୫୭୦ ରନ୍‌ କରି ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
ରୋହିତଙ୍କ ପାଇଁ ଶ୍ରୀଲଙ୍କା ଶୃଙ୍ଖଳା ସର୍ବାଧିକ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଆଉ ଏକ କୀର୍ତ୍ତିମାନ ସୁଯୋଗ ରଖିଛି। ଯଦି ସେ ଶ୍ରୀଲଙ୍କା ବିପକ୍ଷ ସମସ୍ତ ୩ ମ୍ୟାଚ୍‌ ଖେଳନ୍ତି ତାହାଲେ ପାକିସ୍ତାନ ତାରକା ସୋଏବ୍‌ ମଲ୍ଲିକ (୧୨୪)ଙ୍କୁ ପଛରେ ପକାଇ ସର୍ବାଧିକ ମ୍ୟାଚ୍‌ ଖେଳିବାର କୀର୍ତ୍ତିମାନ ପ୍ରତିଷ୍ଠା କରିବେ। ରୋହିତ ଗୁରୁବାର ମ୍ୟାଚକୁ ମିଶାଇ ୧୨୩ ଖେଳି ଦ୍ବିତୀୟରେ ରହିଥିଲା ବେଳେ ଅନ୍ୟତମ ପାକିସ୍ତାନୀ ମହମ୍ମଦ ହାଫିଜ୍‌ (୧୧୯) ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର