ଇଣ୍ଡିଆ ବ୍ଲୁ ଜିତିଲା ଦଲିପ୍‌ ଟ୍ରଫି, ଇଣ୍ଡିଆ ରେଡ୍‌ ପାଳି ଓ ୧୮୭ ରନ୍‌ରେ ପରାସ୍ତ

ଡିଣ୍ଡିଗୁଲ୍‌: ଅଭିନବ ମୁକୁନ୍ଦଙ୍କ ଇଣ୍ଡିଆ ରେଡ୍‌କୁ ଏକ ପାଳି ଓ ୧୮୭ ରନ୍‌ରେ ପରାସ୍ତ କରି ଫୈଜ୍‌ ଫଜଲ୍‌ଙ୍କ ଇଣ୍ଡିଆ ବ୍ଲୁ ଚଳିତ ଋତୁର ଦଲିପ୍‌ ଟ୍ରଫି ବିଜେତା ହୋଇଛି। ତାମିଲନାଡୁର ଡିଣ୍ଡିଗୁଲ୍‌ରେ ଚାଲିଥିବା ୫ ଦିନିଆ ଫାଇନାଲ୍‌ର ଶୁକ୍ରବାର ଚତୁର୍ଥ ଦିବସରେ ମାତ୍ର ୩୭ ମିନିଟ୍‌ ଏବଂ ୧୦.୪ ଓଭର ମଧ୍ୟରେ ରେଡ୍‌ ଦଳର ଅବଶିଷ୍ଟ ୫ ଓ୍ଵିକେଟ୍‌ ଝଡ଼ାଇଦେଇ ବ୍ଲୁ ସହଜ ବିଜୟ ହାସଲ କରିଥିଲା। ବିଶେଷକରି ସ୍ପିନରଙ୍କ କମାଲ୍‌ ହିଁ ବ୍ଲୁ ଦଳକୁ ବିଜେତା କରାଇବାରେ ସହାୟକ ହୋଇଥିଲା। ପ୍ରଥମ ପାଳିରେ ୩୫୯ ରନ୍‌ ପଛରେ ପଡ଼ିଯାଇଥିବା ରେଡ୍‌ ଦଳ ଗୁରୁବାର ତୃତୀୟ ଦିବସ ଶେଷ ସୁଦ୍ଧା ୧୨୮ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିଲା। ଶୁକ୍ରବାର ଆଉ ୪୪ ରନ୍‌ ଯୋଡ଼ି ଅବଶିଷ୍ଟ ୫ ଓ୍ଵିକେଟ୍‌ ହରାଇଥିଲା। ପ୍ରଥମ ପାଳିରେ ୧୮୨ ରନ୍‌ କରିଥିବା ରେଡ୍‌ ଦଳ ଦ୍ୱିତୀୟ ପାଳିରେ ୩୮.୫ ଓଭରରେ ୧୭୨ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବ୍ଲୁ ଦଳର ଦୁଇ ସ୍ପିନର ଦୀପକ ହୁଦା (୫/୫୬) ଓ ସୌରଭ କୁମାର (୫/୫୧) ରେଡ୍‌ ଦ୍ୱିତୀୟ ପାଳିର ସମସ୍ତ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ପ୍ରଥମ ପାଳିରେ ଶତକ ଜମାଇଥିବା ବିଜୟୀ ଦଳର ନିଖିଲ ଗଙ୍ଗ୍‌ଟା (୧୩୦) ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଣ୍ଡିଆ ବ୍ଲୁ ପ୍ରଥମ ପାଳି: ୧୬୭.୩ ଓଭରରେ ୫୪୧ (ନିଖିଲ ଗଙ୍ଗ୍‌ଟା-୧୩୦, ଅନ୍‌ମୋଲ୍‌ପ୍ରିତ୍‌ ସିଂହ-୯୬, ସ୍ୱପ୍ନୀଲ ସିଂହ-୬୯, ରିକି ଭୁଇ-୬୦, ପର୍ଭେଜ୍‌ ରସୁଲ୍‌-୪/୧୫୦, ମିହିର ହିର୍‌ଓ୍ଵାନୀ-୩/୧୯୦)। ଇଣ୍ଡିଆ ରେଡ୍‌ ପ୍ରଥମ ପାଳି: ୬୯.୧ ଓଭରରେ ୧୮୨ (ଭବନକା ସନ୍ଦୀପ-୫୭, ସ୍ୱପ୍ନୀଲ ସିଂହ-୫/୫୮, ଧବଲ କୁଲ୍‌କର୍ଣ୍ଣି-୨/୩୩, ଜୟଦେବ ଉନାଦ୍‌କଟ୍‌-୨/୧୮)। ଇଣ୍ଡିଆ ରେଡ୍‌ ଦ୍ୱିତୀୟ ପାଳି: ୩୮.୪ ଓଭରରେ ୧୭୨ (ଅଭିନବ ମୁକୁନ୍ଦ-୪୬, ଇଶାନ୍‌ କିଷନ୍‌-୩୦, ସୌରଭ କୁମାର-୫/୫୧,ଦୀପକ ହୁଦା-୫/୫୬।

ସମ୍ବନ୍ଧିତ ଖବର