ଚେନ୍ନାଇ: ଚେନ୍ନାଇରେ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଉଦ୍ଘାଟନୀ ଦିବସରେ ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ରାତି ସାଢ଼େ ୮ଟାରେ ଖେଳାଯିବ। ଏଥିପୂର୍ବରୁ ଗତଥରର ବିଜେତା କୋରିଆ ଓ ଜାପାନ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଦ୍ବିତୀୟ ମ୍ୟାଚ୍ରେ ପାକିସ୍ତାନ ଓ ମାଲେସିଆ ଭେଟାଭେଟି ହେବେ। ଅଗଷ୍ଟ ୪ ତାରିଖରେ ଜାପାନ, ୬ ତାରିଖରେ ମାଲେସିଆ, ୭ ତାରିଖରେ କୋରିଆ ଓ ୯ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ।
୧୧ ତାରିଖରେ ପଞ୍ଚମ ସ୍ଥାନ ପାଇଁ ମ୍ୟାଚ୍ ହେବା ସହିତ ଦୁଇଟି ସେମିଫାଇନାଲ୍ ଖେଳାଯିବ। ୧୨ ତାରିଖରେ ତୃତୀୟ ସ୍ଥାନ ମ୍ୟାଚ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଏହି ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ତିନିଥର ଲେଖାଏଁ ବିଜେତା ହୋଇଛନ୍ତି। ୨୦୧୧, ୨୦୧୬ ଓ ୨୦୧୮ ମସିହାରେ ଭାରତ ବିଜେତା ହୋଇଥିଲା ବେଳେ ୨୦୧୨, ୨୦୧୩ ଓ ୨୦୧୮ରେ ପାକିସ୍ତାନ ବିଜେତା ହୋଇଥିଲା। ୨୦୧୮ରେ ଉଭୟ ଯୁଗ୍ମ ଭାବେ ବିଜେତା ହୋଇଥିଲେ।