ଶୃଙ୍ଖଳା ପୋଛିନେଲା ଭାରତ

ଶ୍ରେୟସ ଆୟର୍‌ ମ୍ୟାଚ୍‌ର, ପ୍ରସିଦ୍ଧ କୃଷ୍ଣ ‌ଶୃଙ୍ଖଳାର ଶ୍ରେଷ୍ଠ

ଅହମଦାବାଦ : ଚମତ୍କାର ଢଙ୍ଗରେ ଆରମ୍ଭ ହୋଇଛି ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ଼ଙ୍କ ଯୁଗ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ଭାରତୀୟ ଦଳ ୩-୦ରେ ମୂଳପୋଛ କରି ଜିତି ନେଇଛି। ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତ ୯୬ ରନ୍‌ରେ ବିଜୟୀ ହୋଇ ଅନାୟାସରେ ଏହି‌ ଗୌରବ ଅର୍ଜନ କରିଛି। ଶ୍ରେୟସ ଆୟର-ଋଷଭ ପନ୍ତ୍‌ଙ୍କ ଶତକୀୟ ଭାଗୀଦାରି ପରେ ଭାରତ ପ୍ରାରମ୍ଭିକ ସଙ୍କଟରୁ ବାହାରି ୨୬୫ ରନ୍‌ କରି ନେଇଥିଲା। ଏହା ପରେ ଭାରତୀୟ‌ ବୋଲରମାନେ ମିଳିତ ଭାବେ ୱେଷ୍ଟଇଣ୍ଡିଜ୍‌ର ବିଗ୍‌ ହିଟର୍‌ମାନଙ୍କୁ ଦଳଗତ ପ୍ରଦର୍ଶନରୁ ରୋକି ‌ଦେଇଥିଲେ।

ଶୁକ୍ରବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥ‌ିଲେ ମଧ୍ୟ ଦଶମ ଓଭର ଅଧା ବେଳକୁ ୪୨/୩ରେ ସଂଘର୍ଷ କରିଥିଲା। ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ଏହି ସମୟରେ କିନ୍ତୁ ମଝି ପଡ଼ିଆରେ ଏକାଠି ହୋଇଥିବା ଶ୍ରେୟସ ଆୟର (୮୦ ରନ୍‌, ୧୧୧ ବଲ୍‌) ଏବଂ ଋଷଭ ପନ୍ତ୍‌ ୧୧୦ ରନ୍‌ର ଚମତ୍କାର ଭାଗୀଦାରି କରିଥିଲେ। ୨୦.୩ ଓଭରରେ ଏମାନେ ଏହି ୧୧୦ ରନ୍‌ ଯୋଡ଼ିଥିଲେ। ହେଡେନ୍ ୱାଲ୍ସ ଜୁନିୟର୍‌ ଉଭୟଙ୍କୁ ଆଉଟ୍ କରିବା ପରେ ନିମ୍ନକ୍ରମରେ ୱାସିଂଟନ୍ ସୁନ୍ଦର (୩୩ ରନ୍‌, ୩୪ ବଲ୍‌) ଏବଂ ଦୀପକ ଚହର (୩୮ ରନ୍‌, ୩୮ ବଲ୍‌) ଏକ ଅର୍ଦ୍ଧଶତକ (୫୩) ଭାଗୀଦାରି କରି ଦଳକୁ ୨୬୫ ରନ୍‌ର ଆହ୍ବାନଭରା ସ୍କୋର୍‌ ପ୍ରଦାନରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜାସନ୍ ହୋଲ୍ଡର ଭାରତର ଶେଷ ୪ ୱିକେଟ୍ ନେବା ପୂର୍ବରୁ ଅଲଜାରି ଯୋସେଫ୍ ଓ ‌ହେଡେନ୍ ୱାଲ୍ସ ଜୁନିୟର୍‌ ୨-୨ ୱିକେଟ୍ ନେଇ ଭାରତୀୟଙ୍କୁ ପ୍ରାରମ୍ଭିକ ଅସୁବିଧାରେ ପକାଇଥିଲେ।

ଜବାବରେ ୱେଷ୍ଟଇଣ୍ଡିଜ୍ ୩୭.୧ ଓଭରରେ ୧୬୯ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଦଳର ୯ ନମ୍ବର ବ୍ୟାଟର୍‌ ଓଡିନ୍‌ ସ୍ମିଥ୍ ସର୍ବାଧିକ ୩୬ ରନ୍‌ କରିବାରୁ ଦଳ ୧୫୦ ଅତିକ୍ରମ କରିଥିଲା। କିନ୍ତୁ ଶୃଙ୍ଖଳାରେ ଥରେ ବି ୨୦୦ ଟପି ପାରିନଥିଲା। ଭାରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣ-ମହମ୍ମଦ ସିରାଜ ୩-୩ ଏବଂ ଦୀପକ ଚହର-କୁଲଦୀପ ଯାଦବ ୨-୨ ୱିକେଟ୍‌ ବାଣ୍ଟି ନେଇଥିଲେ। ପୂର୍ବରୁ ଭାରତ ଶୃଙ୍ଖଳାକୁ କବ୍‌ଜା କରି ସାରିଥିବାରୁ ଭାରତ ଶୁକ୍ରବାର ଏକକାଳୀନ ୪ ପରିବର୍ତନ କରି ଏହି ମ୍ୟାଚ୍‌ ଖେଳିଥିଲା। କେଏଲ୍ ରାହୁଲ, ୟୁଝବେନ୍ଦ୍ର ଚହଲ, ଦୀପକ ହୁଦା, ଶାର୍ଦୁଳ ଠାକୁରଙ୍କ ବଦଳରେ ଶିଖର ଧାୱନ, ଶ୍ରେୟସ ଆୟର, ଦୀପକ ଚହର, କୁଲଦୀପ ଯାଦବ ଶୃଙ୍ଖଳାରେ ପ୍ରଥମ ଥର ଖେଳିଥିଲେ। ଆୟର ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ପ୍ରସିଦ୍ଧ କୃଷ୍ଣ (୩ ମ୍ୟାଚ୍‌ରୁ ୯ ୱିକେଟ୍‌) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପରେ ଦୁଇ ଦେଶ ୧୬ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ‌କୋଲକାତାରେ‌ ଖେଳିବେ।

ରୋହିତ ସଫଳ, ଇଣ୍ଡିଜ୍ ବିଫଳ
ଭାରତୀୟ ଦିନିକିଆ ଅଧିନାୟକ ଭାବେ ରୋହିତ ଶର୍ମା ପ୍ରଥମ ୧୩ ମ୍ୟାଚ୍‌ ବେଳକୁ ୧୧ ଜିତି ବିରାଟ କୋହଲି (୧୦ ବିଜୟ)ଙ୍କୁ ଅତିକ୍ରମ କରିଯାଇଛନ୍ତି। ୧୩ତମ ନେତୃତ୍ବ ମ୍ୟାଚ୍ ବେଳକୁ କ୍ଲାଇବ୍ ଲୟଡ, ଇଞ୍ଜାମାମ ଉଲ୍ ହକ୍‌, ମିସବା ଉଲ ହକ୍‌ ପ୍ରତ୍ୟେକ ୧୨ ଲେଖାଏଁ ଜିତି ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ୨୦୧୯ରୁ ୨୦୨୨ ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ ବିଦେଶରେ ଲଗାତାର ୧୧ ହାରି ଅଲୋଡ଼ା ରେକର୍ଡ କରିଛି।

୧୯୯୦-୨୦୦୦ ଭିତରେ ଏହି ଦଳ ୯ଟି ଏବଂ ୨୦୦୯ରୁ ୨୦୧୦ ମଧ୍ୟରେ ଲଗାତାର ୮ ହାରିଥିବାରୁ ପଛରେ ପଡ଼ିଯାଇଛି। ସେହିଭଳି ଶୃଙ୍ଖଳାରେ ସର୍ବାଧିକ ୯ ୱିକେଟ୍ ନେଇଥିବା ପ୍ରସିଦ୍ଧ କୃଷ୍ଣ ନିଜ ପ୍ରଥମ ୭ ଦିନିକିଆ ବେଳକୁ ୧୮ ୱିକେଟ୍ ନେଇ ଭାରତ ପାଇଁ କୀର୍ତ୍ତିମାନ କରିଛନ୍ତି। ଅଜିତ ଅଗରକର ଏବଂ ଯଶପ୍ରୀତ୍ ବୁମରା ନିଜ ନିଜ ସପ୍ତମ ମ୍ୟାଚ୍‌ ବେଳକୁ ୧୬ ୱିକେଟ୍, ପ୍ରବୀଣ କୁମାର ୧୫ ୱିକେଟ୍ ନେଇଥିଲେ। ନରେନ୍ଦ୍ର ହିରୱାନୀ, ଜାହିର୍ ଖାନ୍‌ ଓ ରବିଚନ୍ଦ୍ରନ ଅଶ୍ବିନ ପ୍ରତ୍ୟେକ ୧୪ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର