ଭୁବନେଶ୍ବର: ଓଡ଼ିଶା ଚେସ୍ ଇତିହାସରେ ପ୍ରଥମ ଥର ପାଇଁ ମର୍ଯ୍ୟାଦାଜନକ ଭାରତ-ଚୀନ ଚେସ୍ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶା ସରକାର, ଅଲ୍ ଇଣ୍ଡିଆ ଚେସ୍ ସଂଘ (ଏଆଇସିଏଫ୍), ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଏବଂ କିଟ୍ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମ୍ମିଳନୀର ତୃତୀୟ ସଂସ୍କରଣ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ କିଟ୍ର ଅନ୍ତର୍ଜାତୀୟ ଚେସ୍ ହଲ୍ରେ ଅନୁଷ୍ଠିତ ହେବ। ଚୀନର ୪ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ଏବଂ ଭାରତର ୪ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ମୁହାଁମୁହିଁ ହେବେ। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର୍ ଶେଖର ଚନ୍ଦ୍ର ସାହୁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଚୀନ୍ ଦଳରେ ଲୁ ସାଙ୍ଗଲେଇ (୨୬୩୫), ଜୁ ଜିଆଙ୍ଗ୍ୟୁ (୨୫୮୬), ବାଇ ଜିନ୍ସୀ (୨୫୫୬), ଜୁ ୟିଙ୍ଗଲୁନ୍ (୨୫୩୩) ଏବଂ ଭାରତୀୟ ଦଳରୁ ମୁରଲୀ କାର୍ତିକେୟନ (୨୬୦୫), ଶ୍ରୀନାଥ ନାରାୟଣନ୍ (୨୫୬୫), ଭିଆର୍ ଅରବିନ୍ଦ ଚିଦାମ୍ବରମ୍ (୨୫୭୮) ଏବଂ ଆର୍ଯ୍ୟନ ଚୋପ୍ରା (୨୫୪୧) ପ୍ରତିନିଧିତ୍ବ କରିବେ। ଖେଳାଳିମାନେ ରବିବାର ଭୁବନେଶ୍ବର ପହଞ୍ଚିସାରିଛନ୍ତି। ବିଶ୍ବ ଚେସ୍ ମହାସଂଘ (ଫିଡେ)ର ନିୟମ ଅନୁସାରେ ଓଡ଼ିଶାର ଅନ୍ତର୍ଜାତୀୟ ଆର୍ବିଟର୍ ସୁରେଶ ଚନ୍ଦ୍ର ସାହୁ ଏହାକୁ ପରିଚାଳନା କରିବେ। ପୁରସ୍କାର ରାଶି ୧୦ ଲକ୍ଷ ରହିଥିବାବେଳେ ପ୍ରତିଯୋଗିତା ଲାଗି ମୋଟ ୨୬ ଲକ୍ଷ ଟଙ୍କାର ଆୟବ୍ୟୟ ଅଟକଳ କରାଯାଇଛି। ପ୍ରତିଯୋଗିତାର ପରିଚାଳନା ପାଇଁ ଏଓସିଏ ଉପ ସଭାପତି ତଥା ପୂର୍ବତନ ଖେଳାଳି ରଂଜନ ମହାନ୍ତିଙ୍କୁ ଆୟୋଜନ ସମିତି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଆଜିଠୁ କିଟ୍ରେ ଭାରତ-ଚୀନ୍ ଚେସ୍ ସମ୍ମିଳନୀ
/sambad/media/post_attachments/wp-content/uploads/2018/10/15-Chess.jpg)
/sambad/media/agency_attachments/2024-07-24t043029592z-sambad-original.webp)