ମାଞ୍ଚେଷ୍ଟର୍‌ : ଚଳିତ ବିଶ୍ବକପ୍‌ରେ ଭାରତ ଗୁରୁବାର ପଞ୍ଚମ ବିଜୟ ସହିତ ସେମିଫାଇନାଲର ନିକଟବର୍ତୀ ହୋଇଛି। ଦୁଇ ଥର ବିଶ୍ବ ବିଜେତା ପ୍ରତିଦ୍ବନ୍ଦ୍ବୀ ଦଳ ମଧ୍ୟରେ ଆଜି ହୋଇଥିବା ଏହି ମୁକାବିଲାରେ କୋହଲି ବାହିନୀ ସମ୍ପୂର୍ଣ୍ଣ ଏକତରଫା ଭାବେ ୱେଷ୍ଟ ଇଣ୍ଡିଜକୁ ୧୨୫ ରନ୍‌ରେ ହରାଇ ସହଜ ବିଜୟ ହାସଲ କରିଛି। ଭାରତ ପାଇଁ ବ୍ୟାଟିଂ କଷ୍ଟକର ଥିଲେ ମଧ୍ୟ ଏହାଠୁ ବଡ଼ ପରୀକ୍ଷାରେ ପଡ଼ିଥିଲା ଇଣ୍ଡିଜ୍। ୨୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଇଣ୍ଡିଜର ବ୍ୟାଟିଂକୁ ମାଟିରେ ମିଶାଇ ଦେଇଥିଲେ ଭାରତୀୟ ବୋଲର। ମାତ୍ର ୧୪୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଇଣ୍ଡିଜ କୋହଲି ବାହିନୀ ନିକଟରେ ଆତ୍ମସମର୍ପଣ କରିଥିଲା। ଏହ‌ି ବିଜୟ ସହିତ ଭାରତ ୧୧ ପଏଣ୍ଟ ‌ସହିତ ତାଲିକାରେ ଦ୍ବିତୀୟ ସ୍ଥାନକୁ ଉଠିଛି। ତାଲିକାରେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ (୧୨)। ଅନ୍ୟପକ୍ଷରେ ଲଗାତାର ପଞ୍ଚମ ପରାଜୟ ବରଣ କରି ଜାସନ୍ ହୋଲଡରଙ୍କ ଇଣ୍ଡିଜ ଟିମ୍ ବିଶ୍ବକପ୍‌ ବିଦାୟର ଦ୍ବାରରେ ପହଞ୍ଚିଯାଇଛି।

Advertisment

ଆଜିର ବିଜୟ ସହିତ ଓଲ୍ଡ ଟ୍ରାଫର୍ଡରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଏଠାରେ ପାକିସ୍ତାନକୁ ହରାଇଥିବା ଭାରତୀୟ ଟିମ୍ ଆଜି ୱେଷ୍ଟଇଣ୍ଡିଜ୍‌କୁ ମଧ୍ୟ ମନ୍ଥି ଦେଇଛି। ବିରାଟ କୋହଲି (୭୨) ଏବଂ ମହେନ୍ଦ୍ର ସିଂହ ଧୋନି (୫୬*)ଙ୍କ ‌ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକ ପରେ ହାର୍ଦିକ ପାଣ୍ଡ୍ୟା (୪୬)ଙ୍କ ମନୋରଂଜନ ଭାରତକୁ ୨୬୮ ରନ୍‌ରେ ପହଞ୍ଚାଇଥିଲା। ମହମ୍ମଦ ସାମିଙ୍କ ନେତୃତ୍ବରେ ଭାରତୀୟ ବୋଲର କିନ୍ତୁ ଇଣ୍ଡିଜ୍ ପାଳିକୁ ଅଥୟ କରି ଦେଇଥିଲେ। ଦଳର ପେସ୍ ଏବଂ ସ୍ପିନ୍ ଆକ୍ରମଣରେ ଇଣ୍ଡିଜ୍ ବ୍ୟାଟସମ୍ୟାନ୍ ପ୍ୟାଭିଲିଅନକୁ ଧାଡ଼ି ବାନ୍ଧିଥିଲେ। ସାମି ପ୍ରଥମେ କ୍ରିସ୍ ଗେଲଙ୍କୁ ଏବଂ ପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ସାଇ ହୋପ୍‌ଙ୍କୁ ଆଉଟ କରି ଭୟଙ୍କର ବିପର୍ଯ୍ୟୟ ଘଟାଇଥିଲେ। ମଝିରେ ଜମି ଆସୁଥିବା ଯୋଡ଼ି ଅମ୍ବ୍ରିସ-ପୁରନଙ୍କୁ ହାର୍ଦିକ ପାଣ୍ଡ୍ୟା ଅଲଗା କରି ୱେଷ୍ଟଇଣ୍ଡିଜ୍‌ ଅଣ୍ଟା ଭାଙ୍ଗି ଦେଇଥିଲେ। ୨୬ତମ ଓଭରରେ ବୁମରା ପ୍ରଥମ ଦୁଇ ବଲରେ କାର୍ଲୋସ ବ୍ରାଥ୍‌ୱେଟ ଏବଂ ଫାବିଏଁ ଆଲେନଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ସୁଯୋଗ ଆଣିଥିଲେ। ମହମ୍ମଦ ସାମି ତାଙ୍କ ପରବର୍ତୀ ସ୍ପେଲରେ ମଧ୍ୟ ଚମକ ଦେଖାଇଥିଲେ। ଆଉ ଦୁଇ ୱିକେଟ୍‌ ସହିତ ଚମତ୍କାର ବୋଲିଂ ଚିତ୍ର (୬.୨-୦-୧୬-୪) ପାଇଥିଲେ। ୟୁଜବେନ୍ଦ୍ର ଚହଲ (୭-୦-୩୯-୨) ଓ ଯଶପ୍ରୀତ୍ ବୁମରା (୬-୧-୯-୨) ମଧ୍ୟ ଉତ୍ତମ ବୋଲିଂ ପ୍ରଦର୍ଶନ କରି ଭାରତର ବିଜୟକୁ ସହଜ କରିଦେଇଥିଲେ। ଶେଷରେ ଇଣ୍ଡିଜ୍ ଇନିଂସ ୩୪.୨ ଓଭରରେ ୧୪୩ ରନ୍‌ରେ ଶେଷ ହୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସୁନୀଲ ଅମ୍ବ୍ରିସ୍ (୩୧) ସର୍ବାଧିକ ରନ୍ କରିଥିଲେ। ୧୫.୪ ଓଭର ପୂର୍ବରୁ ବିଜୟୀ ହୋଇ ଭାରତ ମଧ୍ୟ ଚଳିତ ବିଶ୍ବକପ୍‌ର ଏକମାତ୍ର ଦଳ ଭାବେ ଅପରାଜିତ ରହିଲା। ଅଧିନାୟକ ବିରାଟ କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।