ମାଲେସିଆକୁ ହରାଇଲା ଭାରତ

ଇପୋ (ମାଲେସିଆ): ଏକାଧିକ ସୁଯୋଗ ହାତଛଡ଼ା କରିବା ସତ୍ତ୍ବେ ଭାରତୀୟ ହକି ଦଳ ମଙ୍ଗଳବାର ସୁଲତାନ ଆଜଲାନ୍ ସାହ କପ୍‌ ହକି ପ୍ରତିଯୋଗିତାରେ ଆୟୋଜକ ମାଲେସିଆକୁ ୪-୨‌ ଗୋଲ୍‌ରେ ହରାଇ ଦେଇଛି। ଏଥି ସହିତ ଭାରତ ମଧ୍ୟ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହିତ ଫାଇନାଲ୍ ଖେଳିବା ସମ୍ଭାବନାକୁ ବଢ଼ାଇଛି। ପ୍ରଥମ ମ୍ୟାଚ୍‌ରେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନକୁ ହରାଇଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟରେ‌ ଗୋଲ୍ ବରଣ କରି କୋରିଆ ସହ ପଏଣ୍ଟ ଭାଗ (୧-୧) କରିଥିଲା। ମଙ୍ଗଳବାରର ବିଜୟ ପରେ କୋରିଆ ଏବଂ ଭାରତ ସମାନ ୭ ପଏଣ୍ଟ୍ ପାଇ ଟେବୁଲ୍‌ର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
ମଙ୍ଗଳବାର ଭାରତୀୟ ଖେଳାଳିମାନେ ମ୍ୟାଚ୍‌ରେ ମୋଟ ୯ ପେନାଲଟି କର୍ନର ଅର୍ଜନ କରିଥିଲେ ମଧ୍ୟ ଗୋଟିଏ ଗୋଲ୍ ପାଇନଥିଲା। କିନ୍ତୁ ଏହା ଭାରତୀୟ ଖେଳାଳିଙ୍କ ଆକ୍ରମଣାତ୍ମକ ହକିର ନିଖୁଣ ନିଦର୍ଶନ ଦେଖାଇଥିଲା। ସମସ୍ତ ୪ ଗୋଲ୍‌କୁ ଫିଲଡ୍ ଗୋଲରୁ ଦେଇଥିଲା ଏବଂ ଶେଷ ମିନିଟ୍‌ରେ ନିଜ ରକ୍ଷଣଭାଗକୁ ଦୃଢ଼ ରଖି ମାଲେସିଆ ପ୍ରୟାସକୁ ପଣ୍ଡ କରିବାରେ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ମାଲେସିଆ ନିଜର ଉଭୟ ଗୋଲ୍ ପେନାଲଟି କର୍ନରରୁ ଦେଇଥିଲା। ପ୍ରଥମ କ୍ବାର୍ଟର‌ ଗୋଲଶୂନ୍ୟ ବିତିବା ପରେ ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରୁ ସୁମିତ (୧୭ ମିନିଟ) ଭାରତକୁ ପ୍ରଥମ ଅଗ୍ରଣୀ ଦେଇଥିଲେ। କିନ୍ତୁ ୪ ମିନିଟ୍ ପରେ ମାଲେସିଆର ସମାନ ଜର୍ସି (୧୭ ନମ୍ବର)ର ଖେଳାଳି ତଥା ଅଧିନାୟକ ରାଜି ରହିମ୍‌ ପେନାଲଟି କର୍ନର ଜରିଆରେ ଗୋଲଟିକୁ ପରିଶୋଧ କରି‌ ଦେଇଥିଲେ। ଭାରତୀୟ ଦଳର ଦ୍ବିତୀୟ ସୁମିତ୍‌ (କୁମାର) ୨୭ତମ ମିନିଟ୍‌ରେ ଭାରତକୁ ପୁଣି ଥରେ ଆଗୁଆ (୨-୧) କରାଇ ଦେଇଥିଲେ। ଏଥି ସହିତ ଭାରତ ମଧ୍ୟ ଦ୍ବିତୀୟ କ୍ବାର୍ଟରକୁ ନିଜ ସପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ବରୁଣ କୁମାର ୩୬ତମ ମିନିଟ୍‌ରେ ଆଉ ଏକ ଫିଲଡ୍ ଗୋଲ୍ ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ‌ ଗୋଲ୍ ଦେଇଥିଲେ। ‌ତେଙ୍ଗକୁ ତାଜୁଦ୍ଦିନ୍‌ ୫୭ତମ ମିନିଟ୍‌ରେ ପେନାଲଟି କର୍ନରରୁ‌ ଗୋଲ୍‌ ଦେଇ ଭାରତକୁ ଚାପରେ ପକାଇଥିଲେ। କିନ୍ତୁ ଶେଷ ମିନିଟ୍‌ରେ ଗୋଲ ବରଣ ନ କରିବାକୁ କରିଥିବା ଯୋଜନାରେ ଭାରତ ଏଥର ସଫଳ ହୋଇଥିଲା। କୋରିଆ ବିପକ୍ଷ ଭୁଲକୁ ସୁଧାରିବାରେ ସକ୍ଷମ ହୋଇଥିଲା। ମନଦୀପ୍ ସିଂହ ୫୮ ମିନିଟ୍‌ରେ ଏକ ସୁନ୍ଦର ଫିଲଡ୍ ଗୋଲ୍‌ ଦେଇ ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ଭୁବନେଶ୍ବର ବିଶ୍ବକପ୍‌ରେ କ୍ବାର୍ଟର ଫାଇନାଲରେ ଅଟକିଥିବା ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ବିନା ଖେଳୁଥିଲେ ମଧ୍ୟ ପ୍ରଥମ ୩ ମ୍ୟାଚ୍‌ରେ ଅପରାଜିତ ରହି ଉଲ୍ଲେଖନୀୟ ଫଳାଫଳ ଦେଇଛି।
ବୁଧବାର ଭାରତ-କାନାଡା ଏବଂ ମାଲେସିଆ-କୋରିଆ ମୁକାବିଲା ହେବ। ଏହି ମ୍ୟାଚ୍‌ର ଫଳାଫଳ ଶନିବାର କିଏ ଫାଇନାଲ୍ ଖେଳିବ ନିର୍ଣ୍ଣୟ କରିଦେବ। ଭାରତ ଏବଂ କୋରିଆ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇଥିବା ବେଳେ ମାଲେସିଆ ଏବଂ କାନାଡ଼ା ସମାନ ୬ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି।

ଆଜ୍‌ଲାନ୍‌ ସାହା ହକି ପଏଣ୍ଟ୍‌ ତାଲିକା

ଦଳ ମ୍ୟାଚ୍‌ ବିଜୟ ଡ୍ର ପରାଜୟ ଗୋଲ୍‌ ଫରକ ପଏଣ୍ଟ୍‌
କୋରିଆ ୩ ୨ ୧ ୦ ୪ ୭
ଭାରତ ୩ ୨ ୧ ୦ ୪ ୭
ମାଲେସିଆ ୩ ୨ ୦ ୧ ୩ ୬
କାନାଡା ୩ ୨ ୦ ୧ ୨ ୬
ଜାପାନ ୩ ୦ ୦ ୩ -୪ ୦
ପୋଲାଣ୍ଡ ୩ ୦ ୦ ୩ -୯ ୦

ସମ୍ବନ୍ଧିତ ଖବର