ଭାରତ-ଚୀନ୍ ଚେସ୍ ସମ୍ମିଳନୀ ଓଡ଼ିଶାରେ

ଭୁବନେଶ୍ୱର: ଓଡ଼ିଶା ଚେସ୍ ଇତିହାସରେ ପ୍ରଥମ ଥର ପାଇଁ ମର୍ଯ୍ୟାଦାଜନକ ଭାରତ-ଚୀନ ଚେସ୍ ସମ୍ମିଳନୀ ଅନୁଷ୍ଠିତ ହେବ। ଓଡ଼ିଶା ସରକାର, ଅଲ୍ ଇଣ୍ଡିଆ ଚେସ୍ ସଂଘ (ଏଆଇସିଏଫ୍), ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଏବଂ କିଟ୍ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଭାରତ-ଚୀନ ଚେସ୍ ସମ୍ମିଳନୀର ତୃତୀୟ ସଂସ୍କରଣ ଅକ୍ଟୋବର ୧୫ରୁ ୨୩ ତାରିଖ ପର୍ଯ୍ୟନ୍ତ କିଟ୍‌ର ଅନ୍ତର୍ଜାତୀୟ ଚେସ୍ ହଲ୍‌ରେ ଅନୁଷ୍ଠିତ ହେବ ବୋଲି ନିଖିଳ ଓଡ଼ିଶା ଚେସ୍ ସଂଘର ସମ୍ପାଦକ କୃଷ୍ଣ କୁମାର ଶର୍ମା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।‌ ଚୀନର ୪ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ଏବଂ ଭାରତର ୪ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ମୁହାଁମୁହିଁ ହେବେ। ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର୍ ଶେଖର ଚନ୍ଦ୍ର ସାହୁ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଚୀନ୍ ଦଳରେ ଲୁ ସାଙ୍ଗଲେଇ (୨୬୩୫), ଜୁ ଜିଆଙ୍ଗ୍ୟୁ (୨୫୮୬), ବାଇ ଜିନ୍‌ସୀ (୨୫୫୬), ଜୁ ୟିଙ୍ଗଲୁନ୍ (୨୫୩୩) ଏବଂ ଭାରତୀୟ ଦଳରୁ ମୁରଲୀ କାର୍ତିକେୟନ (୨୬୦୫), ଶ୍ରୀନାଥ ନାରାୟଣନ୍ (୨୫୬୫), ଭିଆର୍ ଅରବିନ୍ଦ ଚିଦାମ୍ବରମ୍ (୨୫୭୮) ଏବଂ ଆର୍ଯ୍ୟନ ଚୋପ୍ରା (୨୫୪୧) ପ୍ରତିନିଧିତ୍ବ କରିବେ। ବିଶ୍ବ ଚେସ୍ ମହାସଂଘ (ଫିଡେ)ର ନିୟମ ଅନୁସାରେ ଓଡ଼ିଶାର ଅନ୍ତର୍ଜାତୀୟ ଆର୍ବିଟର୍ ସ‌ୁରେଶ ଚନ୍ଦ୍ର ସାହୁ ଏହାକୁ ପରିଚାଳନା କରିବେ। ପୁରସ୍କାର ରାଶି ୧୦ ଲକ୍ଷ ରହିଥିବାବେଳେ ପ୍ରତିଯୋଗିତା ଲାଗି ମୋଟ ୨୬ ଲକ୍ଷ ଟଙ୍କାର ଆୟବ୍ୟୟ ଅଟକଳ କରାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ବହୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରହିବ ବୋଲି ସୂଚନା ଦିଆଯାଇଛି। ପ୍ରତିଯୋଗିତାର ପରିଚାଳନା ପାଇଁ ଏଓସିଏ ଉପ ସଭାପତି ତଥା ପୂର୍ବତନ ଖେଳାଳି ରଂଜନ ମହାନ୍ତିଙ୍କୁ ଆୟୋଜନ ସମିତି ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେହିଭଳି ଏଓସିଏ ସମ୍ପାଦକ କେକେ ଶର୍ମା ଏବଂ କୋଷାଧ୍ୟକ୍ଷ ଜିସି ମହାପାତ୍ରଙ୍କୁ କୋର କମିଟିରେ ରଖାଯାଇଛି।

ସମ୍ବନ୍ଧିତ ଖବର