ପୋର୍ଟ ଅଫ ସ୍ପେନ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଉତ୍କଣ୍ଠାପୂର୍ଣ୍ଣ ୨ ୱିକେଟ୍ ବିଜୟ ସହିତ ଭାରତ ମଧ୍ୟ ଦିନିକିଆ ଶୃଙ୍ଖଳାକୁ ଆଗୁଆ କବ୍ଜା କରି ନେଇଛି। ଅକ୍ଷର ପଟେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ (୩୫ ବଲ୍ରୁ ୬୪* ରନ୍) ବଳରେ ଏହା ସମ୍ଭବ ହୋଇଥିଲା। ମାତ୍ର ୨ ବଲ୍ ପୂର୍ବରୁ ଭାରତ ୩୧୨ ରନ୍ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିଯାଇଥିଲା। ଏଥି ସହ ଶୁକ୍ରବାର ରାତିରେ ୱେଷ୍ଟଇଣ୍ଡିଜ୍କୁ ୩ ରନ୍ରେ ହରାଇଥିବା ଭାରତ ଏକ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛି। କୌଣସି ନିର୍ଦ୍ଧିଷ୍ଟ ଦଳ ବିପକ୍ଷରେ ଲଗାତାର ୧୨ ଦିନିକିଆ ଶୃଙ୍ଖଳା ଜିତିଲା ଭାରତ। ପୂର୍ବରୁ ପାକିସ୍ତାନ (୧୧) ନାମରେ ଏହି କୀର୍ତ୍ତିମାନ ଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଏହି ବିଜୟ ଧାରା ୨୦୦୭ରୁ ଆରମ୍ଭ ହୋଇଥିବା ବେଳେ ପାକିସ୍ତାନ ୧୯୯୬ରୁ ୨୦୨୧ ମସିହା ମଧ୍ୟରେ ଜିମ୍ବାୱେ ବିପକ୍ଷରେ ୧୧ ଲଗାତାର ଶୃଙ୍ଖଳା ବିଜୟ ସଫଳତା ପାଇଥିଲା। ପାକିସ୍ତାନ ମଧ୍ୟ ୧୯୯୯ରୁ ୨୦୨୨ ମସିହା ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ୧୦ ଶୃଙ୍ଖଳା ବିଜୟ ସଫଳତା ପାଇଛି।
ଭାରତ ମଧ୍ୟ ରବିବାର ୱେଷ୍ଟଇଣ୍ଡିଜ୍ ମାଟିରେ ସର୍ବୋଚ୍ଚ ପଶ୍ଚାତଧାବନ ଦିନିକିଆ ବିଜୟ ପାଇଥିଲା। ଏ କ୍ଷେତ୍ରରେ ଭାରତ ମଧ୍ୟ ପାକିସ୍ତାନ (୩୦୯, ପ୍ରଭିନ୍ସ, ୨୦୧୭)କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି। ୨୦୧୯ରେ ଇଂଲଣ୍ଡ ୩୬୧ ଏବଂ ୨୦୦୩ରେ ଶ୍ରୀଲଙ୍କା ୩୧୩ ରନ୍କୁ ସଫଳ ଭାବେ ପିଛା କରି ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ଭାରତର ୩୧୨ ରନ୍ ବିଜୟ ତୃତୀୟ ସ୍ଥାନରେ ରହିଛି।
ଶୃଙ୍ଖଳା ବିଜୟ ଦେଲେ ଅକ୍ଷର
ପୋର୍ଟ ଅଫ୍ ସ୍ପେନ୍: ଚତୁର୍ଥ ୱିକେଟ୍ ପାଇଁ ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ୍ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ ୨୭ ବଲ୍ ଅର୍ଦ୍ଧଶତକ (୬୪*, ୩୫ ବଲ୍, ୩ ଚୌକା, ୫ ଛକା) ବଳରେ ଭାରତ ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ରୋମାଞ୍ଚକ ଭାବେ ହରାଇ ଦେଇଛି। ୱେଷ୍ଟଇଣ୍ଡିଜ୍ ୩୧୧ ରନ୍ କରିବା ପରେ ଭାରତ ୨ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ୩୧୨ ରନ୍ ସଂଗ୍ରହ କରି ନେଇଥିଲା। ଶେଷ ଓଭର ଚତୁର୍ଥ ବଲ୍ରେ କାଇଲ ମାୟର୍ସଙ୍କୁ ଛକା ମାରି ଅକ୍ଷର ପଟେଲ ମ୍ୟାଚ୍ ଶେଷ କରିଥିଲେ। ବିଜୟ କଷ୍ଟସାଧ୍ୟ ହୋଇଥିଲା ବେଳେ ଭାରତୀୟ ବ୍ୟାଟର କିନ୍ତୁ ୪୧ରୁ ୫୦ ଓଭର ଭିତରେ ୧୦୦ ରନ୍ ଯୋଡ଼ି ଏହାକୁ ସମ୍ଭବ କରିଥିଲେ। ଏଥି ସହ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଶିଖର ଧାୱନଙ୍କ ଦଳ ୨-୦ରେ ଆଗୁଆ ଜିତି ନେଇଛି। ନିଜ ଜୀବନର ପ୍ରଥମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ଅକ୍ଷର ପଟେଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/465465465dagdagdgggdd.jpg)
