୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ୱକପ୍ : ଭାରତ ସର୍ବାଧିକ ସଫଳ ଦଳ

ଦୁବାଇ : ଚଳିତ ବର୍ଷ ଜାନୁଆରି ୧୭ରୁ ଦକ୍ଷିଣ ଆଫ୍ରିକାରେ ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଏହି ବିଶ୍ବକପ୍‌ରେ ମୋଟ ୧୬ ଦଳ ଭାଗ ନେଉଥିବା ବେଳେ ମୋଟ ୪୮ ମ୍ୟାଚ୍‌ ସ୍ଥାନ ପାଇଛି। ଆୟୋଜକ ଦକ୍ଷିଣ ଆଫ୍ରିକା ବ୍ୟତୀତ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଆଫ୍‌ଗାନିସ୍ତାନ, ଜିମ୍ବାୱେ, ନାଇଜେରିଆ, କାନାଡା, ୟୁଏଇ, ଜାପାନ ଓ ସ୍କଟ୍‌ଲାଣ୍ଡ୍‌ ଏଥର ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଦଳଗୁଡ଼ିକୁ ଚାରିଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଭାରତ ଗ୍ରୁପ୍‌-ଏ’ରେ ଜାପାନ, ନ୍ୟୁଜିଲାଣ୍ଡ୍‌ ଓ ଶ୍ରୀଲଙ୍କା ସହ ସ୍ଥାନ ପାଇଥିଲା ବେଳେ ୧୯ ତାରିଖ ଦିନ ଶ୍ରୀଲଙ୍କା ସହ ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ଜାନୁଆରି ୨୧ ଓ ୨୪ ତାରିଖରେ ଅବଶିଷ୍ଟ ଦୁଇଟି ଗ୍ରୁପ୍‌ ମ୍ୟାଚ୍‌ ଯଥାକ୍ରମେ ଜାପାନ ଓ ନ୍ୟୁଜିଲାଣ୍ଡ ସହ ଖେଳିବ। ଗ୍ରୁପ୍‌-ବି’ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନାଇଜେରିଆ ଓ ୱେଷ୍ଟଇଣ୍ଡିଜ୍‌, ଗ୍ରୁପ୍‌-ସି’ରେ ବାଂଲାଦେଶ, ପାକିସ୍ତାନ, ସ୍କଟ୍‌ଲାଣ୍ଡ୍‌ ଓ ଜିମ୍ବାୱେ ଏବଂ ଗ୍ରୁପ୍‌-ଡି’ରେ ଆଫ୍‌ଗାନିସ୍ତାନ, କାନାଡ଼ା, ଦକ୍ଷିଣ ଆଫ୍ରିକା ଓ ୟୁଏଇ ସାମିଲ ଅଛନ୍ତି।

ଏ ପର୍ଯ୍ୟନ୍ତ ମୋଟ ୧୨ ଯୁବ ବିଶ୍ବକପ୍‌ ଖେଳାଯାଇ ସାରିଥିଲା ବେଳେ ଭାରତ ସର୍ବାଧିକ ସଫଳ ଦଳ ଭାବେ ୪ ଥର ବିଜେତା ଏବଂ ୨ ଥର ଉପବିଜେତା ହୋଇଛି। ମହମ୍ମଦ କୈଫ୍‌ଙ୍କ ନେତୃତ୍ବରେ ୨୦୦୦ ମସିହାରେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଜିତିଥିଲା ବେଳେ ୨୦୦୮ରେ ଏବର ବରିଷ୍ଠ ଦଳ ଅଧିନାୟକ ବିରାଟ କୋହଲି ଭାରତକୁ ଦ୍ବିତୀୟ ଥର ବିଶ୍ବ ବିଜେତା କରାଇଥିଲେ। ଏହା ବ୍ୟତୀତ ୨୦୧୨ ଓ ୨୦୧୮ରେ ଯଥାକ୍ରମେ ଉନ୍ମୁକ୍ତ ଚାନ୍ଦ ଓ ପୃଥ୍ବୀ ସ’ଙ୍କ ନେତୃତ୍ବରେ ଭାରତ ଆଉ ଦୁଇ ଥର ବିଶ୍ବକପ୍‌ ତୋଳି ଧରିଥିଲା। ଆଗାମୀ ତ୍ରୟୋଦଶ ସଂସ୍କରଣ ପାଇଁ ପ୍ରିୟମ ଗର୍ଗ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି। ତେବେ ୧୯୮୮ ପ୍ରଥମ ସଂସ୍କରଣରେ ଆୟୋଜକ ଅଷ୍ଟ୍ରେଲିଆ ୫ ଵିକେଟ୍‌ରେ ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ହୋଇଥିଲା।

୧୯ ବର୍ଷରୁ କମ୍‌ ଭାରତୀୟ ବିଶ୍ବକପ୍‌ ଦଳ: ପ୍ରିୟମ ଗର୍ଗ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଲକ ବର୍ମା, ଦିବ୍ୟାଂଶ ସକ୍‌ସେନା, ଧ୍ରୁବ ଚାନ୍ଦ ଜୁରେଲ୍‌ (ୱିକେଟ୍‌ରକ୍ଷକ/ ଉପଅଧିନାୟକ), ଶାଶ୍ବତ ରାୱତ, ଦିବ୍ୟାଂଶ ଜୋଷୀ, ଶୁଭଙ୍ଗ ହେଗ୍‌ଡେ, ରବି ବିଷ୍ଣୋଇ, ଆକାଶ ସିଂହ, କାର୍ତିକ ତ୍ୟାଗୀ, ଅଥର୍ବ ଅଙ୍କୋଲେକର, କୁମାର କୁସାଗ୍ର (ୱିକେଟ୍‌ରକ୍ଷକ), ସୁଶାନ୍ତ ମିଶ୍ର, ବିଦ୍ୟାଧର ପାଟିଲ।

ସମ୍ବନ୍ଧିତ ଖବର