ଇଣ୍ଡିଜ୍‌କୁ ମୂଳପୋଛ କଲା ଭାରତ

ଦିନିକିଆ ମାନ୍ୟତାରେ ଭାରତ ତୃତୀୟରେ ସ୍ଥିର

ପୋର୍ଟ ଅଫ୍ ସ୍ପେନ୍‌: ଶେଷ ଦିନିକିଆକୁ ୧୧୯ ରନ୍‌ରେ ଜିତିନେଇଛି ଭାରତ। ତା’ସହ ତିନିଟିକିଆ ଶୃଙ୍ଖଳାକୁ ୩-୦ରେ ‌େପାଛି ନେଇଛି। ଭାରତ ବୁଧବାର ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୩୫ ଓଭରରୁ ୨୫୭ ରନ୍‌ର (ଡି/ଏଲ୍ ପଦ୍ଧତିରେ) ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‌ ‌୨୬ ଓଭରରେ ୧୩୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ମଧ୍ୟ ପ୍ରଥମ ଥର ଲାଗି ୱେଷ୍ଟଇଣ୍ଡିଜ୍‌କୁ ତା’ ଘରୋଇ ମାଟିରେ କୌଣସି ତିନି ଟିକିଆ ଦ୍ବିପାକ୍ଷିକ ଶୃଙ୍ଖଳାରେ ମୂଳପୋଛ କରିଥିଲା।

ଏକାଧିକ ବାର ବର୍ଷା ବାଧାପ୍ରାପ୍ତ ହୋଇଥିବା ଏହି ମ୍ୟାଚ୍‌ରେ ଦୁଇ ଓପନର ଶିଖର ଧାୱନ ଓ ଶୁବମନ ଗିଲ୍‌ ପ୍ରଥମ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ି ସାରିଥିଲେ। ଧାୱନ୍ ଆଉଟ୍ ହେବାର ମାତ୍ର କିଛି ମିନିଟ୍ ପରେ ଏବଂ ଭାରତ ପାଳିର ୨୪ ଓଭରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପୁନର୍ବାର ଖେଳ ଆରମ୍ଭ ହେବା ପରେ ଭାରତ ପାଳିର ଆଉ କେବଳ ୧୨ ଓଭର ସମ୍ଭବ ହୋଇଥିଲା। ଭାରତ ଏଥିରେ ଆୟର (୪୪) ଏବଂ ସୂର୍ଯ୍ୟକୁମାର ଯାଦବ (୮)ଙ୍କ ୱିକେଟ୍ ହରାଇଥିଲା। ୩୬ ଓଭରରେ ୩ ୱିକେଟ୍ ହରାଇ ଭାରତ ୨୨୫ ରନ୍ କରିଥିଲା ବେଳେ ପୁଣିଥରେ ବର୍ଷା ଆରମ୍ଭ ହୋଇଯାଇଥିଲା। ତେବେ ପ୍ରଥମ ପାଳିର ସମୟ ସରିଯାଇଥିବାରୁ ଦଳୀୟ ପାଳି ସେହି ୨୨୫/୩ ସ୍କୋର୍‌ରେ ଶେଷ ହୋଇଯାଇଥିଲା। ସେହି ସମୟରେ ଶୁବମନ ୯୮ ଓ ସଞ୍ଜୁ ସାମସନ ୬ ରନ୍ କରି ଅପରାଜିତ ରହିଥିଲେ। ଆଉ ୱେଷ୍ଟଇଣ୍ଡିଜ୍‌କୁ ଡକୱର୍ଥ/ ଲୁଇସ୍‌ ନିୟମରେ ୩୫ ଓଭରରୁ ୨୫୭ ରନ୍‌ର ଲକ୍ଷ୍ୟ ମିଳିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଗିଲ୍‌ ବୁଧବାର ମାତ୍ର ୨ ରନ୍‌ ପାଇଁ ନିଜ ପ୍ରଥମ ଦିନିକିଆ ଶତକରୁ ବଞ୍ଚିତ ହୋଇଥିଲେ। ଶୁକ୍ରବାର ଠାରୁ ଭାରତ-ୱେଷ୍ଟଇଣ୍ଡିଜ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।

ଦୁବାଇ: ‌ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତିବା ପରେ ଭାରତୀୟ ଦଳ ଆଇସିସି ମାନ୍ୟତାରେ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। କିଛି ପ୍ରମୁଖ ତଥା ପ୍ରଥମ ପସନ୍ଦ ଖେଳାଳିଙ୍କ ବିନା ଖେଳିଥିବା ଶିଖର ଧାୱନଙ୍କ ଦଳ ବୁଧବାର ରାତିରେ ୱେଷ୍ଟଇଣ୍ଡିଜ୍‌କୁ ୧୧୯ ରନ୍‌ (ଡିଏଲ୍‌)ରେ ହରାଇ ଶୃଙ୍ଖଳାକୁ ୩-୦ରେ ଜିତିଥିଲା। ଭାରତ ଏଥି ସହ ଲଗାତାର ତୃତୀୟ ଦିନିକିଆ ଶୃଙ୍ଖଳା ବିଜୟ ସଫଳତା ପାଇଥିଲା। ବର୍ଷ ପ୍ରାରମ୍ଭରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାଠାରୁ ମୂଳାପୋଛ ହୋଇଥିବା ଭାରତ ଏବେ ବିଗତ ୯ଟିରୁ ୮ ଦିନିକିଆ ଜିତିଛି। ଭାରତ ୧୧୦ ରେଟିଂ ପଏଣ୍ଟ ସହ ମାନ୍ୟତାରେ ତୃତୀୟରେ ରହିଥିବା ବେଳେ ପାକିସ୍ତାନ (୧୦୬) ଚତୁର୍ଥରେ ଅଛି। ନ୍ୟୁଜିଲାଣ୍ଡ୍ (୧୨୮) ଏବଂ ଇଂଲଣ୍ଡ (୧୧୯) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର