ଭାରତର କାଂସ୍ୟ କୀର୍ତ୍ତି

ହକି ବିଶ୍ୱ ଲିଗ୍‌ ଉଦ୍‌ଯାପିତ

ଭୁବନେଶ୍ୱର (ଦେବାଶିଷ ସୁନ୍ଦରାୟ): ହକି ବିଶ୍ୱ ଲିଗ୍‌-୩ରେ ଭାରତ କାଂସ୍ୟ କୀର୍ତ୍ତିମାନ କରିଛି। ରବିବାର ୨-୧ରେ ଜର୍ମାନିକୁ ହରାଇ ଏହି ୮ ଦଳୀୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ଥର କାଂସ୍ୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିଛି। ଏପରି କରିବାରେ ଆୟୋଜକ ଦେଶ ଭାରତ ବିଶ୍ୱ ହକିର ପ୍ରଥମ ଦଳ ହୋଇଛି। ଏହା ପୂର୍ବରୁ ରାଏପୁରରେ ୨୦୧୪ରେ ଆୟୋଜିତ ହୋଇଥିବା ହକି ବିଶ୍ୱ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ମଧ୍ୟ ଭାରତ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ଜିତିଥିଲା।

ରବିବାରର ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ ପୂର୍ବରୁ ଜର୍ମାନିକୁ ଶକ୍ତ ଧକ୍କା ଲାଗିଥିଲା। ଅସୁସ୍ଥତା କାରଣରୁ ଏହି ଦଳର ଖେଳାଳି କ୍ଷମତା ୧୮ରୁ ୧୧କୁ କମି ଯାଇଥିଲା। ଏଣୁ ଦଳ ବଦଳ ଖେଳାଳି ଉପଯୋଗ କରିବାର ବିକଳ୍ପ ହରାଇଥିଲା। ତଥାପି ପୂରା ୬୦ ମିନିଟ୍‌ ଯାକ ଜର୍ମାନି ଭାରତକୁ ପାଣି ପିଆଇ ଦେଇଥିଲା। ପ୍ରଥମ ୧୦ ମିନିଟ୍‌ ଭାରତକୁ ବାନ୍ଧି ରଖିବାକୁ ଚେଷ୍ଟା କରିବା ପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା। ତ୍ରୟୋଦଶ ମିନିଟ୍‌ରେ ଜର୍ମାନି ଅଗ୍ରଭାଗ ଖେଳାଳିମାନେ କୌଶଳ କରି ଡି’ ଅଞ୍ଚଳରେ ସ୍ଥାନୀୟ ତାରକା ଦୀପସାନ୍‌ ତିର୍କିଙ୍କ ଗୋଡ଼ରେ ବଲ୍‌ ବଜାଇ ପ୍ରଥମ ପେନାଲ୍ଟି କର୍ନର ଅର୍ଜନ କରି ନେଇଥଲେ। ତେବେ ଭାରତୀୟ ରକ୍ଷଣଭାଗ ସଫଳତାର ସହ ଏହାକୁ ପ୍ରତିହତ କରି ନେଇଥିଲା। ଷୋଡ଼ଶ ମିନିଟ୍‌ରେ ରୂପୀନ୍ଦର ପାଲ ସିଂହ ହଳଦିଆ କାର୍ଡ ପାଇ ବାହାରକୁ ଯିବାର ସୁଯୋଗ ନେଇ ଜର୍ମାନି ଅଷ୍ଟାଦଶ ମିନିଟ୍‌ରେ ଲଗାତାର ଦୁଇଟି ପେନାଲ୍ଟି ହାସଲ କରି ନେଇଥିଲା। ହେଲେ ଭାରତ ଏହାକୁ ନାକାମ କରିବା ସହ ଦୁଇ ମିନିଟ୍‌ ପରେ ପ୍ରଥମ ଗୋଲ୍‌ ଦେବାର ସୌଭାଗ୍ୟ ଅର୍ଜନ କରିଥିଲା। ଆକାଶଦୀପ ସିଂହଙ୍କଠାରୁ ପାଇଥିବା ପାସ୍‌କୁ ଏସ୍‌ ଭି ସୁନୀଲ ସିଧା ଗୋଲ୍‌ ପୋଷ୍ଟ ଭିତରେ ପୂରାଇ ଭାରତକୁ ଆଗୁଆ କରି ଦେଇଥିଲେ। ପରବର୍ତୀ ୧୫ ମିନିଟ୍‌ରେ ଜର୍ମାନି ଆଉ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ହେଲେ ଗୋଲ୍‌ କରିବାରେ ସଫଳ ହୋଇ ନଥିଲା। ୩୬ ମିନିଟ୍‌ରେ ମ୍ୟାଟ୍ସ ଗ୍ରାମବସ୍କ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ୧-୧ କରି ନେଇଥିଲେ। ଅନ୍ୟ ପକ୍ଷରେ ୫୩ ମିନିଟ୍‌ରେ ରୂପୀନ୍ଦର ପାଲ ସିଂହ ପେନାଲ୍ଠି କର୍ନରକୁ ଗୋଲ୍‌ କରି ଭାରତକୁ ୨-୧ରେ ପୁଣି ଥରେ ଆଗୁଆ କରି ଦେଇଥିଲେ। ଶେଷ ୭ ମିନିଟ୍‌ରେ ବହୁ ଚେଷ୍ଟା ପରେ ମଧ୍ୟ ଜର୍ମାନି ଆଉ ଗୋଲ୍‌ କରି ପାରି ନଥିଲା। ଫଳରେ ଭାରତ ସେହି ୨-୧ରେ ମ୍ୟାଚ୍‌ ଜିତିବା ସହ ଲଗାତାର ଦ୍ୱିତୀୟ ଥର ପାଇଁ କାଂସ୍ୟ ପଦକ ଜିତିବାରେ ଏକମାତ୍ର ଦେଶ ହୋଇଥିଲେ। ଭାରରତ ହରମନପ୍ରୀତ ସିଂହ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଜର୍ମାନିର ମ୍ୟାଟ୍ସ ଗ୍ରାମବସ୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଂସ୍ୟ ବିଜୟୀ ଭାରତୀୟ ଦଳକୁ ପୁରସ୍କୃତ କରିଥିଲେ। ଏହି ଅବସରରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନ୍ୟତମ ଅତିଥି ଥିଲେ।

ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ

ରବିବାର ଜର୍ମାନିକୁ ପରାସ୍ତ କରି ହକି ବିଶ୍ୱ ଲିଗ୍‌-୩ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ପ୍ରଶିକ୍ଷକ ଜୋଏଡ୍‌ ମାରିନଙ୍କ ପାଇଁ ମଧ୍ୟ ସମାନ ପୁରସ୍କାର ରାଶି ପ୍ରଦାନ କରିଥିଲେ। ସେହିଭଳି ଦଳର ସହାୟକ ଅଧିକାରୀ ତଥା ଅନ୍ୟ ପ୍ରଶିକ୍ଷକମାନଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ଭାରତ ଏବଂ ପ୍ରଶଂସକଙ୍କ ପସନ୍ଦର ଖେଳାଳି ଭାବେ ରୂପିନ୍ଦର ପାଲ ସିଂହ ମଧ୍ୟ ପୁରସ୍କୃତ ହୋଇଥିଲେ।

ରାଠୋରଙ୍କ ଉପସ୍ଥିତିରେ କମାଲ

ରବିବାରର ଦୁଇଟି ଯାକ ମ୍ୟାଚ୍‌ ବେଳେ କଳିଙ୍ଗ ଷ୍ଟାଡିୟମ୍‌ର ଭିଆଇପି ଗ୍ୟାଲେରିରେ କେନ୍ଦ୍ର ଖେଳ ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋରଙ୍କ ଉପସ୍ଥିତି ଖେଳାଳି ଏବଂ ଦର୍ଶକଙ୍କୁ ଉଲ୍ଲସିତ କରିଥିଲା। ବିଶେଷ କରି ଭାରତ ମ୍ୟାଚ୍‌ ବେଳେ ଏଥେନ୍ସ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରାଠୋର ଦର୍ଶକ ଗ୍ୟାଲେରିରେ ବସିବା ଘରୋଇ ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ଯଥେଷ୍ଟ ହୋଇଥିଲା। କଳିଙ୍ଗ ଦର୍ଶକ ବି କିଛି କମ୍‌ ନଥିଲେ। ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତି ମୁହୂର୍ତରେ ସେମାନେ ଭାାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ରାଠୋରଙ୍କ ଉପସ୍ଥିତିରେ ଭାରତ ଶକ୍ତିଶାଳୀ ଜର୍ମାନିକୁ ହରାଇ କାଂସ୍ୟ ପଦକ ଜିତିବା ଏକ ସ୍ମରଣୀୟ ଘଟଣା ଥିଲା। ହକି ବିଶ୍ୱ ଲିଗ୍‌ର ତିନିଟି ସଂସ୍କରଣରୁ ଦୁଇଟିରେ କାଂସ୍ୟ ଜିତିବାରେ ଭାରତ ମଧ୍ୟ ବିଶ୍ୱର ଏକମାତ୍ର ଦେଶ ହୋଇଥିଲା।

ଲିଗ୍‌କୁ ବିଦାୟ, କପ୍‌କୁ ଅପେକ୍ଷା

କଳିଙ୍ଗ ଷ୍ଟାଡିୟମରେ ଗତ ୧୦ଦିନ ହେବ ଚାଲିଥିବା ହକି ମହୋତ୍ସବର ଅବସାନ ରବିବାର ହେଲା। ୮ ଦଳୀୟ ପ୍ରତିଯୋଗିତାରେ ୨୨ ଲଢ଼େଇ ପରେ ବିଜେତା ବଛାହେଲା। ହକି ବିଶ୍ୱ ଲିଗ୍‌ ଫାଇନାଲକୁ ଓଡ଼ିଶା ଯେମିତି ଭଲ ପାଇବା ଅଜାଡ଼ି ଦେଲା ପୂର୍ବରୁ ତାହା ଏକବାର ଦୁର୍ଲଭ ଥିଲା। ପ୍ରତିଯୋଗିତା ଆରମ୍ଭରୁ ତ ରାଜଧାନୀ ଭୁବନେଶ୍ୱରକୁ ଏକପ୍ରକାର ହକି ଜ୍ୱର ଗ୍ରାସ କରିଥିଲା। ବିଶ୍ୱ ହକି ଲିଗ୍‌ର ସୁନ୍ଦର ପରିସମାପ୍ତି ପରେ ଏବେ ଓଡ଼ିଶାବାସୀ ଆସନ୍ତାବର୍ଷର ବିଶ୍ୱକପ୍‌ ଅପେକ୍ଷାରେ ରହିବେ। ବିଶ୍ୱ ହକି ଲିଗକୁ ବିଦାୟ ଦେବା ପରେ ସମସ୍ତଙ୍କ ନଜର ଏବେ ବିଶ୍ୱକପ ଉପରେ ରହିବ। ହକି ବିଶ୍ୱ ଲିଗ୍‌ ଫାଇନାଲରେ ୮ ଦଳ ଅଂଶ ଗ୍ରହଣ କରିଥିଲା ବେଳେ ବିଶ୍ୱକପରେ ୧୬ ଦଳ ଖେଳିବେ। ହକି ବିଶ୍ୱ ଲିଗ୍‌ ୧୦ ଦିନ ଧରି ଚାଲିଥିଲା ବେଳେ ବିଶ୍ୱକପ୍‌ ପାଖାପାଖି ୨୦ ଦିନ ଧରି ଖେଳାଯିବ। ସେଥିପାଇଁ ଆସନ୍ତାବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ସହ ସମଗ୍ର ଓଡ଼ିଶା ହକିମୟ ହେବ।

ଅନ୍ତିମ ଅଧ୍ୟାୟ ଅଭୁଲା

ଭୁବନେଶ୍ୱର ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଥିଲା ଏହି ୮ ଦଳୀୟ ପ୍ରତିଯୋଗିତାର ତୃତୀୟ ତଥା ଶେଷ ସଂସ୍କରଣ। ଅନ୍ତର୍ଜାତୀୟ ହକି ମହାସଂଘ ଏହା ବଦଳରେ ‘ପ୍ରୋ ହକି ଲିଗ୍‌’ ନାମକ ଏକ ନୂଆ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ କରିବାକୁ ଘୋଷଣା କରି ସାରିଛି। ତଥାପି ଓଡ଼ିଶାରେ ଆୟୋଜିତ ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ପୂର୍ବର ଦୁଇ ସଂସ୍କରଣଠାରୁ ଅନେକ ଦୃଷ୍ଟିରୁ ବଳି ଯାଇଛି। ଗତ ଦୁଇ ସଂସ୍କରଣକୁ ଯେତିକି ଦର୍ଶକ ମିଳିତ ଭାବେ ଦେଖିଥିଲେ ଭୁବନେଶ୍ୱର ସଂସ୍କରଣରେ ଏକାକି ତା’ଠାରୁ ଅଧିକ ଦର୍ଶକ ଷ୍ଟାଡିୟମ୍‌ ଆସି ମ୍ୟାଚ୍‌ ଦେଖିଛନ୍ତି। ସେହିଭଳି ପ୍ରତିଯୋଗିତାର ଉଦଘାଟନୀ ଏବଂ ଉଦଯାପନୀ ଉତ୍ସବ ସହ ତାରକାଙ୍କ ଉପସ୍ଥିତି ବି ପୂର୍ବ ଦୁଇ ସଂସ୍କରଣଠାରୁ ଅଧିକ ହୋଇଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସହ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ହକିକୁ ନେଇ ପ୍ରତିଯୋଗିତା ସମୟରେ ତୁଳନାତ୍ମକ ଭାବେ ଅଧିକ ଚର୍ଚା ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ସଂସ୍କରଣରେ ମୋଟ ୨୪ ମ୍ୟାଚ୍‌ ଖେଳା ଯାଇଥିଲା। ସେଥିରେ ମୋଟ ୧୧୪ ଗୋଲ୍‌ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆର କିରନ ଗୋଭର୍ସ ବ୍ୟକ୍ତିଗତ ଭାବେ ସର୍ବାଧିକ ୬ ଗୋଲ୍‌ ଦେଇଥିଲେ। ହେଲେ ନେଦରଲାଣ୍ଡ ରୋବର୍ଟ କେମ୍ପରମ୍ୟାନ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ରାଏପୁରରେ ଖେଳା ଯାଇଥିବା ଦ୍ୱିତୀୟ ସଂସ୍କରଣରେ ୨୨ ମ୍ୟାଚ୍‌ ଖେଳା ଯାଇଥିଲା ବେଳେ ସେଥିରେ ୧୦୦ ଗୋଲ୍‌ ଦେଖିବାକୁ ମିଳିଥିଲା। ଆର୍ଜେଣ୍ଟିନାର ଗୋଞ୍ଜାଲୋ ପେଲେଟ୍‌ ସର୍ବାଧିକ ୮ ଗୋଲ୍‌ ଦେଇଥିଲେ। ଅଷ୍ଟ୍ରେଲିଆର ଜାମି ଡେ୍ଵର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ନେଦରଲାଣ୍ଡର ଜାପ୍‌ ଷ୍ଟକମ୍ୟାନ୍‌ ଶ୍ରେଷ୍ଠ ଗୋଲ୍‌ ରକ୍ଷକ ପୁରସ୍କାର ଲାଭ କରିଥିଲେ। ଚଳିତ ଥର କିନ୍ତୁ ୮୦ ଗୋଲ୍‌ ଦେଖିବାକୁ ମିଳିଛି।

 

ସମ୍ବନ୍ଧିତ ଖବର