ସବୁଠୁ ବଡ଼ ବିଜୟ

ରାଜକୋଟରେ ଇଣ୍ଡିଜ୍ ଅଧୋପତନ

ରାଜକୋଟ: କଥା‌େର ଅଛି କର୍ପୁର ଉଡ଼ି ଯାଇଛି, କନା ପଡ଼ି ରହିଛି। ହେଲେ ୮୦ ଦଶକର ଦୁର୍ଦ୍ଧଶ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ୍ ପାଖରେ ସେହି କନା ଟିକିଏ ଅଛି କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏକାଦା ବିଶ୍ବ କ୍ରିକେଟ୍‌ର ଅଭେଦ୍ୟ ଦୁର୍ଗର ମାନ୍ୟତା ଲାଭ କରିଥିବା ଇଣ୍ଡିଜ୍ ଶହେ ଓଭର ଭିତ‌େର ଦୁଇ ଥର ଅଲଆଉଟ୍ ହେବା ସହ ରାଜକୋଟରେ ଭାରତ ବିପକ୍ଷରେ ସବୁଠାରୁ ବଡ଼ ଟେଷ୍ଟ ପରାଜୟ ବରଣ କରିଛି। ଗୋଟିଏ ପାଳି ଏବଂ ୨୭୨ ରନ୍‌ର ବଡ଼ ବ୍ୟବଧାନରେ ହାରିଛି। ଇଣ୍ଡିଜ୍ ଶନିବାର ଅସହାୟ ଭଳି ଭାରତୀୟ ବୋଲରଙ୍କ ନିକଟରେ ବିନା ଲଢ଼େଇରେ ଆତ୍ମ ସପର୍ମଣ କରିଛି। ଏହି ଦଳ ମଧ୍ୟ ଭାରତ ବିପକ୍ଷରେ ଲଗାତାର ତୃତୀୟ ମ୍ୟାଚ୍‌ ତିନି ଦିନ ଭିତରେ ହାରିଛି। ରାଜକୋଟ ଲଢ଼େଇର ଗୋଟିଏ ପାଳିରେ ଯଥେଷ୍ଟ ରନ୍ କରି ନେଇଥିବା ଭାରତ ଅନ୍ୟପକ୍ଷରେ ସବୁଠାରୁ ବଡ଼ ଟେଷ୍ଟ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ଗତ ଜୁନ୍ ମାସରେ ବେଙ୍ଗାଲୁରୁଠାରେ ଆୟୋଜିତ ଆଫଗାନିସ୍ତାନର ପଦାର୍ପଣ ଟେଷ୍ଟକୁ ଗୋଟିଏ ପାଳି ଏବଂ ୨୬୨ ରନ୍‌ରେ ଜିତିଥିଲା। ଯାହା ଶୁକ୍ରବାର ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ସର୍ବବୃହତ୍ ବିଜୟ ହୋଇ ରହିଥିଲା। ରାଜକୋଟ ଟେଷ୍ଟରେ ଏକତରଫା ବିଜୟ ହାସଲ କରି ଭାରତ ୨ ଟିକିଆ ଶୃଙ୍ଖଳାରେ ବି ୧-୦ରେ ଆଗୁଆ ହୋଇ ଯାଇଛି। ଘରୋଇ ପରିବେଶରେ ଭାରତର ଶତକୀୟ ଏବଂ ବିରାଟ କୋହଲିଙ୍କ ନେତୃତ୍ବରେ ଚତୁର୍ଦଶ ଟେଷ୍ଟ ବିଜୟ ଥିଲା। ଦ୍ବିତୀୟ ତଥା ଶେଷ ଟେଷ୍ଟ ହାଇଦ୍ରାବାଦଠାରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ।

ବିଶ୍ବ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ୍ ପ୍ରଥମ ସ୍ଥାନରେ ଥିବା ଭାରତକୁ ଭାରତରେ ହରାଇବ ବୋଲି କେହି ଆଶା କରି ନଥିଲେ। ତଥାପି ଏହି ଦଳ କିଛିଟା ଟକ୍କର ଦେବ ବୋଲି ଆଶା କରାଯାଇଥିଲା। ହେଲେ ଏମିତି କିଛି ଘଟି ନଥିଲା। ଦୁଇଟି ଅଧିବେଶନରୁ ମାତ୍ର କିଛି ଅଧିକ ସମୟ ଭିତରେ ୧୪ ୱିକେଟ୍ ହରାଇ ଇଣ୍ଡିଜ୍ ଆଉ ଏକ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ସେପଟେ ୧୮ ବର୍ଷୀୟ ତାରକା ପୃଥ୍ବୀ ସ, ଅଧିନାୟକ କୋହଲି ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ଶତକ ବଳରେ ୬୪୯/୯ରେ ପାଳି ଘୋଷଣା କରିଥିବା ଭାରତ ଆରମ୍ଭରୁ ଇଣ୍ଡିଜ୍ ଦଳରେ ଯେ ଆତ୍ମବିଶ୍ବାସର ଅଭାବ ରହିଛି ଠଉରାଇ ନେଇଥିଲା। ସେଥିପାଇଁ ପ୍ରଥମ ପାଳିରେ ଇଣ୍ଡିଜକୁ ୧୮୧ ରନ୍‌ରେ ଅଲଆଉଟ୍ କରି ଫଲୋଆନ୍ ଡାକିଥିଲା। ଇଣ୍ଡିଜ୍ ଦ୍ବିତୀୟ ପାଳିରେ ଟିକିଏ ଭଲ ଖେଳି ୧୯୬ ରନ୍ ପର୍ଯ୍ୟନ୍ତ ଯାଇଥିଲା। ତେବେ ଲଗାତାର ଦ୍ବିତୀୟ ଥର ପାଇଁ ୨୦୦ରୁ କମ୍ ରନ୍ କରି ଲଜ୍ଜାଜନକ ଭାବେ ହାରିଥିଲା। ପ୍ରଥମ ପାଳିରେ ଏହି ଦଳ ୪୮ ଓଭର ଏବଂ ଦ୍ବିତୀୟରେ ୫୦.୫ ଓଭର ଖେଳିଥିଲା। ପଦାର୍ପଣରେ ଶତକ ହାସଲ କରିଥିବା ହାତଗଣତି ଖେଳାଳି ମଧ୍ୟରେ ସ୍ଥାନ ପାଇଥିବା ସ’ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଭଳି କରିବାରେ ସେ ଷଷ୍ଠ ଖେଳାଳି ହୋଇଥିଲେ।

ପାଳି ଓ ୨୭୨ ରନ୍‌ରେ ଜିତିଲା ଭାରତ
ଘରୋଇ ପରିବେଶରେ ଶତକୀୟ ଟେଷ୍ଟ ବିଜୟ
ପୃଥ୍ବୀଙ୍କୁ ପଦାର୍ପଣରେ ଶ୍ରେଷ୍ଠ ଖେଳାଳି ପୁରସ୍କାର
କୁଲଦୀପ୍‌ଙ୍କୁ ପ୍ରଥମ ୫ ୱିକେଟ୍‌ ସଫଳତା

ୱେଷ୍ଟଇଣ୍ଡିଜ୍ ଶନିବାର ପ୍ରଥମ ପାଳି ସ୍କୋର ୯୪/୬ରୁ ଖେଳ ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟ୍ସମ୍ୟାନ୍ ରଷ୍ଟନ୍ ଚେଜ୍ (୫୩) ଷଷ୍ଠ ଅର୍ଧଶତକ ପୂରଣ କରିଥିଲେ। କେମୋ ପଲ୍ (୪୭) ବି ଉପଯୋଗୀ ପାଳି ଖେଳିଥିଲେ। ଇଣ୍ଡିଜ୍ କିନ୍ତୁ ଆଉ ୮୫ ରନ୍‌ରେ ବଳକା ୪ ୱିକେଟ୍ ହରାଇଥିଲା। ଫଳରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା। ଦ୍ବିତୀୟ ପାଳିରେ କିରଣ ପାୱେଲ (୮୩ ରନ୍, ୯୩ ବଲ୍) ଲଢ଼ୁଆ ଅର୍ଧଶତକ ଅର୍ଜନ କରିବା ସତ୍ତ୍ବେ ଏହିଦଳ ଭାରତୀୟ ସ୍ପିନରଙ୍କୁ ବେଶୀ ସମୟ ଖେଳି ପାରି ନଥିଲା। ବିଶେଷ କରି ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ (୧୪-୨-୨୭-୫) ପ୍ରଥମଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଲାଭ କରି ତିନି ଦିନରେ ଖେଳ ଖତମ କରି ଦେଇଥିଲେ। ସେ ମଧ୍ୟ ସପ୍ତମ ବୋଲର ଭାବେ ଟ୍ବେଣ୍ଟି-୨୦, ଦିନିକିଆ ଏବଂ ଟେଷ୍ଟ, କ୍ରିକେଟ‌୍‌ର ତିନିଟି ଯାକ ରୂପରେ ଏଭଳି ସଫଳତା ପାଇଥିଲେ। ମ୍ୟାଚ୍‌ରେ ୬ ୱିକେଟ୍ ଅକ୍ତିଆର କରିଥିବା ଅନ୍ୟତମ ଭାରତୀୟ ସ୍ପିନର ଆର ଅଶ୍ବିନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଆଲାନ ଡୋନାଲ୍ଡଙ୍କୁ ଟପିଥିଲେ। ପାୱେଲଙ୍କ ଷ୍ଟ୍ରୋକଭରା ପାଳି ପାଇଁ ଅବଶ୍ୟ ୱେଷ୍ଟଇଣ୍ଡିଜ୍ ତା’ର ସର୍ବବୃହତ୍ ଟେଷ୍ଟ ପରାଜୟ (୨୦୦୭, ଇଂଲଣ୍ଡ, ଗୋଟିଏ ପାଳି ୨୮୩ ରନ୍)କୁ ଟାଳି ଦେଇଥିଲା।

ତାତି ବିରତି ସପକ୍ଷରେ କୋହଲି
ମୃଦୁ ପାନୀୟ, ଚା’ ଓ ମଧ୍ୟାହ୍ନ ଭୋଜନ ବିରତି ଭଳି ତାତି ବିରତି ଦେବାକୁ ଦାବି କଲେ ଭାରତୀୟ ଅଧିନାୟକ ବିରାଟ କୋହଲି। ଯେଉଁଠାରେ ମାତ୍ରାଧିକ ଗରମ ଅନୁଭୂତ ହେଉଥିବ, ସେଠାରେ ଅଧିକ ପାନୀୟ ବିରତି ପାଇଁ ଅନୁମତି ଦେବାକୁ କୋହଲି ଶନିବାର ମ୍ୟାଚ୍ ଅଧିକାରୀ ଏବଂ ଅମ୍ପାୟାରଙ୍କୁ ଆହ୍ବାନ କରିଛନ୍ତି। ରାଜକୋଟରେ ଭଳି ସ୍ଥାନରେ ସଂପ୍ରତି ତାତି ୪୦ ଡିଗ୍ରି ଛୁଇଁଛି। ଏଭଳି ପରିସ୍ଥିତିରେ ଖେଳାଳିମାନେ ଅସହଜ ଅନୁଭବ କରୁଛନ୍ତି। ଶରୀରରେ ଜଳୀୟ ଅଂଶ ଶୀଘ୍ର କମି ଯାଉଥିବାରୁ ସେମାନେ ମାତ୍ରାଧିକ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଏଭଳି ସ୍ଥିତିରେ ଅମ୍ପାୟାର କିଛି ଘଣ୍ଟାର ଅନ୍ତରାଳରେ ପାନୀୟ ବିରତି ପାଇଁ ଅନୁମତି ଦେବାକୁ କୋହଲି ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜକୋଟ ପରିବେଶକୁ ଭଲ ଭାବରେ ଜାଣିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ସେଥିପାଇଁ ପକେ‌ଟରେ ପାଣି ବୋତଲ ରଖି ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। କୋହଲି କହିଛନ୍ତି ୪୦-୪୫ ଡିଗ୍ରି ତାପମାତ୍ରାରେ ପାଣି ନ ପିଇ ଲଗାତାର ବ୍ୟାଟିଂ କିମ୍ବା କ୍ଷେତ୍ରରକ୍ଷଣ କରିବା ଆଦୌ ସହଜ ନୁହେଁ। ଅମ୍ପାୟାରମାନେ ପାନୀୟ ବିରତି ଡାକିବା ସମୟ ନିର୍ଧାରଣ କରିବା ବେଳେ ଏହି କଥାକୁ ଧ୍ୟାନରେ ରଖିବେ ‌େବାଲି ମୁଁ ଭାବୁଛି।

ସମ୍ବନ୍ଧିତ ଖବର