ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ହରାଇଲା ଭାରତ

ହାରାରେ : ବିଜୟ ସହ ଆରମ୍ଭ ହୋଇଛି ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ । ଜିମ୍ବାଓ୍ବେର ହାରାରେଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୪୦ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ତେବେ ଅଧିନାୟକ ଚକାଭା ୩୫ ରନ କରିଥିବାବେଳେ ବ୍ରାଡ୍ ଇଭାନ୍ସ ୩୩ ରନ ଓ ଏନଗାରଭା ୩୪ ରନ କରି ଦଳ ପାଇଁ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ଭାରତ ପକ୍ଷରୁ ଦିପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୯୦ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ ଶୁଭମନ ଗିଲ ଅନାୟାସରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲେ । ଶିଖର ୮୧ ରନ ଓ ଶୁଭମନ ୮୨ ରନ କରି ଦଳ ପାଇଁ ୩୦.୫ ତମ ଓଭରରେ ଏକ ସହଜ ବିଜୟ ଆଣିଦେଇଥିଲେ । ଭାରତ ପାଇଁ ୩ଟି ଓ୍ବିକେଟ ନେଇଥିବା ଦୀପକ ଚହରଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର