ଭୁବନେଶ୍ୱର (ଦେବାଶିଷ ସୁନ୍ଦରାୟ): ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଭାରତୀୟ ବୀରମାନେ ଅପୂର୍ବ ସାହସର ନମୁନା ଦେଖାଇଲେ। ଘଣ୍ଟାଏ ପର୍ଯ୍ୟନ୍ତ ଲଢ଼ୁଆ ଖେଳ ଖେଳି ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ କଲେ। ମନପ୍ରୀତ ସିଂହଙ୍କ ଯୁବ ଦଳ ମ୍ୟାଚ୍ ଜିତିଲାନି। ହେଲେ ଶକ୍ତିଶାଳୀ ଅଷ୍ଟ୍ରେଲିଆଠାରୁ ୧ ପଏଣ୍ଟ ଛଡ଼ାଇ ଆଣି କଳିଙ୍ଗ ଷ୍ଟାଡିୟମ ଦର୍ଶକଙ୍କ ମନ ଜିତି ନେଲା। ହକି ବିଶ୍ୱ ଲିଗର ପ୍ରଥମ ମୁକାବିଲାକୁ ୧-୧ ଗୋଲରେ ଅମୀମାଂସିତ ରଖି ମନସ୍ତାତ୍ୱିକ ବିଜୟ ହାସଲ କଲା। ସେପଟେ ଗତଥରର ବିଜେତା ଅଷ୍ଟ୍ରେଲିଆ ଭାରତର ଲଢ଼ୁଆ ଖେଳରେ ଚକିତ ହୋଇଗଲା। ଶୁକ୍ରବାର ଅଷ୍ଟ୍ରେଲିଆକୁ ରୋକିଥିବା ଭାରତ ଶନିବାର ଇଂଲଣ୍ଡକୁ ଭେଟି ପ୍ରଥମ ବିଜୟ ସନ୍ଧାନରେ ରହିବ। ଓଡ଼ିଆ ତାରକା ଦୀପସାନ୍ ତିର୍କି ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇବା ଘରୋଇ ଦର୍ଶକଙ୍କ ଖୁସି ବଢ଼ାଇ ଦେଇଥିଲା।
ଶୁକ୍ରବାର ସକାଳୁ ସମସ୍ତେ ଅପେକ୍ଷା କରିଥିଲେ ଭାରତ-ଅଷ୍ଟ୍ରେଲିଆଳ ଲଢ଼େଇକୁ। ଇଂଲଣ୍ଡ-ଜର୍ମାନି ମ୍ୟାଚ୍ ବେଳେ ଖାଲି ପଡ଼ିଥିବା କଳିଙ୍ଗ ଷ୍ଟାଡିୟମର ପୂର୍ବ ଓ ପଶ୍ଚିମ ଷ୍ଟାଣ୍ଡ ବି ପୂରା ଭରି ଯାଇଥିଲା। ଆଫ୍ରିକାନ୍ ଧମାଲ ଲୋକନୃତ୍ୟ କଳାକାରଙ୍କ ନିଆରା ସ୍ୱାଗତରେ ଖେଳାଳିମାନେ ଜଣ ଜଣ କରି ପଡ଼ିଆକୁ ପ୍ରବେଶ କରିଥିଲେ। ଉଭୟ ଦଳର ଜାତୀୟ ପତାକା ପଡ଼ିଆକୁ ଆସିବା ପରେ ଜାତୀୟ ସଂଗୀତ ଗାନରେ କଳିଙ୍ଗ ଷ୍ଟାଡିୟମ୍ କମ୍ପି ଉଠିଥିଲା।
ଅବଗଣନା ସହ ଦର୍ଶକଙ୍କ ଅପୂର୍ବ ଉତ୍ସାହ ଏବଂ କରତାଳି ମଧ୍ୟରେ ଆରମ୍ଭ ହୋଇଥିଲା ଏହି ପ୍ରତୀକ୍ଷିତ ମୁକାବିଲା। ମାତ୍ର ୧୦ ସେକେଣ୍ଡ ଭିତରେ ଭାରତୀୟ ଖେଳାଳିମାନେ ନିଜ ଜବରଦସ୍ତ ଷ୍ଟିକ୍ ଚାଳନାରେ କଙ୍ଗାରୁ ଦଳକୁ ଚକିତ କରି ଦେଇଥିଲେ। ଏସ୍ ଉଥାପ୍ପା ନିଜ ଷ୍ଟିକ୍ ପଛପଟୁ ମାରିଥିବା ସଟ୍ ଅଷ୍ଟ୍ରେଲୀୟ ଗୋଲରକ୍ଷକ ରୋକି ଦେଇଥିଲେ। ଭାରତ ପ୍ରଥମ ମିନିଟରେ ହିଁ ଗୋଲରୁ ବଞ୍ଚିତ ହୋଇଥିଲା। ହେଲେ ଦର୍ଶକ ଘରୋଇ ଖେଳାଳିଙ୍କ ଖେଳ ଦେଖି ମତୁଆଲା ହୋଇ ଯାଇଥିଲେ। ତୃତୀୟ ମିନିଟରେ ହରମନପ୍ରୀତ ଓ ଆକାଶଦୀପ ଆଉ ଏକ ସୁଯୋଗ ସୃଷ୍ଟି କରିଥିଲେ। ତେବେ ଏହା ମଧ୍ୟ ବୃଥା ଯାଇଥିଲା। ଷଷ୍ଠ ମିନିଟରେ ମିଳିଥିବା କର୍ନର ବି କାମରେ ଲାଗି ପାରି ନଥିଲା। ହେଲେ ପ୍ରଥମ କ୍ୱାର୍ଟରର ପୂରା ୧୫ ମିନିଟ୍ ଖେଳରେ ଭାରତୀୟ ଖେଳାଳିକୁ ଅଷ୍ଟ୍ରେଲିଆକୁ ନିଶ୍ୱାସ ମାରିବାର ସୁଯୋଗ ଦେଇ ନଥିଲେ।
ମାହୋଲ ପୂରା ଉଷ୍ମ ଏବଂ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଶେଷ ୫ ମିନିଟରେ ଅଷ୍ଟ୍ରେଲିଆର ପ୍ରତି ଆକ୍ରମଣ ବି ନିଷ୍ଫଳ ଯାଇଥିଲା ପ୍ରଥମ କ୍ୱାର୍ଟରରେ କରିଥିବା ପରିଶ୍ରମର ଫଳ ଦ୍ୱିତୀୟରେ ମିଳି ଯାଇଥିଲା। ୨୦ ମିନିଟରେ ଡି’ ଅଞ୍ଚଳରୁ ମନଦୀପ ସିଂହଙ୍କ ଡାଇଭ୍ ମରା ସଟ୍ ସିଧା ଗୋଲ୍ ପୋଷ୍ଟ ଭିତରେ ପଶିବା ସହ ଭାରତ ୧-୦ରେ ଆଗୁଆ ହୋଇ ଯାଇଥିଲା। ଦର୍ଶକ ଝୁମି ଉଠିଥିଲେ। ହେଲେ ସେମାନଙ୍କର ଏହି ଆନନ୍ଦ ଅଳ୍ପ ସମୟ ପରେ ଉଭେଇ ଯାଇଥିଲା। ଏକ ମିନିଟ୍ ଭିତରେ ଜେରମି ହେଓ୍ଵାର୍ଡଙ୍କ ପେନାଲ୍ଟି ଗୋଲ୍ ବଳରେ ଅଷ୍ଟ୍ରେଲିଆ ସ୍ଥିତି ୧-୧ କରି ନେଇଥିଲା। ଦ୍ୱିତୀୟ କ୍ୱାର୍ଟର ସେହି ୧-୧ରେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ଅର୍ଜନ କରିଥିଲେ। ହେଲେ କେହି ଗୋଲ୍ ଦେଇ ପାରି ନଥିଲେ। ଫଳରେ ଶେଷ କ୍ୱାର୍ଟରର ମହତ୍ୱ ବଢ଼ି ଯାଇଥିଲା। ଏଥିରେ ବି କେହି ସଫଳ ହୋଇ ନଥିଲା। ଫଳରେ ସ୍କୋର ଲାଇନ୍ ୧-୧ରେ ଅପରିବର୍ତିତ ରହିବା ସହ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ଅଷ୍ଟ୍ରେଲିଆର ମ୍ୟାଟ୍ ଡ’ସନ୍ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କଲେ।
ଅଷ୍ଟ୍ରେଲିଆକୁ ରୋକିବା ନେଇ ଭାରତୀୟ ଅଧିନାୟକ ମନପ୍ରୀତ ସିଂହ ଖୁସି ଥିଲେ। ତେବେ ଭାରତ ଏକ ବଡ଼ ସୁଯୋଗ ହାତଛଡ଼ା କଲା ବୋଲି କହିଥିଲେ। ପେନାଲ୍ଟି ସୁଯୋଗକୁ ଗୋଲରେ ରୂପାନ୍ତର କରିପାରିଥିଲେ। ଫଳାଫଳ ଭାରତ ସପକ୍ଷରେ ହୋଇ ଥାଆନ୍ତା ବୋଲି ସେ କହିଥିଲେ।
ଅଷ୍ଟ୍ରେଲିଆର ୧୯ ବର୍ଷୀୟ ଖେଳାଳି ସାର୍ପ ଲାଚଲାନ ଶୁକ୍ରବାର ନିଜ ଖେଳ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ। କଳିଙ୍ଗ ଷ୍ଟାଡିୟମର ମନ୍ତ୍ରମୁଗ୍ଧକାରୀ ମାହୋଲ ମଧ୍ୟରେ ସେ ଭାରତ ବିପକ୍ଷରେ ନିଜ ଜୀବନର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେହିଭଳି ଭାରତୀୟ ଅଧିନାୟକ ମନପ୍ରୀତ ସିଂହ ମଧ୍ୟ ନିଜ ଖେଳ ଜୀବନର ୨୦୦ତମ ମ୍ୟାଚ୍ ଏଠାରେ ଖେଳିଥିଲେ। ଉଭୟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସ୍ମରଣୀୟ ହୋଇ ଯାଇଥିଲା। ଭୁବନେଶ୍ୱରର ଦ୍ୱିଶତକୀୟ ମ୍ୟାଚ୍ ଖେଳୁଥିବାରୁ ବହୁତ ଖୁସି ଲାଗୁଛି ବୋଲି ମନପ୍ରୀତ ନିଜ ପ୍ରତିକ୍ରିୟାରେ ବି କହିଥିଲେ।