ଭାରତକୁ ଘାଇଲା କଲେ ସିମନ୍ସ, ଇଣ୍ଡିଜ୍ ୮ ୱିକେଟ୍‌ରେ ଜିତିଲା, ଶୃଙ୍ଖଳା ୧-୧

ତିରୁଅନନ୍ତପୁରମ୍: ଦୁର୍ବଳ ବୋଲିଂ ସହ ବେପରୁଆ କ୍ଷେତ୍ରରକ୍ଷଣ ରବିବାର ଭାରତୀୟ କ୍ରିକେଟ୍ ଦଳ ପାଇଁ କାଳ ହୋଇଛି। ହାଇଦ୍ରାବାଦ ମୁକାବିଲାକୁ ରୋମାଞ୍ଚକର ଭାବେ ଜିତି ଶୃଙ୍ଖଳା ବିଜୟ ଆଶାରେ ତିରୁଅନନ୍ତପୁରମ୍‌ ଯାଇଥିବା କୋହଲି ବାହିନୀ ସେଠାରେ ଅତି ସହଜରେ ପରାସ୍ତ ହୋଇଛି। ଫଳରେ ତିନି ଟିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାକୁ ୮ ୱିକେଟ୍‌ରେ ଜିତି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ସ୍ଥିତି ୧-୧ କରି ନେଇଛି। ଭାରତ ଶୃଙ୍ଖଳା ବିଜୟର ଭଲ ସୁଯୋଗ ହାତଛଡ଼ା କରିଥିଲା ବେଳେ ଇଣ୍ଡିଜ୍ ପ୍ରତୀକ୍ଷିତ ବିଜୟରେ ଏହାକୁ ଜୀବନ୍ତ ରଖିବାକୁ ସକ୍ଷମ ‌ହୋଇଛି। ସେଥିପାଇଁ ମଧ୍ୟ ଆସନ୍ତା ୧୧ ତାରିଖରେ ମୁମ୍ବାଇରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ସ୍ଥାନୀୟ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ଶୀର୍ଷକ୍ରମ ବିଫଳତାର ସମ୍ମୁଖୀନ ହୋଇଥିଲା। ତେବେ ଶିଭମ ଦୁବେଙ୍କ ଅର୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଇଣ୍ଡିଜ୍ ୧୮.୩ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୧୭୩ ରନ୍ କରିବା ସହ ବିଜୟର ମିଠା ସ୍ବାଦ ଚାଖିଥିଲା।

ପୁଣି ନିର୍ଧୁମ ‌ଛେଚା ଖାଇଲେ ଭାରତୀୟ ବୋଲର
୧୭୧ ରନ୍‌ର ବିଜୟ ଲକ୍ଷ୍ୟ ଆରମ୍ଭରୁ କଷ୍ଟ ଲାଗୁଥିଲେ ମଧ୍ୟ ୱେ‌ଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଧୂଆଁଧାର ବ୍ୟାଟିଂ କରି ଏହାକୁ ଶେଷ ଆଡ଼କୁ ଅପେକ୍ଷାକୃତ ସହଜ କରି ନେଇଥିଲେ। ବି‌ଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଲେଣ୍ଡଲ ସିମନ୍ସ (୬୭*) ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏଭିନ ଲୁଇସ୍ (୪୦), ସିମରନ୍ ହେଟମେର (୨୩), ନିକୋଲାସ ପୂରନ (୩୮*) ଏଥିରେ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଭାରତୀୟ ବୋଲର ପୁଣି ଥରେ ଲକ୍ଷ୍ୟହୀନ ବୋଲିଂ କରିଥିଲେ। ଭାରତର କ୍ଷେତ୍ରରକ୍ଷଣ ମଧ୍ୟ ପ୍ରଥମ ମ୍ୟାଚ୍ ଭଳି ଅତ୍ୟନ୍ତ ଦୁର୍ବଳ ଏବଂ ଦୟନୀୟ ଥିଲା। ୱାସିଂଟନ ସୁନ୍ଦରଙ୍କୁ ଛାଡ଼ି ଅନ୍ୟ ସମସ୍ତ ଭାରତୀୟ ବୋଲର ୯ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲେ। ଦୀପକ ଚହରଙ୍କୁ ଏକ ସୁନ୍ଦର ଚୌକା ମାରି ପୂରନ ହିଁ ୯ ବଲ୍ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌କୁ ବହୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ଭାରତ ବିପକ୍ଷ ଗତ ୭ ମୁକାବିଲାରୁ ୱେଷ୍ଟଇଣ୍ଡିଜ୍‌ର ଏହା ପ୍ରଥମ ବିଜୟ ଥିଲା।

ଶିଭମ୍‌ ଦୁବେଙ୍କ ପ୍ରଥମ ଅର୍ଧଶତକ ବେକାର
ଶୃଙ୍ଖଳା ନିର୍ଣ୍ଣାୟକ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ମ୍ୟାଚ୍‌ର ଦୁଇ ନାୟକ ଲୋକେଶ ରାହୁଲ (୧୧) ଏବଂ ବିରାଟ କୋହଲି (୧୯)ଙ୍କ ସହ ହିଟମ୍ୟାନ୍ ରୋହିତ ଶର୍ମା (୧୫)ଙ୍କୁ ରୋକିବାରେ ଏହି ଦଳର ବୋଲର ସଫଳ ହୋଇଥିଲେ। ତେବେ ଦୁଇ ଯୁବ ତାରକା ଶିଭମ ଦୁବେ (୫୪) ଓ ଋଷବ ପନ୍ତ (୩୩*)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୦ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ଶିଭମ ଚାରିଟି ଦର୍ଶନୀୟ ଛକା ମାରିବା ସହ ତାଙ୍କ ବ୍ୟାଟିଂରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଝଲକ ଦେଖିବାକୁ ମିଳିଥିଲା। ୨୭ ବଲ୍‌ରୁ ୪ ଛକା ଏବଂ ୨ ଚୌକା ବଳରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଅର୍ଧଶତକ ପୂରଣ କରିଥିଲେ ମୁମ୍ବାଇର ଏହି ୨୬ ବର୍ଷୀୟ ଉଦୀୟମାନ ତାରକା। ତେବେ ଏହାର ମାତ୍ର ୪ ରନ୍ ପରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଏହା ପରେ ପନ୍ତ ତାଙ୍କ ପୁରୁଣା ପରାକ୍ରମ ଦେଖାଇ ଭାରତ ସ୍କୋରକୁ ଦେଢ଼ ଶହ ପାର କରାଇଥିଲେ। ନୋଟବୁକ୍ ଉତ୍ସବ ପାଳନ ପାଇଁ ଚର୍ଚାରେ ରହିଥିବା କୋହଲିଙ୍କୁ ରବିବାର କେସ୍ରିକ୍ ୱିଲିୟମ୍ସ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ‌କୋହଲିଙ୍କୁ ଏକ ଧିମା ସର୍ଟ ବଲ୍‌ରେ ଲେଣ୍ଡଲ ସିମନ୍ସ ହାତରେ କ୍ୟାଚ୍ କରାଇବା ପରେ ଅବଶ୍ୟ ୱିଲିୟମ୍ସ ସେହି ରସିଦ କଟା ଉତ୍ସବ ପାଳନ କରି ନଥିଲେ। ସିମନ୍ସ ଥାର୍ଡ ମ୍ୟାନ୍ ଅଞ୍ଚଳରେ କ୍ୟାଚ୍ ‌ନେବା ପରେ ଓଠରେ ଅଙ୍ଗୁଳି ରଖି ସେ କେବଳ ଦର୍ଶକଙ୍କୁ ଚୁପ୍ ରହିବାକୁ ସଙ୍କେତ ଦେଇଥି‌ଲେ। ୱିଲିୟମ୍ସ ମଧ୍ୟ ଊନ୍ନବିଂଶ ଓଭରରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ କ୍ଲିନ୍ ବୋଲ୍ଡ କରି ଦ୍ବିତୀୟ ସଫଳତା ଅର୍ଜନ କରିଥିଲେ। ରୋହିତଙ୍କୁ ଜାସନ ହୋଲ୍ଡର ଏବଂ ରାହୁଲଙ୍କୁ ଖରି ପିଏରେ ଶିକାର କରିଥିଲେ। ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ବେ ନିୟମିତ ବ୍ୟବଧାନରେ ୱିକେଟ୍ ପତନ ପାଇଁ ଶେଷ ପାଞ୍ଚ ଓଭରରୁ ଭାରତ ମାତ୍ର ୨୬ ରନ୍ ସଂଗ୍ରହ କରି ପାରିଥିଲା।

ରୋହିତଙ୍କୁ ଟପି କୋହଲି ପୁଣି ଏକ ନମ୍ବର
ତିରୁଅନନ୍ତପୁରମ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ମାତ୍ର ୧୯ ରନ୍ କରି ପାରିଥିଲେ। ହେଲେ ନିଜର ଏହି ଛୋଟିଆ ପାଳି ଭିତରେ ସେ ହିଟମ୍ୟାନ୍ ରୋହିତ ଶର୍ମାଙ୍କୁ ଟପି ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଥିଲେ। ଏହି ମ୍ୟାଚ୍ ପୂର୍ବରୁ ଅବଶ୍ୟ କୋହଲି ଏବଂ ରୋହିତଙ୍କ ମଧ୍ୟରେ ମାତ୍ର ୩ ରନ୍‌ର ବ୍ୟବଧାନ ଥିଲା। ରୋହିତ ୧୦୨ ଟ୍ବେଣ୍ଟି-୨୦ରୁ ୨୫୪୭ ରନ୍ କରିଥିଲେ। ଅନ୍ୟ ପକ୍ଷରେ କୋହଲି ୭୩ ଟ୍ବେଣ୍ଟି-୨୦ରୁ ୨୫୪୪ ରନ୍‌ରେ ଥିଲେ। ରୋହିତ ରବିବାର ୧୫ ରନ୍ କରିବା ପରେ ତାଙ୍କ ବ୍ୟକ୍ତିଗତ ରନ୍ ୨୫୬୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ୧୯ ରନ୍ କରିଥିବା କୋହଲି ୨୫୬୩ରେ ପହଞ୍ଚିଛନ୍ତି। ଫଳରେ ସଂପ୍ରତି ସେ ରୋହିତଙ୍କଠାରୁ ଗୋଟିଏ ରନ୍ ଆଗରେ ଅଛନ୍ତି।

ସମ୍ବନ୍ଧିତ ଖବର