ହାରାରେ : ହାରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯାଉଥିବା ୫ମ ଟି-୨୦ରେ ଜିମ୍ବାଓ୍ବେକୁ ୪୨ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜକୁ ୪-୧ରେ ଜିତିନେଇଛି । ଏହି ସିରିଜର ପ୍ରଥମ ମ୍ୟାଚରେ ଜିମ୍ବାଓ୍ବେ ଜିତିଥିବାବେଳେ ପରବର୍ତ୍ତି ୪ଟି ମ୍ୟାଚ ଭାରତ ଜିତିଥିଲା ।
ଭାରତ ପକ୍ଷରୁ ରଖାଯାଇଥିବା ୧୬୮ ରନର ଲକ୍ଷ୍ୟର ପିଛା କରିବାକୁ ଯାଇ ଜିମ୍ବାଓ୍ବେ ୧୮.୩ ଓଭରରେ ୧୨୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଡାୟନ ମାୟର୍ସ ୩୪ ରନ କରିଥିବାବେଳେ ଟାଡିଓ୍ବାନସେ ମାରୁମାନି ଓ ଫରାଜ ଆକ୍ରାମ ୨୭ ରନ ଲେଖାଏଁ କରିଥିଲେ ।
ଏହି ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଯଶସ୍ବୀ ଜୟସ୍ବାଲ ୧୨ ରନ ଓ ଶୁଭମନ ଗିଲ ୧୩ ରନ କରି ଆଉଟ ହୋଇଥିଲେ । ୩ୟ ସ୍ଥାନରେ ଆସିଥିବା ଅଭିଷେକ ଶର୍ମା ବି ୧୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ୫୮ ରନ କରିଥିଲେ । ରିୟାନ ପରାଗ୍ ୨୨ ରନ ଓ ଶିବମ ଦୁବେ ୨୬ ରନ କରିଥିଲେ । ରିଙ୍କୁ ସିଂ ୧୧ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଜିମ୍ବାଓ୍ବେ ପକ୍ଷରୁ ବ୍ଲେସିଂ ମୁଜାରାବାନି ୨ଟି ଓ୍ବିକେଟ ନେଇଥିବାବେଳେ ସିକନ୍ଦର ରାଜା, ବ୍ରାଣ୍ଡନ ମାଭୁଟା ଓ ରିଚାର୍ଡ ଗାରାଭା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।