୩ୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ୯୬ ରନରେ ହରାଇଲା ଭାରତ, ସିରିଜ ୩-୦ରେ ବିଜୟୀ

ଅହମଦାବାଦ : ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆ ମ୍ୟାଚରେ ଭାରତ ୯୬ ରନରେ ବିଜୟୀ ହୋଇଛି । ଏହି ବିଜୟ ସହ ଭାରତ ଏହି ସିରିଜକୁ ୩-୦ରେ ପୋଛିନେଇଛି ।

ଭାରତ ଦ୍ବାରା ରଖାଯାଇଥିବା ୨୬୬ ରନ ଲକ୍ଷ୍ୟ ଜବାବରେ ଓ୍ବେଷ୍ଟଇଣ୍ଡିଜ ୧୬୯ ରନରେ ଅଲଆଉଟ ହୋଇଯାଇଥିଲା । ଭ୍ରମଣକାରୀ ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସଫଳ ମୁକାବିଲା  କରିପାରିନଥିଲେ ।  କେବଳ ଓଡିଆନ ସ୍ମିଥ ୩୬ ଓ ନିକୋଲାସ ପୁରାନ ୩୪ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏଁ  ଏବଂ ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୨୬୫ ରନ କରିଥିଲା । ଭାରତ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଶ୍ରେୟସ ଆୟର ଓ ଋଷଭ ପନ୍ତ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଆୟର ୮୦ ରନ କରିଥିବାବେଳେ ପନ୍ତ ୫୩ ରନ କରିଥିଲେ । ପନ୍ତ ଆଉଟ ହେବା ପରେ ଆସିଥିବା ଓ୍ବାସିଂଟନ ସୁନ୍ଦର ଓ ଦୀପକ ଚହର ମଧ୍ୟ ଯଥାକ୍ରମେ ୩୩ ରନ ଓ ୩୮ ରନ କରି ଦଳୀୟ ସ୍କୋରରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ । ତେବେ ଚହର ଆଉଟ ହେବା ପରେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ ।

ସମ୍ବନ୍ଧିତ ଖବର