ପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି । ଭାରତ ଦ୍ବାରା ରଖାଯାଇଥିବା ୨୦୦ ରନ ଲକ୍ଷ୍ୟର ଜବାବରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ଓ୍ବିକେଟ ହରାଇ ୧୩୭ ରନ କରିପାରିଥିଲା । ଦଳ ପକ୍ଷରୁ ଚରିଥ ଅସଲଙ୍କା ସର୍ବାଧିକ ୫୩ ରନ କରିଥିବାବେଳେ ଚମିକା କରୁଣାରତ୍ନେ ୨୧ ଓ ଦୁଷ୍ମନ୍ତ ଚମିରା ୨୪ ରନ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଓ ଭେଙ୍କଟେଶ୍ବର ଆୟର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୧୯୯ ରନ କରିଥିଲା । ଭାରତୀୟ ଓପନର ଇଶାନ କିଷନ ୫୬ ବଲରେ ବିସ୍ଫୋରକ ୮୯ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୪୪ ରନ କରିଥିବାବେଳେ ଶ୍ରେୟସ ଆୟର ଅପରାଜିତ ୫୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାହିରୁ କୁମାରା ଓ ଦାସୁନ ସନକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର